ଜ୍ୟୋଷ୍ଠା ଭାଗ
ଅଞ୍ଜଳି ସାହୁ
ଦୁନିଆରେ ଏତେ ବେଉସା ଥାଉ ଥାଉ ବାବୁ ଚାଚା କାହିଁକି ଏଭଳି ଗୋଟେ ବେଉସାକୁ ଆପଣେଇ ବସିଲେ କେଜାଣି? କେତେ କାହା ମନରେ ଏ ପ୍ରଶ୍ନ ବେଳ ଅବେଳରେ ଉଠି ପୁଣି ମିଳେଇଯାଏ ପବନରେ କି ଆକାଶରେ ସତେ କି! କେହି କେହି ତାଙ୍କର ଏତେ ବଡ଼ ଅବିଭାଜିତ ଯୌଥ ପରିବାରକୁ ନେଇ ଛକ ପେଣ୍ଠରେ ବି ବେଳେ ବେଳେ ଚର୍ଚ୍ଚା କରି ବସନ୍ତି। ଭାବି ବସନ୍ତି ଅନେକ କଥା ।
ଏଣେ ବୈକୁଣ୍ଠ ମାଷ୍ଟ୍ରେ ନୀରବରେ ଦୁଆରେ ବସି ଭାବୁଥାନ୍ତି । ଝାଇଁ ଝାଇଁ ହୋଇ ଯାଉଥାଏ ମୁଣ୍ଡଟା! କାଲି ଡକରା ଆସୁଥିଲା ତାଙ୍କୁ, ପାଂଚ ଜଣରେ ଜଣେ ହୋଇ ପଂଚାୟତରେ ବସୁଥିଲେ! ସାହି ଭାଇଙ୍କର ଆପୋଷ ମିଳାମିଶା କରୁଥିଲେ, ହାରି ଗୁହାରି ଶୁଣୁଥିଲେ! ହେଲେ ଆଜି? ବାର ଲୋକହସା ହିଁ ସାର! କଣ କରିବେ ଆଉ! କୁଳାଙ୍ଗାର ପୁଅ ଜନ୍ମ ହେଲେ ଶେଷରେ ଯାହା ହୁଏ! ଘରେ ଗଣ୍ଡଗୋଳ, ପାଟି ତୁଣ୍ଡ କାହିଁରେ କଣ! ଦେଢ଼ ମାସେ ହେଲା କଳି ତୁଟିବାର ନାଁଆ ନେଉନି! ଗାଁର ଭଦ୍ର ଲୋକ ଆସି ତିନି ତିନିଥର ବସିସାରିଲେଣି । କିନ୍ତୁ କଥା ଯୋଉଠି କି ସେଇଠି! ଆଗଉନି ପାଦେ ହେଲେ! କାହା କଥା ରହୁନି! ବିରକ୍ତ ହୋଇ ସେମାନେ କହିଯାଇଛନ୍ତି ଏଥର, କେହି ଆଉ ଆସିବେନି ନ୍ୟାୟ ନିଶାପ ଲାଗି ଏ ଘର ଦୁଆରକୁ! କଇଁ ଗାଡ଼ିଆ ଆଉ କୂଅ ପାଖ ବୁଢ଼ା ଆମ୍ବ ଗଛକୁ ନେଇ ଉଠିଥିବା ବିବାଦ ସିନା ଟଳିଗଲା ହେଲେ ଏବେ ତାଙ୍କ ସ୍ତ୍ରୀର ଆଟୁ ଉପରେ ଥିବା ଅଳଙ୍କାର ଆଉ ତାଙ୍କର ପେନ୍ସନ ବହିଠି ଯାଇ କଥା ଅଟକିଛି! ସାନ ପୁଅ ବାଉଁଶ ନିଶୁଣିଟାକୁ ଆଣି ଯେତେଥର ଆଟୁ ଉପରକୁ ଉଠିବ ବୋଲି ଚେଷ୍ଟା କରୁଛି, ବଡ଼ ପୁଅ ନିଜେ ତାକୁ କଳେ ବଳେ କୌଶଳେ ଠେଲା ପେଲା କରି ତଳକୁ ଗଡେ଼ଇ ଦେଉଛି । କଟୁରୀରେ ନିଶୁଣିର ତଳପଟୁ ଦୁଇଟି ଗୋଡ଼ ରାଗରେ ହାଣି ସାରିଲାଣି । କେହି କାହାକୁ ଛାଡ଼ିବାକୁ ନାରାଜ । ବଡ଼ ଜିଦି ଧରି ବସିଛି କଣ ନା ଏଇଟା ମୋର ଜ୍ୟେଷ୍ଠା ଭାଗ । ସାନ ଏଣେ ଗର୍ଜି କହୁଛି, ଜ୍ୟେଷ୍ଠା ଜ୍ୟେଷ୍ଠା ମୁଁ କିଛି ଜାଣିନି । ସମ୍ପତ୍ତିିିି ଭାଗ ହେବ ତ ସମାନ ଦି ଭାଗ, ବାସ…ସେଥିରେ ଏପଟ ସେପଟ କିଛି ନାହିଁ !
ଏବେ ସବୁ କିଛି ଶାନ୍ତ! ଲୋକେ ଫାଟିଫୁଟି ଯିଏ ଯାହା ଘରକୁ ଗଲେଣି । ଧାନଉଁଷା ହାଣ୍ଡି ଭଳି ମୁହଁ କରି ଦୁଇ ବିପରୀତ ଦିଗକୁ ଅନେଇ ବସିଥାନ୍ତି ଦୁଇ ଭାଇ, ସମ୍ରାଟ ଓ ବିରାଟ । ଦୁଇ ସମାନ୍ତରାଳ ସରଳରେଖା ପରି କେହି ଯେମିତି କେବେ ବି ଜୀବନରେ କାହା ସହିତ ମିଶିବେନି ! ନିଶୁଣିଟି ଖଣ୍ଡ ଖଣ୍ଡ ହୋଇ ପଡ଼ିଛି ଅଗଣାରେ । ଅଳ୍ପ ସେପଟକୁ ଧାରୁଆ କଟୁରୀଟି ଫୋପଡ଼ା ହୋଇଛି। ଉପର ଆଟୁୁରେ ଦିଶୁଛି, ବୋଉ ଅତି ଯତନରେ ଥୋଇ ଦେଇ ଯାଇଥିବା ଗୋଟେ ବେତ ବୁଣା ପେଟେରା, କିଛି ପିତ୍ତଳ ବାସନ ଆଉ କେତୋଟି ପୂଜାପାଠ ବହି ହୁଏତ!
ବୈକୁଣ୍ଠ ମାଷ୍ଟ୍ରେ ମନକୁ ମନ ବୁଝାଉଥିଲେ- ଛାଡ଼! ଖାଲି ମିଛରେ କୁହୁଡ଼ି ପହଁରୁଥିଲି ସେଦିନ, ମାୟାରେ ବାୟା ହେଉଥିଲି ଯାହା। ପୁଅ ଦୁହିଁଙ୍କର ନାଆଁ ଦେଇଥିଲି ବାଛି ବାଛି, ସେମାନେ ଦିନେ ନିଜ ନିଜ ନାମ ସାର୍ଥକ କରିବେ ଏଇ ଆଶାରେ, କିନ୍ତୁ ଆଜି? ଛାଡ଼…ଗାମୁଛାରେ ଆଖି ଲୁହ ପୋଛି ଅନେଇଲେ କାଳେଶ୍ୱର ମନ୍ଦିର ଆଡ଼ିକି ଅସହାୟ ଆଖିରେ । ଗୁଣୁ ଗୁଣୁ ହୋଇ କହିଲେ, “ପ୍ରଭୁ, ଶେଷକୁ ଏଇ ନାଟକ ତୋର ଦେଖେଇବାର ଥିଲା! ଘର କଥା ଦାଣ୍ଡରେ ଗଡ଼ିଲା, ତୋ ମନୋବାଂଛା ପୂରଣ ହୋଇଗଲା! ମାନ ଇଜ୍ଜତ ସବୁ ନିଲାମ ହୋଇଗଲା ପରେ ମୁଁ କଣ ଦିଶୁଛି ତୁ ଦେଖିବୁ ବୋଲି ଟାକି ରହିଛୁ ନା…ମୁଁ ଆଜି ତତେ ଯାଇ ନିଶ୍ଚୟ ଭେଟିବି, ତୁ ଖାଲି ଅପେକ୍ଷା କର… କିନ୍ତୁ ମନେ ରଖ, ତୁ ଯାହା କଲୁ କିଛି ଠିକ କଲୁନି! ଆଉ ତୋ ଉପରେ ବିଶ୍ୱାସ କରି ଲାଭ ନାହିଁ । ଠିକ ଯାହା ଏଥର ମତେ ହିଁ କରିବାକୁ ହେବ! ମତେ ହିଁ କରିବାକୁ ହେବ! – କଣ ଏମିତି ଗୁଣୁ ଗୁଣୁ ହୋଇ ବୈକୁଣ୍ଠ ମାଷ୍ଟ୍ରେ ଦାଣ୍ଡ ଦୁଆରୁ ଘର ଭିତରକୁ ଗଲେ ।
