Latest Odisha News

ପରଲୋକରେ ଭେଟେରାନ୍ ବଲିଉଡ ଅଭିନେତା ଜୁନିଅର ମେହମୁଦ, ୪ ଦଶନ୍ଧିର କ୍ୟାରିଅରରେ କରିଥିଲେ ୨୫୦ରୁ ଅଧିକ ଫିଲ୍ମ

ମୁମ୍ବାଇ: ପରଲୋକରେ ପ୍ରସିଦ୍ଧ ଶିଶୁ କଳାକାର ତଥା ଭେଟେରାନ୍ ବଲିଉଡ ଅଭିନେତା ଜୁନିଅର ମେହମୁଦ ନଇମ ସୈୟଦ । ଗତକାଲି ମଧ୍ୟରାତ୍ରି ପ୍ରାୟ ୨ଟା ସମୟରେ ମୁମ୍ବାଇର  ଖାରସ୍ଥିତ ତାଙ୍କ ବାସଭବନରେ ମୃତ୍ୟୁ ବରଣ କରିଛନ୍ତି ଜୁନିଅର ମେହମୁଦ । ୬୭ ବର୍ଷିୟ ଜୁନିଅର ମେହମୁଦ କ୍ୟାନସର ରୋଗରେ ପୀଡିତ ଥିଲେ । ମାତ୍ର ଗତ କିଛି ଦିନ ପୂର୍ବରୁ ସେ ଏହି ରୋଗ ବିଷୟରେ ଜାଣିପାରିଥିଲେ ।

ଜୁନିଅର ମହମୁଦଙ୍କ ପୁଅ ହସନେନ କହିଛନ୍ତି ଯେ ୧୮ ଦିନ ପୂର୍ବରୁ ତାଙ୍କ ପିତା କ୍ୟାନସରର ଲାଷ୍ଟ ଷ୍ଟେଜରେ ଥିବା ସୂଚନା ପାଇଥିଲେ । ତାଙ୍କ ଲିଭର, ଫୁସଫୁସ ସହିତ ପୂରା ଶରୀରକୁ କ୍ୟାନସର ବ୍ୟାପୀ ସାରିଥିଲା ।  ଦେଶର ସର୍ବବୃହତ କ୍ୟାନସର ହସ୍ପିଟାଲର ଟାଟା ମେମୋରିଆଲ ହସ୍ପିଟାଲର ଡିନ୍ କହିଥିଲେ ଯେ ‘ବର୍ତ୍ତମାନ ତାଙ୍କ ପାଖରେ ଆଉ ମାତ୍ର ଦୁଇ ମାସ ବାକି ଅଛି ଏବଂ ଏପରି ପରିସ୍ଥିତିରେ ତାଙ୍କୁ ଡାକ୍ତରଖାନାରେ ରଖିବା ଠିକ୍ ହେବ ନାହିଁ’ । ଜୁନିଅର ମହମୁଦଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସମଗ୍ର ବଲିଉଡ଼ରେ ଶୋକର ଛାୟା ଖେଳି ଯାଇଛି । ଜୁହୁସ୍ଥିତ କବରସ୍ଥାନରେ ଆଜି ତାଙ୍କ ଶେଷକୃତ୍ୟୁ ସମ୍ପନ୍ନ ହେବ ।

୬୦ ଓ ୭୦ ଦଶକର ଚର୍ଚ୍ଚିତ ଶିଶୁ କଳାକାର ଜୁନିଅର ମେହମୁଦ । ୪ ଦଶନ୍ଧିର କ୍ୟାରିଅରରେ ୨୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି ସେ । ସେ ଅନେକ ହିନ୍ଦୀ ଏବଂ ମରାଠୀ ଚଳଚ୍ଚିତ୍ରରେ ମଧ୍ୟ କାମ କରିଥିଲେ | ନୌନିହାଲ, ମୋହବତ୍ ଜିନ୍ଦେଗୀ ହେ, ସଙ୍ଘର୍ଷ, ବ୍ରହ୍ମଚାରି, ଫରିସ୍ତା, ହକତି ପତଙ୍ଗ, ଅଞ୍ଜାନା, ଦୋ ରାସ୍ତେ, ୟାଦଗାର, ଆନ୍ ମିଲୋ ସାଜନା, କାରଭାଂ, ହାଥୀ ମେରେ ସାଥି, ଛୋଟି ବାହୁ, ଚିଙ୍ଗାରି, ହରେ ରାମ ହରେ କୃଷ୍ଣ ପରି ଅନେକ ଚଳଚ୍ଚିତ୍ର ଏବଂ କିଛି ଟିଭି ଶୋ’ରେ ମଧ୍ୟ କାମ କରିଥିଲେ ଜୁନିଅର ମହମୁଦ | ସେ ୧୦/୧୧ ବର୍ଷ ବୟସରୁ ଫିଲ୍ମରେ ଅଭିନୟ ଆରମ୍ଭ କରିଥିଲେ। ସେ ନିଜ ପ୍ରଯୋଜନା ଓ ନିର୍ଦ୍ଦେଶନାରେ ୬ଟି ମରାଠୀ ଫିଲ୍ମ ନିର୍ମାଣ କରିଥିଲେ ।

Leave A Reply

Your email address will not be published.