ଦୂର ଦିଗ ବଳୟକୁ ଅନାଇ ଅପଲକ ଆଖିରେ ନିଜ ପୁଞ୍ଜିଭୂତ କୋହକୁ ସମ୍ଭାଳୁ ସମ୍ଭାଳୁ ବୈକୁଣ୍ଠ ମାଷ୍ଟ୍ରେ କହିଲେ, “ଆରେ, ଏମିତି ବସିଛ କଣ? ଯାହା ହେଲା ହେଲା । ସବୁ ମୋର ଅର୍ଜିତ କର୍ମର ଫଳ । ଆଉ କଣ ପିଲା ହେଇ ଅଛ ଯେ ମୁଁ ତୁମକୁ ବୁଝେଇବି! ବାହା ସାହା ହେଲଣି, କାଲି ସକାଳେ ଯେତେବେଳେ ବାପ ହେବ, ଜାଣିବ ଗୋଟେ ବାପର ମନ କଥା । ଯୋଗକୁ ନୂଆ ଭୂଆ ଦି ଟା ବାପ ଘରକୁ ଚାଲି ଯାଇଛନ୍ତି ବୋଲି, ନହେଲେ ତୁମ ଦୁହିଁଙ୍କ ଆଜିର ଅବତାର ଦେଖି କଣ ଭାବିଥାନ୍ତେ କହିଲ? ଛାଡ଼…ତମ ବୋଉ ଗଲାବେଳେ ଖନେଇ ଖନେଇ ଦୁଇଟି ଶେଷ ଇଚ୍ଛା ତାର କହି ଯାଇଥିଲା । ମତେ ହଲେଇ ଦେଇ ସେଦିନ କହିଲା…ଶୁଣ…ତମ ଦେହ ମୁଣ୍ଡ ଏଣିକି ଆଉ ଭଲ ରହୁନି, ଆମେ ପାକେଲା ଫଳ, କେତେବେଳେ ଝଡ଼ି ପଡ଼ିବା କିଏ ଜାଣେ! କାଲି ମୁଣ୍ଡ କଣ ହେଲେ ଆଜି ଛାତି କଣ ହେଉଛିି, ବୁଝିଲ? ଝିଅଟା ତା ଭାଗ୍ୟକୁ ଆଦରି ତା ବାଟରେ ଗଲା, ଖାଲି ରହିଲେ ସମୁ ଆଉ ବିରୁ…ଦେଖ, ମୋ ଅନ୍ତେ ପିଲା ଦି ଟା ଯେମିତି ଅନାଥ ନ ହେବେ …ସେ ଦୁହିଁଙ୍କୁ ଗୁଣର ଦିଟା ଝିଅ ଦେଖି ଏକାଠି ବାହା ସାହା କରେଇ ଦେବ, ଆଉ ମୋର ଗୋଟେ ସମାଧି ଆମ ବାରି ଶେଷ ମୁଣ୍ଡ ଆମ୍ବ ଗଛ ମୂଳରେ ତୋଳାଇବ । ତମେ ଯୋଉଠି ଅଛ, ମୁଁ ମଲା ପରେ ବି ସେଇଠି ହିଁ ରହିବି ତମରି ପାଖେ ପାଖେ…ଆଉ ଚାଲିଗଲା ବାଟ କାଟି…ତା ବିନା ମୋ ଦିନ କେମିତି କଟିବ ଥରେ ବି ବୁଝିଲାନି…ହଉ, ଯାଉ…ମୁଁ କିନ୍ତୁ ତାର ସବୁ ଇଚ୍ଛା ପୂରଣ କରି ଦେଇଛି । ଆଉ କଣ କାମ ଅଛି ମୋର? ଏବେ ଖାଲି ଯିବା ବେଳର ଅପେକ୍ଷା… ବୁଝିଲ?”
ଆଖି ଲୁହକୁ ଲୁଚାଇବା ସକାଶେ ବୈକୁଣ୍ଠ ମାଷ୍ଟ୍ରେ ହୁଏତ ଆଖିରେ ଧୂଳି ପଡ଼ିବାର ଅଭିନୟ କରି ଗାମୁଛାଟାକୁ କାନ୍ଧରୁ ଆଣି ପାଟିରେ ଦେଇ ଆଫା କରିବାର ଉପକ୍ରମ କଲେ ।
ସମ୍ରାଟ କିଛି ନବୁଝିଲା ପରି ପିଣ୍ଢା ତଳକୁ ଗୋଡ଼ ଲମ୍ବେଇ ସେପଟକୁ ଅନେଇ ସେମିତି ବସିଥାଏ ।
ବିରାଟ କିନ୍ତୁ କାନେଇଥାଏ ବାପାଙ୍କ କଥାକୁ, ବାପାଙ୍କର ହାବ ଭାବରେ କିଛି ପରିବର୍ତ୍ତନ ଲକ୍ଷ୍ୟ କରୁଥାଏ ସେ । ବାପା ଯେ ତାଙ୍କ ମାନ ସମ୍ମାନ ପ୍ରତି କେତେ ସଚେତନ ତାହା ସେ ପିଲାଟି ବେଳୁ ଜାଣିଛି । ଆଖି ମିଟି ମିଟି କରି କହିଲା…
“ଯିବା ବେଳ?”
କଥାଟାକୁ ବୁଲେଇ ତତକ୍ଷଣାତ ବୈକୁଣ୍ଠ ମାଷ୍ଟ୍ରେ କହିଲେ,
“ମାନେ…ତମେ ଦୁହେଁ ଯିବ ପରା? ”
“ଆମେ ଦୁହେଁ ଯିବୁ? କୋଉଠିକି? ”-ସମ୍ରାଟ ପଚାରିଲା ଚକିତ ହୋଇ ।
“ଆରେ…ବାବୁ ଚାଚାଙ୍କ ଘରକୁ…ଜାଣିନ କି? ”
“ବାବୁ ଚାଚା?”
“ଏଇ ଜଗପାଳର ବାବୁ ଚାଚା ମ! ଯିଏ ବାଉଁଶ କାମ କରନ୍ତି…କୁଲା, ବାଉଁଶିଆ, ବୋଝଠୁ ଆରମ୍ଭ କରି ନିଶୁଣି, ଟୋକେଇ, କୋକେଇ ପଯ୍ୟନ୍ତ ସବୁ ତିଆରି କରନ୍ତି…ଯାହାର ଘରେ ନିଇତି ହଣ୍ଡା ବସେ… ଭୋଜି ହୁଏ… ।”
“କିନ୍ତୁ କାହିଁକି? ”- ବିରାଟ ପଚାରିଲା ରୋକ ଠୋକ ।
“ଆରେ… ଦେଖୁଛ କି ନାହିଁ…କୋଉ କାଳର ନିଶୁଣିଟା ଖଣ୍ଡ ଖଣ୍ଡ ହୋଇ ପଡ଼ିଛି । ବୋଉ ତାକୁ ତିଆରି କରେଇଥିଲା ନୀଳ ବଢେ଼ଇ ହାତରେ । ତମେ ମାନେ ସବୁ ପିଲା ଥିଲ । ଆଟୁ ଉପରୁ ମାଣ ସଜ ଓହ୍ଲେଇ ଆଣିବାକୁ କଳି କରୁଥିଲ । କିଏ ଚଟ କିନା କହୁକହୁକା ନିଶୁଣି ଚଢ଼ି ପାରିବ, ତାକୁ ନେଇ ହେଉଥିଲା ପ୍ରତିଯୋଗୀତା । ସେମିତି ଚାଳ ମଥାନରେ କଖାରୁ, ଲାଉ କି ଛତୁ ଫଳିଥଲେ ନିଶୁଣି ନ ପଡ଼ିଲେ କଣ ତୋଳି ହେଉଥିଲା ନା କଣ! ବୋଉ ଥିଲା ବେଳେ ନିଇତି ସକାଳୁ କନିଅର ଗଛରେ ନିଶୁଣି ଡେରି ଫୁଲ ତୋଳୁଥିଲା । ବେଲ, କଇଁଥ କି ପିଜୁଳି ତୋଳିବାକୁ ତମେ ଦି ଜଣ ଶନବାରିଆ ସକାଳ ସ୍କୁଲ ସାରି ଆସି ବାରି ପଟ ଗୁହାଳ ପାଖରେ ନିଶୁଣିଟାକୁ ଟେକି ଘୋଷାଡ଼ି ଆଣି ହାଜର ହୋଇ ଯାଉଥିଲ! କେତେ ଥର କୂଅ ମୂଳ କଦଳୀ ଗଛରେ ନୂଆ ଗଜୁରୁଥିବା କାନ୍ଧିରେ ଅଖା ବି ବାନ୍ଧିଛ ଏଇ ନିଶୁଣିରେ ଚଢ଼ି! ହନୁ ଉତ୍ପାତରୁ ରକ୍ଷା ପାଇବା ଲାଗି ବୋଉର ଏତକ ଫନ୍ଦି ଫିକର ଥିଲା, ବୁଝିଲ? ସେଇଥିଲାଗି ପୁରୁଣାଟାତ ଗଲା, ଯାଅ ଦୁହେଁ ନୂଆ ନିଶୁଣିଟିଏ ଆଣି ଆସିବ । ମଜବୁତିଆ କଂଚା ବାଉଁଶର ଦେଖିକି ଆଣିବ । ସେଥିରେ ମୁଁ ଚଢ଼ିଲେ ବି ଯେମିତି ଭାଙ୍ଗିବନି । ସମୁକୁ ଜ୍ୟେଷ୍ଠା ଭାଗ ଦେବାର ଅଛି ନା… ନିଶୁଣି ଆସୁ, ମୁଁ ଏଇଠି ଥିବି, ତମେ ଆଟୁରେ ଚଢ଼ି କଣ ଅଛି କଣ ନାଇଁ ଦେଖିବ, କହିବ ଯଦି ମୁଁ ଲେଖି ଦେଇ ସେଇଠି ଥୋଇଦେବି, ଜ୍ୟେଷ୍ଠା ଭାଗ ସମୁର… । ଏଥର ଖୁସି ତ!”
“ବାପା, ତମ ଦେହ ଭଲ ଅଛି ତ? ତମେ ଆଜି କଣ ଏମିତି ଗପୁଛ ଯେ!”- ବିରାଟ ଘାବରେଇଗଲା ଭଳି ପଚାରିଲା ।
“ନାଇଁ…ସେ କିଛି ନାଇଁ । ଆଜି ଜ୍ୟେଷ୍ଠା ଭାଗ କଥାଟା ନ ତୁଟାଇଲେ ମୁଁ ଭଲରେ ଶୋଇ ବି ପାରିବିନି ନିଦରେ । ତମେ ଦୁହେଁ ମିଶି ବାବୁ ଚାଚାଙ୍କ ଘରକୁ ଯାଅ, ନିଶୁଣିଟିଏ କାନ୍ଧେଇ ନେଇ ଆସ, ତା ପରେ ଯାଇ ଯୋଉ କଥା ।”
ବାପାଙ୍କ ମୁହଁରେ ପିଲାଦିନର ଅଭୁଲା ସ୍ମୃତି ସବୁ ଅଙ୍କୁରି ଉଠିବା କ୍ଷଣି କେମିତି ଗୋଟେ ପରସ୍ପରର ନିକଟତର ହେବା ପରି ମନେ କରୁଥାନ୍ତି ସମ୍ରାଟ ଓ ବିରାଟ । ବୋଉର ଅନୁପସ୍ଥିତିକୁ ଉପଲବ୍ଧି କରିି ମନ ଭିତରଟା ଆର୍ଦ୍ର ହୋଇ ଉଠୁଥାଏ ନିଜ ନିଜର ଅଜାଣତରେ । ବାପା ତ ଏଭଳି ଭାବ ପ୍ରବଣ ହୋଇ ଅତୀତକୁ ଉଖାରି ବସିବା କଥା କେହି କେବେ ଶୁଣି ନଥିଲେ! ବୋଉକୁ ଝୁରନ୍ତି କିନ୍ତୁ ମନ ଭିତରେ! ବାହାରକୁ ପ୍ରକାଶ କରିବାଟା ଏଇ ହୁଏତ ପ୍ରଥମ!
“ନିଶୁଣି ଆଣିବାକୁ ଯିବ ପରା? ଚାଲ ମୋ ସାଥିରେ!”- ହଠାତ ବାବୁ ଚାଚାଙ୍କ ସ୍ୱରରେ ସମ୍ରାଟ ଓ ବିରାଟ ଉଭୟ ଆତ୍ମ ସଚେତନ ହୋଇ ଠିଆ ହୋଇ ପଡ଼ିଲେ ନିଜ ନିଜ ବସିବା ଜାଗାରୁ ।
ଅପେକ୍ଷା ନକରି ବାବୁ ଚାଚା ଆସି ସମ୍ରାଟ ଓ ବିରାଟକୁ ସାଥିରେ ଧରି ଚାଲିବାକୁ ଲାଗିଲେ । ଅଶୀ ବର୍ଷ ବୟସରେ ବିିିି ଭାରି ଚଳ ଚଂଚଳ ଲାଗୁଥାନ୍ତି ବାବୁ ଚାଚା । ମୋଟା କାଚର ଚଷମାଟିଏ ଯାହା ଆଖିରେ ଥାଏ, ସେତିକି । ହାତରେ ବାଡ଼ିର ସାହାରା ନାହିଁ । ସିଧା ଚାଲୁଥାନ୍ତି ସଳଖ ହୋଇ । ସ୍ମୃତି ଶକ୍ତି ବି ସତେଜ ଥାଏ । ବେଶ ସୁସ୍ଥ ଓ ସମର୍ଥ ଦିଶୁଥାନ୍ତି ଏ ବୟସରେ ବି! ବାବୁ ଚାଚା ଗାଁଆ ଯାକରେ ସମସ୍ତଙ୍କର ଅତି ପ୍ରିୟର ଚାଚା । ସମସ୍ତେ ତାଙ୍କୁ ସମ୍ମାନ କରନ୍ତି, ଭଲ ପାଆନ୍ତି ।
ପରିବେଶକୁ ଟିକେ ସହଜ କରି ଦେବା ଲାଗି ବାବୁ ଚାଚା ହସି ହସି କହିଲେ,
-“ଆଚ୍ଛା, ନିଶୁଣି ତମେ ଦୁହେଁ ତ ଦେଖିଥିବ, କିନ୍ତୁ ଚିହ୍ନିଛ? ”
-“ହଁ”
-“କହିଲ ଦେଖି ନିଶୁଣି ଆଉ କୋକେଇ ଭିତରେ କଣ ଫରକ? ”
ମୁଣ୍ଡ ଗୋଲ ହୋଇ ଗଲା ଦୁହିଁଙ୍କର । କିଛି ସମୟ ଭାବି ହେଲେ ଦୁହେଁ, କିନ୍ତୁ କିଛି କହି ପାରିଲେନି ।
ଅଳ୍ପ ହସି ବାବୁ ଚାଚା କହିଲେ, ନିଶୁଣି ଥାଏ ତିନି ଗୋଡ଼ିଆ, ପାଂଚ ଗୋଡ଼ିଆ ନହେଲେ ସାତ ଗୋଡ଼ିଆ । ବୁଝିଲ? କିନ୍ତୁ କୋକେଇଟା ଆମର ଚାରି ଗୋଡ଼ିଆ ନହେଲେ ଛଅ ଗୋଡ଼ିଆ । ଆଚ୍ଛା, ସେସବୁ ଛାଡ଼… ଖୋଲି କହିଲ, ତମେ ଦୁହେଁ କଣ ଚାହୁଁଛ? ବିଭାଜନ? ବାପ ଜେଜ କଷ୍ଟ ଅର୍ଜିତ ସମ୍ପତ୍ତିର ବିଭାଜନ? ବିଭାଜନ କଣ ଏକ ମାତ୍ର ସମାଧାନ? ଟାଙ୍ଗିଆ କଟୁରୀରେ କଣ କୌଣସି କଥାର ସମାଧାନ ହୁଏ? ରକ୍ତରେ ହୋଲି ଖେଳିଲେ, ଗାଁଆ ଦାଣ୍ଡରେ ଘର କଳିକୁ ନେଇ ହାଟ ବସେଇଲେ କଣ ଇତିହାସରେ ନାମ ଲିପିବଦ୍ଧ ହୋଇ ରହେ? ପରସ୍ପରକୁ ଦୋଷାରୋପ କରି ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କଲେ କଣ ନୂଆ ବାଟ ଫିଟିଯାଏ ତୁମ ଅହଂର ସୁଡ଼ଙ୍ଗ ଭିତରକୁ? ଖୋଲିଯାଏ କଣ ଆପୋଷ ମିଳାମିଶାର ସବୁ କବାଟ?”
ବାବୁ ଚାଚାଙ୍କ ଏଭଳି ପ୍ରଶ୍ନବାଣରେ ଦୁହେଁ ଆଶ୍ଚର୍ଯ୍ୟ ଆଖିରେ ଚାହିଁଲେ ପରସ୍ପରକୁ ଘଡ଼ିଏ । ବୈକୁଣ୍ଠ ମାଷ୍ଟ୍ରେ ନିଜେ ଆସି ବାବୁ ଚାଚାଙ୍କୁ ସବୁ କଥା କହି ଯାଇଛନ୍ତି ବୋଲି କାହାକୁ କିଛି ଜଣା ନଥାଏ ।
– “ବୁଝିଲ, ମୁଁ ସ୍ୱୟଂ ଭୋଗିଛି ପୃଥିବୀର ସବୁଠୁ ବଡ଼ ବିଭାଜନର ଅସରନ୍ତି ଦୁଃଖ । ହଠାତ ଦିନେ ରାତି ପାହିଲା ବେଳକୁ ବଦଳି ଯାଇଛି ମୋର ଠିକଣା ଓ ପିଢ଼ି ପିଢ଼ିର ପରିଚୟ । ସମୂଳେ ଧ୍ୱଂସ ପାଇଛି ମୋ ପୈତୃକ ଭିଟାମାଟି… ଅନ୍ତୁଡ଼ି ଶାଳ, ଠାକୁର ଘର, ଫୁଲ ବଗିଚା, ପଢ଼ିବା ଘର, କଇଁ ଚୁଆ, ବାବନା ବାଡ଼ି, ଢିଙ୍କି ଶାଳ, ଗୁହାଳ…ସବୁ କିଛି…ସବୁ କିଛି… । ତମେମାନେ ଜୀବନ ଦେଖିଛ, ମୃତ୍ୟୁକୁ ନୁହେଁ । ତେଣୁ ତ ପରସ୍ପରକୁ ମୃତ୍ୟୁ ଉପହାର ଦେବାକୁ ଏତେ ବ୍ୟଗ୍ର, ତାହା ପୁଣି ସାମାନ୍ୟ ଭୌତିକ ବସ୍ତୁ କେତୋଟି ଲାଗି ଯାହାକୁ ଛାଡ଼ି ତୁମକୁ ଦିନେ ଯିବାକୁ ହିଁ ହେବ! ଘର ବାଡ଼ି ଭାଗ କରି ଭୋଗ କରିବ! ମୃତ୍ୟୁ ଦେଇ ଜୀବନ ଜିଇଁବ! ଛିଃ…!!”- ବାବୁ ଚାଚାଙ୍କ ସ୍ୱରରେ ଥିଲା ଭରପୂର ତାଚ୍ଛଲ୍ୟର ପରିଭାଷା ।
ବାବୁ ଚାଚାଙ୍କ ଶେଷ ଦୁଇ ପଦ କଥା ଖୁବ ବାଧିଲା ସମ୍ରାଟକୁ । ବିରାଟ ତଳକୁ ଅନାଇ ମାଟିରେ ଗାର କାଟୁଥାଏ । କିନ୍ତୁ ଚଳଚିତ୍ରଟିଏ ପରି ଭାସି ଆସୁଥିଲା ସକାଳର ସବୁ ଦୃଶ୍ୟରାଜି ସମ୍ରାଟ ମନର ଆଖି ଆଗରେ ।
ସେ କଟୁରୀଟିକୁ ପଜେଇ ପଜେଇ କହୁଥାଏ,
“ଦେଢ଼ ମାସ ହେଲା ଏ ଘରେ ଗୋଟେ ପାଲା ଲାଗିଛି! କଣ ନା ଇଟା. ସିମେଂଟ ନୁହେଁ ରକ୍ତ, ମାଂସରେ ଏ ଘର ଗଢ଼ା ହୋଇଛି! ଏ ଘରକୁ ଦି ଫାଳ କରିବା ଆଗରୁ ପାରିବ ଯଦି ଆଗ ମତେ ଦୁଇ ଫାଳ କରିଦିଅ, ମୋ ଛାତି ଉପରେ ଇଟା ଆଉ ସିମେଂଟର ପାଚେରୀ ତୋଳି ଦିଅ, ସେଇ ହେବ ମୋ ବାପ ପଣିଆର ସବୁଠୁ ବଡ଼ ପୁରସ୍କାର! ପୁରସ୍କାର ନା ଚୋପା! ଜାଣିନ କି ପୂର୍ବ ପୁରୁଷରୁ ରହି ଆସିଛି, ଯେତେ ଭାଇ ସେତେ ଘର, ଯେତେ କନିଆଁ ସେତେ ବର । ତମେ କଣ ଆଉ ଗୋଟେ ନୂଆ ବହି ଲେଖିବ? କାନ ଖୋଲି ଶୁଣ ବାପା, ଆଜି ସଂଧ୍ୟା ଭିତରେ ଏ ଘର ଦି ଫାଳ ନ ହେଲା ଯଦି ଲୋକେ ଦେଖିବେ, ଆମ ଦାଣ୍ଡରେ ମୁଣ୍ଡ ଗଡ଼ିବ ହିଁ ଗଡ଼ିବ! ସ୍ୱୟଂ ବ୍ରହ୍ମା ଆସିଲେ ବି ଅଟକେଇ ପାରିବେନି ଆଜି! ମୋ କଥା ଯାହା, କାମ ସେଇଆ…ବୁଝିଲ?”
ଏଣେ ବିରାଟ ଦାଆଟିଏ ଅଂଟାରେ ଖୋସି ପାଟି କରୁଥାଏ ବାରି ଆଡ଼ ପିଜୁଳି ଗଛ ମୂଳେ ଠିଆ ହୋଇ । ସାଇ ପଡ଼ିଶା ଗୁଣୁ ଗୁଣୁ ହୋଇ କହୁଥାନ୍ତି, କି କଳି କାଳ ଏ ଘୋଟିଲା ଲୋ ମାଆ! ବୈକୁଣ୍ଠ ମାଷ୍ଟ୍ରେଙ୍କ ଘରେ ପୁଣି ଏଭଳି କାଣ୍ଡ! ଲୋକ ଏଠି ସେଠି ଠିଆ ହୋଇ କାନେଇଥାନ୍ତି ।
“ହା…ରେ…ହିସାବରେ କେତେ ଦିନ ବଡ଼ ହୋଇଗଲା ବୋଲି ଇନ୍ଦ୍ର ଚନ୍ଦ୍ର ମାନୁନି । ତୁ ଯେମିତି ବାପର ପୁଅ, ମୁଁ ବି ସେମିତି ବାପର ପୁଅ, ବୁଝିଲୁ? ସୂତାଏ ଅଧିକା ନେଇ ପାରିବୁନି । ଘର, ବାଡ଼ି, ଜମିଜମା ଠୁ ଆରମ୍ଭ କରି ହଣ୍ଡା, ହାଣ୍ଡି, କୁଲା, ବାଉଁସିଆ, ଛାଂଚୁଣି…ଠାକୁର ଘର ଓଗେର…ସବୁଠୁ ସବୁ ଭାଗ ହେବ । ମାଆ ସିନା ମଲା, ବାପ ତ ଅଛି! ତାକୁ ତୁ ମାସେ ପୋଷିଲେ, ମୁଁ ମାସେ ପୋଷିବି । ଦେହ, ପା, ଓଷଦ, ପତର ସବୁ ଖର୍ଚ୍ଚ ମୋ ମାସକ ମୋର, ତୋ ମାସକ ତୋର ।”
-“ମାସ ମାସ ଧରି ମୃତ୍ୟୁକୁ ମୁଁ ଦେଖିଛି ମୋ ଚାରିପଟେ ପଇଁତରା ମାରୁଥିବାର! ଦେଶ ବିଭାଜନର ମୁଁ ହେଉଛି ପ୍ରତ୍ୟକ୍ଷଦର୍ଶୀ । ବିଭାଜନକୁ ମୁଁ ଭୋଗିଛି ହାଡେ଼ ହାଡେ଼, ଶିରାରେ ଶିରାରେ, ବୁଝିଲ?”
ବାବୁ ଚାଚାଙ୍କ କଥାରେ ସମ୍ରାଟର ଅନ୍ୟମନସ୍କ ମନଟା ବୁଲି ବୁଲି ପୁଣି ଫେରି ଆସିଲା ବର୍ତ୍ତମାନକୁ । ପଚାରିଲା,
-“ଏଁ…ମାନେ!”
ଅଳ୍ପ କିଛି କ୍ଷଣର ନୀରବତା ପରେ ବାବୁ ଚାଚା ପୁଣି କହିବା ଆରମ୍ଭ କଲେ,
“ମନେରଖ, ସେ ଦେଶ ହେଉ କି ରାଜ୍ୟ ହେଉ କି ଗାଁଆ ଅବା ଘର । ମୋ ମତରେ ବିଭାଜନ କଦାପି ସର୍ବଶେଷ ସମାଧାନ ନୁହେଁ । ଏକତା ହିଁ ଉନ୍ନତିର ମୂଳମନ୍ତ୍ର । ତମେ ଜାଣିଛ ଏଇ ବିଭାଜନ କେତେ ଜଣଙ୍କୁ ସର୍ବହରା କରିଦେଇଛି? କେତେ ଶିଶୁଙ୍କୁ ଅନାଥ ଆଉ କେତେ ମହିଳାଙ୍କୁ ବିଧବା କରି ଦେଇଛି? କେତେ ସ୍ୱପ୍ନର ଘରକୁ ଜାଳି ପୋଡ଼ି ପାଉଁଶ କରି ଦେଇଛି? କେତେ ଲଜ୍ଜା, ଲୁଣ୍ଠନ, ରାହାଜାନୀ ଓ ହତ୍ୟା ଭିଆଇଛି ଏ ବିଭାଜନ? ଜାଣିନ ନା…ଖାଲି ତମେ ନୁହେଁ । ଏ ହିସାବ ଆଜି କାହା ନିକଟରେ ନାହିଁ । ସ୍ୱୟଂ ଇତିହାସ ବି ଏତେ ବଡ଼ ଘଟଣାକୁ ନେଇ ସମ୍ପୂର୍ଣ୍ଣ ନୀରବ! କିଏ କହିବ ସେ ଲାଲ ସମୟର ରକ୍ତ ଭୋଜିର କଥା! କିଏ ରହିବ ସେ ଲାଲ ସ୍ମୃତିର ଜ୍ୱଳନ୍ତ ସାକ୍ଷୀ!”
ଦୁହେଁ ତଳକୁ ମୁହଁ ପୋତି ଶୁଣି ଚାଲିଥାନ୍ତି ନୀରବରେ । ୟା ଭିତରେ ତିନିହେଁ ପହଂଚି ସାରିଥାନ୍ତି ଏକ ବୃହତ ଅଟ୍ଟାଳିକା ସମ୍ମୁଖରେ । ତିନି ମହଲା କୋଠା, ପାଖାପାଖି ଶହେ କୋଠରୀ ହୁଏତ ହେବ! ବାବୁ ଚାଚାଙ୍କ ପଛେ ପଛେ ଦି ଭାଇ ବି ପ୍ରବେଶ କଲେ ଭିତରକୁ । ଆରେ ଏ କଣ! ଏତେ ବଡ଼ ଘର ଭିତରେ ଏତେ ଲୋକ ପୁଣିିିି ଗୋଟିଏ ଛାତ ତଳେ! ଦୁହେଁ ଆଶ୍ଚର୍ଯ୍ୟ ହୋଇ ପାଟିରେ ହାତ ଦେଲେ । ଭିତରେ ପାଖାପାଖି ସତୁରୀ ଅଶୀ ସଦସ୍ୟ! ସମସ୍ତେ ବେଶ ଶୃଙ୍ଖଳିତ! ଚାରିଆଡ଼ ସ୍ୱଚ୍ଛ ଓ ବ୍ୟବସ୍ଥିତ! ରୋଷେଇ ଚାଲିଥାଏ ବଡ଼ ବଡ଼ ହଣ୍ଡା ଓ କରେଇରେ । ମହିଳା ଲାଗିଥାନ୍ତି କୋଡ଼ିଏ କି ତିିରିଶି ଜଣ ଭିନ୍ନ ଭିନ୍ନ ବୟସର, ବିଭିନ୍ନ କାମରେ । ପନ୍ଦର କି କୋଡ଼ିଏ କିଶୋର ବୟସର ପିଲା ଖେଳୁଥାନ୍ତି ବାରି ପଟକୁ । କାନ୍ଥରେ ମରା ହୋଇଥାଏ ବିଭିନ୍ନ ଧର୍ମର ପ୍ରତୀକ ସବୁ । ବିଭିନ୍ନ ଧର୍ମ ଗ୍ରନ୍ଥ ସହ ଆରାଧ୍ୟଙ୍କ ଫଟୋ ବି କିଛି କୋଠରୀରେ ଭିନ୍ନ ଭିନ୍ନ ଥାଏ । ସଦସ୍ୟଙ୍କ ଭିତରୁ କେହି କେହି ପଞ୍ଜାବୀ, ହିନ୍ଦୀ ଓ ଓଡ଼ିଆରେ କଥା ହେଉଥାନ୍ତି! ଘରର ପୁରୁଷ ଲୋକେ ଗୋ ସେବା, ବାଉଁଶ କାମ, ସଫେଇ ଓ ବବିଚା କାମରେ ବ୍ୟସ୍ତ ରହିଥାନ୍ତି ।
ବିରାଟ ନିିିଜକୁ ଆଉ ଅଟକାଇ ନ ପାରି ପଚାରିଲା,
“ଏଠି କଣ ବିଭିନ୍ନ ଭାଷା ଆଉ ବିଭିନ୍ନ ଧର୍ମର ଲୋକ ରହନ୍ତି? ତା ମାନେ ଏଇଟା କଣ ଗୋଟେ ଧର୍ମଶାଳା କି ବାବୁ ଚାଚା?”
-“ଆରେ ନା, ନା…ଏଇଟା ଆମ ଘର ।”
-“ତମ ଘର? ”
-“ହଁ…ମୋ ଘରେ ଆମେ ଏବେ ଚାରି ପିଢ଼ିିର ଲୋକ ଏକାଠି ଗୋଟିଏ ଛାତ ତଳେ ରହୁଛୁ ।”
-“ ଏଁ… ”
-“ଏଇଟା ମୋ ମାଆଙ୍କର ଶେଷ ଇଚ୍ଛା ଥିଲା ।”
-“ ଶେଷ ଇଚ୍ଛା?”
-“ହଁ… ଶେଷ ଇଚ୍ଛା!”
ଖୁବ ଭାବପ୍ରବଣ ହୋଇ କହି ଚାଲିଲେ ବାବୁ ଚାଚା । ସମ୍ରାଟ ଓ ବିରାଟ କାନେଇଥାନ୍ତି ଅଳ୍ପ ଉତ୍ସାହର ସହ ।
“ଠିକ ତୁମ ଦୁହିଁଙ୍କ ପରି ସେଦିନ ବି ମୋ ବାପା ଓ ଦୁଇ ଦାଦାଙ୍କ ଭିତରେ ଲାଗିଥିଲା ଘମାଘୋଟ ଲଢେ଼ଇ ଘର ବାଡ଼ି ଭାଗବଂଟାକୁ ନେଇ । କେହି କାହା ମୁହଁ ଚାହିଁବା ଅବସ୍ଥାରେ ନଥାନ୍ତି । ଠେଙ୍ଗା ବାଡ଼ି, ଦାଆ, କଟୁରୀ ଧରି ପରସ୍ପରକୁ ଆକ୍ରମଣ କରିବାକୁ ସଭିଏଁ ଥିଲେ ପ୍ରସ୍ତୁତ! ଆମ ପାଇଖାନା ଘର କାନ୍ଥ ଅଧା ଉଠିଥାଏ । ମୁଲିଆ ମିସ୍ତ୍ରୀ ଅବାକ ହୋଇ କାମ ବନ୍ଦ କରି ହାତ ଗୋଡ଼ ଯୋଡ଼ି ଠିଆ ହୋଇଥାନ୍ତି । କାନ୍ଥ ଭାଙ୍ଗି ହାତେ ସେପଟକୁ ଗଢ଼ିବାକୁ ବଡ଼ ଦାଦା ଜିଦ ଧରି ବସିିଥାନ୍ତି! ସାନ ଦାଦା କହୁଥାନ୍ତି ବାରି ବେଲ ଆଉ କଇଁଥ ଗଛ ଦୁଇଟିକୁ ହାଣି ସେଠି ପାଇଖାନା ତିଆରି କରିବାକୁ । ମୋ ବାପା କିନ୍ତୁ ପୁରୁଣା ଗଛ ଦୁଇଟିକୁ ହାଣିବା ସପକ୍ଷରେ ନ ଥାନ୍ତି! ମୁଁ ସେଠି ଗୋଟେ ଖୁଂଟକୁ ଆଉଜି କାବା ହୋଇ ଠିଆ ହୋଇଥାଏ । ପାଟି ତୁଣ୍ଡ ଶୁଣି ମୋ ଗୋଡ଼ ହାତ ଏକ ରକମ ଥରୁଥାଏ । ହଠାତ ସାନ ଦାଦା ଠେଙ୍ଗାଟିଏରେ ମୋ ବାପାଙ୍କ ମୁଣ୍ଡକୁ ଜୋର କରି ପାହାରେ ଦେଲେ । ବାପା କାଉଲୁ ବାଉଲୁ ହୋଇ ନିକଟରେ ଫେଂଟା ହୋଇ ରହିଥିବା ବାଲି ଓ ସିମେଂଟ ଗଦା ଉପରେ ଛାଟି ହୋଇ ପଡ଼ିଗଲେ । ଅଚେତ ହୋଇଗଲେ ସେ ତତକ୍ଷଣାତ, ପାଣି ଦେଲେ ବି ପିଇବା ଅବସ୍ଥାରେ ନଥିଲେ । ରକ୍ତ ଜୁଡ଼ୁ ବୁଡ଼ୁ ଅବସ୍ଥାରେ ଆମେ ତାଙ୍କୁ ଡାକ୍ତରଖାନା ନେଲୁ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ ।”
କହିଲା ବେଳେ ବାବୁ ଚାଚାଙ୍କ କଣ୍ଠ ଥରି ଉଠୁଥିଲା, କିନ୍ତୁ କହି ଶୁଣାଇବାର ଆଗ୍ରହ ଥିଲା । ତେଣୁ ବିରାଟ ପଚାରିଲା,
-“ତା ପରେ?”
-“ତା ପରେ ଆଉ କଣ? ହଠାତ ମୋ ମୁଣ୍ଡ ଉପରୁ ଛାଇ ଯେମିତି ହଟିଗଲା! ମୋ କଅଁଳିଆ କାନ୍ଧ ଉପରେ ଦୁଲ କିନା କଚାଡ଼ି ହୋଇ ପଡ଼ିଲା ସଂସାରର ଓଜନିଆ ବୋଝ । ମୁଁ ସଳଖ ଚାଲିପାରୁନଥିଲି । ମୋ ମାଆ ଲୋଟି ଯାଉଥିଲା ତଳେ । ଅନ୍ଧାର ଦିଶୁଥିଲା ତାକୁ ଚାରି ଦିଗ । ଆମେ ବାଧ୍ୟ ହୋଇ ଚାଲି ଗଲୁ ଭିଟାମାଟି ଠାରୁ ଅନେକ ଦୂର, ପ୍ରାୟ ଶହେ ପଚାଶ କିଲୋମିଟର ହେବ । ରାତି ପାହିଲେ ମାଆର ଚିନ୍ତା ଥିଲା, ମୋ ସହ ପାଂଚ ପାଂଚଟା ନାବାଳକ ପିଲାଙ୍କୁ ସେ କେମିତି ମଣିଷ କରି ଠିଆ କରାଇବ? କାହାକୁ ସାହାରା କରି ବାଟ ଚାଲିବ? ବାଉଁଶ କାମ କରି ତାକୁ ଖରାତରାରେ ବୁଲି ବିକ୍ରୀବଟା କରି ପେଟ ପୋଷିବା କଣ ସହଜ କଥା? କଣ କରିବ? ତା ଆଖିରୁ ଲୁହ ଧାର ଦିନ ରାତି ଶୁଖୁ ନଥାଏ ଯେମିତି! ଆଉ ଶୁଣ! ମୁଁ ଆଜିିିି ବି ନିଶ୍ଚିତ, ଗୋଟେ ନିରୀହ ନାରୀର ଲୁହ ଓ ନିଃଶ୍ୱାସ, ଗୋଟେ ନିର୍ଦୋଷ ଆତ୍ମାର ବିଳାପ ହିଁ ଯଥେଷ୍ଟ ଗୋଟେ କାଳରାତ୍ରୀକୁ ଡାକି ଆଣିବା ଲାଗି! ଆଉ ବେଳ ଆସିଲା, ତାହା ହିଁ ହେଲା ।”
ସମ୍ରାଟ ଉଦବିଗ୍ନ ହୋଇ ପଚାରିଲା,
-“ମାନେ କଣ କାଳରାତ୍ରୀ ଆସିଲା ବାବୁ ଚାଚା?”
-“ହଁ, ଗୋଟେ କାଳ ରାତ୍ରୀ ଘୋଟି ଆସଲା । ଗୋଟେ ଦେଶ ଲାଗି, ଗୋଟେ ଜାତି ଲାଗି ତାହା ଥିଲା ଏକ କାଳ ରାତ୍ରୀ କହିଲେ ଭୁଲ ହେବ ନାହିଁ । ବାପା ଚାଲିଯିବା ପରେ ପରେ ହଠାତ ଦିନେ ଚାରିଆଡେ଼ ପ୍ରଚାର ହେଲା, ଆମ ମାଟି ମାଆ ଦୁଇ ଭାଗ ହୋଇଯାଇଛି । ଆମେ ଆଉ ଆମ ଜନ୍ମ ମାଟିରେ ନାହୁଁ! ଏ କି ବିଚିତ୍ର ସ୍ଥିତି! କାଲି ଯାହା ଆମର ଥିଲା, ଗୋଟାଏ ରାତି ଭିତରେ ତାହା ପାଲଟି ଗଲା ବିଦେଶ! ଆମ ମୁଣ୍ଡରେ ଚଡକ ପଡ଼ିଲା! ଶୁଣିବାକୁ ମିଳିଲା, କୋଉ ଗୋଟାଏ ବିଦେଶୀ ଓକିଲ କୁଆଡେ଼ ମଝିରେ ଗୋଟେ ଗାର ଟାଣିିି ଦେଇଛି! ଆମେ ରହିଗଲୁ ଗାର ଏପଟେ, ସେପଟେ ରହିଗଲା ଆମ ଗାଁଆ, ମାଟି, ଘର ଦ୍ୱାର, ବନ୍ଧୁ ପରିଜନ…ସମସ୍ତେ, ସବୁ କିଛି । କଣ କରିବୁ? ସେଠି ଗାଁଆ ସାରା ଦଙ୍ଗା ବ୍ୟାପିଲା । ମାଆ ତତ କ୍ଷଣାତ ଝପଟି ଯାଇ ତାର କିଛି ମୂଲ୍ୟବାନ ଅଳଙ୍କାର, ଅଳ୍ପ କିଛି ଟଙ୍କା ଆଉ ବ୍ୟାଙ୍କ ବହି ସହ ଅଧା ସେକିଥିଟା ରୁଟି କେତୋଟିକୁ ଗୋଟେ ବୁଜୁଳାରେ ବାନ୍ଧି ଆସିଲା । ରାତିସାରା ଆମେ ଘରଦ୍ୱାର ଛାଡ଼ି ଗୋଟେ କବରଖାନାରେ ଆଶ୍ରୟ ନେଲୁ । ଆମ ପରି ଅନେକ ସେଠି ଜୀବନ ବିକଳରେ ଆଗରୁ ଲୁଚି ରହିଥିଲେ । କେହିକେହି ଭଙ୍ଗା କବର ଭିତରେ ଆତ୍ମ ଗୋପନ କରିଥିବା ଦେଖି ଆମେ ଆଶ୍ଚର୍ଯ୍ୟ ହେଲୁ । ନିକଟସ୍ଥ ବଡ଼ ବଡ଼ ଗଛ ଡାଳରେ କିଛି ଲୋକ ଚଢ଼ି ରହିଥିଲେ । ଆମେ ଶୁଣୁଥାଉ କେତେ ଗାଁଆ ପୋଡ଼ିର ଖବର! କେତେ ପରିବାରକୁ ହତ୍ୟା କରାଯିବାର ଖବର! କେତେ ଝିଅ ବୋହୂ କୂଅକୁ ଡେଇଁ ଆତ୍ମ ହତ୍ୟା କରିବାର ଖବର! ଦେହ ଶୀତେଇ ଉଠୁଥାଏ! ଗୋଟିଏ ବୋଲି ଜୀବନ କେତେବେଳେ ଚାଲିଯିବ କାହାକୁ ଜଣା ନଥାଏ! ହେଲେ ଆମକୁ ଆମ ମାଆ ମାଟି ସତେ ଯେମିତି ବିକଳରେ ଡାକୁଥିଲା! ଆଖି ଆଗରେ ନାଚି ଉଠୁଥିଲା, ଆମ ଘର, କଣ୍ଡୁରୀ ପଡ଼ିଆ, ରଣ ଚୁଆ, ପୂର୍ବ ପୁରୁଷଙ୍କ ସମାଧି ସ୍ଥଳ…ଏମିତି କେତେ କଣ? କିନ୍ତୁ ସାହସ ପାଉ ନଥିଲା, ମନ ଭିତରେ ଜମାଟ ବାନ୍ଧି ରହିଥିଲା ପୁଣି କିଛି ଅଘଟଣ ଘଟିବାର ଅହେତୁକ ଆଶଙ୍କା । ତଥାପି ଆମେ ଷ୍ଟେସନ ଦିଗରେ ଅଗ୍ରସର ହେଲୁ କିଛି ଜଣଙ୍କୁ ଅନୁସରଣ କରି । ପୁଣି ଖବର ଆସିଲା, ଟ୍ରେନରେ ଚାଲିଛି ସେଭଳି ଲଜ୍ଜା, ଲୁଣ୍ଠନ, ରାହାଜାନୀ ଆଉ ହତ୍ୟା । ରେଳ ଧାରଣା ଉପରେ ବି ଲୋକ ଧାଉଁଛନ୍ତି ଖଣ୍ଡା, ଭୁଜାଲି ଧରି! ଗୁଳି ବି ଫୁଟୁଛି ତୁହାକୁ ତୁହା । ଭାଗ୍ୟକୁ ଆମେ ଖୁବ କଷ୍ଟରେ ଗାର ପାର ହୋଇ ଆସି କିଛି ଦିନ ଏକ ଧର୍ମପୀଠ ଓ ପରେ ଏକ ଶରଣାର୍ଥୀ ଶିବିରରେ ତମ୍ବୁ ତଳେ ଆଶ୍ରୟ ନେଲୁ । ସେଠି ଆମକୁ ମକାଗୁଣ୍ଡ ଓ ରୁଟି ସହ ରାତିରେ କିରାସିନି ଯୋଗାଇ ଦିଆଗଲା । କିଛି ଦିନ ରହିଲୁ। କିନ୍ତୁ ଅସ୍ୱାସ୍ଥ୍ୟକର ପରିବେଶ ଓ ଦୁଷିତ ଜଳ ହେତୁ ସେଠି ଧୀରେ ଧୀରେ ହଇଜା ବ୍ୟାପିବାକୁ ଲାଗିଲା । ରାତି ପାହିଲେ କେତେ କାହାର ମରଣ ଖବର ପଡ଼ିଲା କାନରେ । ଆମେ ସେ ସ୍ଥାନ ଛାଡ଼ି ଚାଲି ଆସିଲୁ ନିଜ ଗାଁଆ ଅଭିମୁଖେ । କିନ୍ତୁ ସେଠି ଥିଲା ଅବସ୍ଥା ବଳାବଳ । ଯାଇ ଦେଖିଲୁ ଆମ ପୈତୃକ ଘରକୁ ଦୁର୍ବୃତ୍ତମାନେ ଜାଳି ପୋଡ଼ି ଭସ୍ମ କରିଦେଇଛନ୍ତି । କାନ୍ଥ ସବୁ ଭଙ୍ଗା ହୋଇ ପଡ଼ିଛି । ଜିନିଷ ପତ୍ର କିଛି ନାଇଁ । ଦୁଇ ଜଣ ଅଜଣା ଲୋକ ସେ ଜାଗାକୁ କବ୍ଚା କରି ରଖିଛନ୍ତି । ଦୁଇ ଦାଦା ଓ ତାଙ୍କ ପରିବାର କୁଆଡେ଼ ଗଲେ କେଜାଣେ! କେହି କାହାକୁ ଖୋଜିବାର ପ୍ରଶ୍ନ ହିଁ ନଥିଲା । ପରେ ଭାଗ୍ୟ ବାଟ କଢେ଼ଇ ନେଲା ଆମକୁ ଆଉ ସେଠି ରହି ଅତୀତକୁ ଝୁରି ହେବା ଅପେକ୍ଷା ଅନ୍ୟତ୍ର ଚାଲି ଆସି ଆମର ବର୍ତ୍ତମାନକୁ ଗଢ଼ି ତୋଳିବାକୁ ଉଚିତ ମଣିଲୁ ।”
ଏଥର ବାବୁ ଚାଚା ଟିକେ ଅଟକି ଦୁଇ ଭାଇଙ୍କ ମୁହଁକୁ ଚାହିଁଲେ । ଏଭଳି ଏକ ଅକଳ୍ପନୀୟ କାହାଣୀ ଶୁଣି ସାରି ଦୁଇ ଭାଇଙ୍କ ମୁହଁ ଶେତା ପଡ଼ି ଯାଇଥାଏ ଠିକ ଚିପୁଡ଼ା କାଗିଜି ଲେମ୍ବୁ ଭଳି ।
“ଓଃ… କି ଦୁଃଖଦ ସ୍ମୃତି ସବୁ! ମୁଁ ତ ଶୁଣୁ ଶୁଣୁ ଅଲଗା ଏକ ରାଜ୍ୟକୁ ଚାଲି ଯାଇଥିଲି ବାବୁ ଚାଚା । ସେଇଠୁ କଣ ହେଲା ଆଗକୁ?”- ବିରାଟ କିଛି କ୍ଷଣ ଅଟକି ଭାବୁ ଭାବୁ ପଚାରିଲା ।
ବାବୁ ଚାଚା ପୁଣି କହିବା ଆରମ୍ଭ କଲେ ।
“ସେଇଠୁ ଚାଲି ଆସି ଏଠି ତମ ଗାଁଆରେ ଆମେ ମଶାଣି ନିକଟରେ ଏକ ଛୋଟ କୁଡ଼ିଆଟିଏ କରି ପ୍ରଥମେ ଆଶ୍ରୟ ନେଲୁ । ସମୟ କ୍ରମେ ପ୍ରାୟ ଚଉଦ ମାସ ପରେ ଏକ ରେଡ଼ିଓ ଘୋଷଣାରୁ ଖବର ପାଇ ବଡ଼ ଦାଦା ତାଙ୍କ ପରିବାର ଓ ସାନ ଦାଦାଙ୍କ ପରିବାର ସହ ଆମ ପାଖରେ ଆସି ପହଂଚିଲେ । ମାଆଙ୍କ ଗୋଡ଼ ହାତ ଧରି କନ୍ଦା କଟା କଲେ, ଭୁଲ କାଇଲି ମାଗିଲେ । ତାଙ୍କଠୁ ଶୁଣିଲୁ ସାନ ଦାଦା ଜମିଦାରଙ୍କ ଗୁମାସ୍ତା ହୋଇ ଆଉ ନାହାନ୍ତି! ତାଙ୍କୁ ସେଇ ଦଙ୍ଗା ବେଳେ କେହି ରେଳ ଧାରଣାରେ ଭୁଜାଲିରେ ହାଣି କାଟି ଫୋପାଡ଼ି ଦେଇଥିଲା! ବଡ଼ ଦାଦାଙ୍କ ମଝିଆଁ ସାମ୍ବାଦିକ ପୁଅ ବି ସେଇ ଦଙ୍ଗାରେ ପ୍ରାଣ ହରାଇଥିବା କଥା ଶୁଣି ହତବାକ ହେଲୁ । ତା ପରଠୁ ମାଆ ଆମ ସମସ୍ତଙ୍କୁ ଶିିଖେଇ ଚାଲିଲେ ବସୁଧୈବ କୁଟୁମ୍ବକମର ମନ୍ତ୍ର! ଏକତାର ରଜ୍ଜୁରେ ବାନ୍ଧି ଚାଲିଲେ ଆମକୁ! ପାଦେ ପାଦେ ସଂହତି ଓ ଏକତ୍ୱବୋଧ ହୋଇଗଲା ଆମ ଜୀବନର ମୂଳଧନ! ସେଇ ଦିନଠୁ ଆମେ ଭାଇ, ଭଉଣୀ ସାରା ଜୀବନ ଏକାଠି ଗୋଟିଏ ଛାତ ତଳେ ରହିବାର ନିଷ୍ପତ୍ତି ନେଲୁ । ମୋ ବାପା ଆଜି ବଂଚିଥିଲେ ଆମ ସମସ୍ତଙ୍କୁ ଗୋଟିଏ ଛାତ ତଳେ ପାଇ କେତେ ଖୁସି ହୋଇଥାନ୍ତେ ସତରେ! ମୋ ବାପା ଏମିତି ଅକାଳରେ…!”
ଆଉ ବାବୁ ଚାଚାଙ୍କ ଆଖି ଛଳ ଛଳ ହୋଇଗଲା ଗୋଟେ ଦୀର୍ଘ ନିଃଶ୍ୱାସ ପକାଇ କିଛି କ୍ଷଣ ନୀରବ ରହିଲେ । ଆକାଶକୁ ଅନାଇ କେମିତି ଗୋଟେ ଅନ୍ୟ ମନସ୍କ ହୋଇ ଗଲେ । ବିଷଣ୍ଣ ଦିଶିଲା ଆଖି ଦୁଇଟି! ସ୍ୱର ଥରି ଉଠୁଥିଲା ନିଜର ଅଜାଣତରେ!
ବାପା ଓ ମାଆଙ୍କ ପ୍ରତି ଗୋଟେ ପୁଅର ଏଭଳି ଗଭୀର ଅନୁରକ୍ତି ଦେଖି ମନେ ମନେ ଖୁବ ଲଜ୍ଜିତ ମନେ କରୁଥିଲା ସମ୍ରାଟ । ମନେ ପଡ଼ି ଯାଉଥିଲା ବାପାଙ୍କର ସକାଳର ଭାବପ୍ରବଣ ଧାଡ଼ି ସବୁ! ବାପା ବି ତ କେତେ ଥର କହିବା ସେ ଶୁଣିଛି, ଜାନ ଯାଉ ପଛେ ମାନ ଥାଉ ।
-“ବାପାଙ୍କୁ କ୍ଷମା ମାଗିବାକୁ ହେବ! ବାପାଙ୍କୁ କ୍ଷମା ମାଗିବାକୁ ହେବ! ବାପା, ବାପା…! ”- ଏଭଳି କହି ସମ୍ରାଟ ବସିବା ଜାଗାରୁ ଉଠି ଠିଆ ହେଲା ଅଚାନକ ।
-“ବାପାକୁ ଡାକୁଛୁ? ମାନେ ବୈକୁଣ୍ଠକୁ? ଆଜି ସକାଳେ ବୈକୁଣ୍ଠ ମତେ ଡାକିବାକୁ ଆସିଥିଲା ଆମ ଘରକୁ, କଣ କହିଲା ଜାଣିଛୁ? ”
ଏଥର କହିବା ବେଳେ ବାବୁ ଚାଚାଙ୍କ ସ୍ୱର ଶୁଭିଲା ଆହୁରି ଅଧିକରୁ ଅଧିକ ଗୁରୁ ଗମ୍ଭୀର । ସେ ମାଟିକୁ ଚାହିଁ କହୁଥାନ୍ତି କଥା । ଆକାଶକୁ ଚାହିଁ ମୁଣ୍ଡ ଉଠେଇ କଥା କହିବାକୁ ତାଙ୍କୁ ଯେମିତି କିଏ ଭିତରୁ ବାରଣ କରୁଥାଏ!
ବିରାଟ ଚକିତ ହୋଇ ଅନାଇ ରହିଲା ବାବୁ ଚାଚାଙ୍କ ମୁହଁକୁ! ସମ୍ରାଟ ମୁଣ୍ଡ ହଲାଇ ନାସ୍ତିବାଣୀ ଶୁଣାଇଲା ।
-“ ଜାଣିନ କେହି? ଆଜି ସକାଳେ ବୈକୁଣ୍ଠ ଆମ ଘରକୁ ଆସିଥିଲା ବେଳେ ତାର ମାନସିକ ସ୍ଥିତି ବିଲକୁଲ ବି ଭଲ ନଥିଲା । କଣ ସବୁ ବିଳି ବିଳେଇ ହେଉଥିଲା ମନକୁ ମନ । ଆଖି ଟଳମଳ ହେଉଥିଲା ଲୁହର ଢେଉରେ! କ୍ଷୋଭରେ କହିଲା, -ମୋର ସବୁ ସରିଗଲା ବାବୁ ଚାଚା, ମୁଁ ଏକବାର ନିଃସ୍ୱ ହେଇଗଲି । ସ୍ତ୍ରୀ ଆଗ ବାଟ କାଟି ଚାଲିଗଲା, ମୁଁ ଭାଙ୍ଗିି ପଡ଼ିଥିଲି ସତ କିନ୍ତୁ ଏମିତି ଭିତରେ ଭିତରେ ଦୁର୍ବଳ ଆଉ କାଙ୍ଗାଳ ହୋଇ ପଡ଼ିନଥିଲି! ହେଲେ ଆଜି ଏ କୁଳାଙ୍ଗାର ପୁଅ ଦି ଟା ମୋ ମେରୁଦଣ୍ଡଟାକୁ ଭାଙ୍ଗି ଦେଇଗଲେ, ବାବୁ ଚାଚା, ମୋର ବଂଚିବା ମରିବା ସବୁ ସମାନ କରିଦେଲେ!”
ମୁଁ ତାକୁ ଧୈର୍ଯ୍ୟ ଧରିବାକୁ କହିବା ମାତ୍ରେ ସେ ପୁଣି କହି ଉଠିଲା,
“କଣ ଧୈର୍ଯ୍ୟ ଧରିବି ବାବୁ ଚାଚା, ଆଉ କୋଉ ମାନ ସମ୍ମାନ ଅଛି ଯେ ତାକୁ ନେଇ ମୁଁ ମୁଣ୍ଡ ଟେକି ବାଟ ଚାଲିବି! ଦେଖୁନ ମୋ ମୁହଁରେ ଏମାନେ ଚୂନ କାଳି ମାରି ଦେଇଗଲେ, ଯେଉଁମାନଙ୍କୁ ନେଇ ଏତେ ଗର୍ବ କରୁଥିଲି, ସେମାନେ ମୋ ଇଜ୍ଜତ ଶାଗମାଛ ମୂଲରେ ବିକ୍ରୀ କରିଦେଲେ! ମୁଁ ଆଉ କୋଉ ମୁହଁରେ ବଂଚିବି ବାବୁ ଚାଚା, ମୁଁ ଆଉ କାହା ପାଇଁ ବଂଚିବି? ଛାଡ଼…ମୁଁ ତ ବୁଝେଇ ପାରିଲିନି… ଯାଉଛି, କିଛି ବାହାନା କରି ସେ ଦି ଟାଙ୍କୁ ତୁମ ନିକଟକୁ ପଠେଇ ଦେବି, ଯଦି ପାରିବ ତାଙ୍କୁ ଟିକିଏ ବୁଝେଇ ଦେବ, ବାସ ସେତିକି ମାଗୁଣି…ଯାଉଛି… ।”
“ଏଁ…? ଭାଇ ଚାଲ, ନିଶୁଣିିି ନେଇ ଜଲଦି ଚାଲ, ବାପା ସିଆଡେ଼ ଅପେକ୍ଷା କରିଥିବେ…ଆଟୁ ସଫା କରିବା ପରା…ବାପାଙ୍କ ଗୋଡ଼ ଧରି କ୍ଷମା ମାଗିନେବା…ବୁଝିଲୁ? ଆଜି ସକାଳେ ଆମେ ଯୋଉ କାଣ୍ଡ ଭିଆଇଲେ, ତାଙ୍କ ଆତ୍ମାକୁ ସେସବୁ ଖୁବ ବାଧିଛି…ଚାଲ ଜଲଦି ଚାଲ… ”- ବିରାଟ ଏତକ କହୁ କହୁ ସମ୍ରାଟ ପକେଟରୁ ଶହେ ଟଙ୍କାଟିିଏ ବାହାର କରି ଗୁଞ୍ଜି ଦେଲା ବାବୁ ଚାଚାଙ୍କ ହାତରେ ଆଉ ଗୋଟେ ମଜବୁତିଆ ପାଂଚ ଗୋଡ଼ିଆ ନିଶୁଣିଟିଏ କାନ୍ଧେଇ କାନ୍ଧେଇ ଦୁଇ ଭାଇ ଘର ମୁହାଁ ହେଲେ।
ଯାହା ଯୋଉଠି ଥିଲା, ସେଇଠି ସେମିତି ପଡ଼ିଛି । ଭଙ୍ଗା ନିଶୁଣି ତା ଜାଗାରେ, ଭଙ୍ଗା କଟୁରୀ ତା ଜାଗାରେ । କବାଟ ଠିଆ ମେଲା । ବାପା କୁଆଡେ଼ ଗଲେ? ବାପା, ବାପା ଡାକି ଦୁହେଁ ଦାଣ୍ଡଠୁ ବାରି ଯାଏଁ ଖେଦି ଗଲେ । କେହି ଶୁଣିଲେନି । ସମ୍ରାଟ କଣ କରିବ କିଛି ଜାଣି ନପାରି ଚଢ଼ି ଗଲା ଡଗଡଗ ହୋଇ ଆଟୁ ଉପରକୁ । ବିରାଟ ତଳେ ଠିଆ ହୋଇ ନିଶୁଣିରେ ହାତ ପକେଇଥାଏ । ଛନକା ପଶିଲା ପରି ଦୁହିଁଙ୍କର ମୁହଁ ଦେହରୁ ଝାଳ ଗମ ଗମ ନଗିଡ଼ି ପଡ଼ୁଥାଏ! କିଏ ଯେମିତି ହେମଦସ୍ତା ପୁଆରେ ଦୁମ ଦୁମ ପିଟି ଚାଲିଥାଏ ଦୁହିଁଙ୍କର ଛାତିକୁ କିନି!
-“ଏ କଣ? ବେତ ପେଟେରାଟା ଏତେ ହାଲୁକା ଲାଗୁଛି ଯେ!”
ସମ୍ରାଟ ଭାରି ଯତନରେ ତଳକୁ ଓହ୍ଲାଇ ଆଣିଲା । ଖୋଲି ଦେଖେ ତ ଚିଠିଟିଏ ଚଉତା ହୋଇ ଥୁଆ ହୋଇଛି ତା ଭିତରେ । ସଦ୍ୟ ଲେଖା ହେବା ପରି ଲାଗୁଥାଏ!
“ଆରେ! ଏ ତ ବାପାଙ୍କ ହାତ ଅକ୍ଷର!” ବିରାଟ କହିଲା ଆଶ୍ଚର୍ଯ୍ୟ ଓ ଆଶଙ୍କାର ସହିତ ।
ପଢ଼ିବା ଆରମ୍ଭ କଲା ସମ୍ରାଟ ।
…ସମୁରେ, ସେଦିନ ତୋ ବୋଉ ବଂଚିଥିଲା ବେଳେ ଠିକ କହୁଥିଲା… ପୂରା ଠିକ କହୁଥିଲା…କି ମାଷ୍ଟେ୍ର ହେଇଛ କିହୋ ତମେ! ଶହ ଶହ ପିଲାଙ୍କୁ ମଣିଷ କଲ ସିନା, ହେଲେ ମୋ ପିଲା ଦି ଟାଙ୍କୁ ଠିକ ପାଠ ପଢେ଼ଇ ପାରିଲନି! ବୁଝିଲ? ସମୟ ପାଇଲେ ପାଠ ନ ହେଲା ନାଇଁ, ସାଠ କେଇ ଧାଡ଼ି ଶିଖେଇ ଦେବ! ସେମାନେ ଯେମିତି ସାରା ଜୀବନ ବାଟରେ ରହିବେ, ଏକାଠି ରହିବେ! ମୁଁ ସେତିକିରେ ଖୁସି ହେବି!…ହେଲେ ମୁଁ ଚାଣ୍ଡାଳ ସେତେବେଳେ କାନକୁ ନେଇ ନଥିଲି…ସେଦିନ ସେ ଠିକ କହୁଥିଲା, ଅଥଚ ମୁଁ ଭୁଲ ବୁଝିଥିଲି ହୁଏତ! କିନ୍ତୁ ଆଜି ମୁଁ ସବୁ ବୁଝି ଯାଇଛିରେ ସମୁ, ଆଜି ମୁଁ ସବୁ ବୁଝି ଯାଇଛି । ମୁଁ ଆଜି ସେଇ ସାଠ ତତେ ଶିଖେଇ ଯାଉଛି । ତୋ ବୋଉର ଗହଣାକୁ ମୁଁ ଦାନ କରି ଦେଇଛି କାଳେଶ୍ୱର ମନ୍ଦିରର ହୁଣ୍ଡିରେ । ମୋ ପେନ୍ସନ ବହିର ସବୁ ପଇସା ଦେଇ ଦେଇଛି ଆରୋହଣ ଅନାଥ ଆଶ୍ରମକୁ । ଆପଣା ହାତ ଜଗନ୍ନାଥ, ବୁଝିଲୁ? ପରିଶ୍ରମର ଫଳ ଯୁଗେ ଯୁଗେ ଥୁଆ । ବିରୁକୁ ବି ବୁଝେଇ ଦେବୁ । ଯୋଉଠି ବି ଥାଅ, ଏକାଠି ରୁହ, ଖୁସିରେ ରୁହ । ଯାହା ହେଲେ ବି ଲୋକେ କହିିବେ ମୋ ପୁଅ ତ! ମୁଁ ସେତିକିରେ ଖୁସି ହେବି ।
ହଁ, ତୁ ବଡ଼ ବୋଲି ଜ୍ୟେଷ୍ଠା ଭାଗ ଚାହୁଁଥିଲୁ ନା! ପାରିବୁ ଯଦି ମୋ ମୁହଁରେ ନିଆଁ ଟିକିଏ ଦେଇ ଦେବୁ! ସେଇ ମୁଖାଗ୍ନି ହିଁ ତୋର ଜ୍ୟେଷ୍ଠା ଭାଗ । ରହୁଛି । ତୋର ହତଭାଗ୍ୟ ବାପା… ।
ଚିଠିଟି ପଢ଼ିସାରି ଭୋ ଭୋ ହୋଇ ପାଟି କରି କାନ୍ଦି ଉଠିଲା ସମ୍ରାଟ । ବାପା, ବାପା ବୋଲି ଚିକ୍ରାର କରି ପାଗଳଙ୍କ ପରି ଧାଇଁଗଲା ବାରି ଶେଷ ମୁଣ୍ଡ ଆଡ଼ିକି । ପଛେ ପଛେ ବିରାଟ ଧାଇଁଥାଏ କିଂକର୍ତ୍ତବ୍ୟବିମୂଢ଼ ହୋଇ । କଣ କରିବେ କିଛି ମୁଣ୍ଡରେ ପଶୁ ନଥାଏ । ଆରେ ଏ କଣ! ବୋଉର ସମାଧି ସେପଟେ ଯେ ବାପା ପାଚେରୀ ପାଖ ଆମ୍ବ ଗଛରେ ଝୁଲି ରହିଛନ୍ତି! ଓଃ…ଏ କି ଦୃଶ୍ୟ! କାଳ ବିଳମ୍ବ ନକରି ତଳକୁ ଓହ୍ଲାଇ ଆଣିଲେ ଦୁଇ ଭାଇ । ବିରାଟ କାନ ଫୁଙ୍କି ପାଣି ଛିଂଚି ସାଷ୍ଟାଙ୍ଗ କରିବାକୁ ଚେଷ୍ଟା କଲା । ସମ୍ରାଟ ନାଡ଼ି ଚିପି ଧରିଲା କିଛି ବେଳ । କାନ ପାଖରେ ବାପା, ବାପା ବୋଲି କାନ୍ଦି କାନ୍ଦି ରଡ଼ି କଲା ବିରାଟ । କିନ୍ତୁ ନାକରେ ହାତ ମାରି ଦେଖିଲା ବେଳକୁ କିଛି ନାହିଁ, ସବୁ ଶେଷ! ଜଣେ ସ୍ୱାଭିମାନୀ ବାପା ଅଭିମାନ କରି ବାଟ କାଟି ଚାଲିଯାଇଚନ୍ତି! ଜୀବନଠୁ ବି ଅଧିିକ ଭଲ ପାଉଥିବା ନିଜ ପୁଅମାନଙ୍କ ଉପରେ ଏ କି ପ୍ରକାର ପ୍ରତିଶୋଧ ନେଇଛନ୍ତି!
“ବାପା, ଶେଷକୁ ତମେ ଏଇଆ କଲ! ଆମକୁ ତଡ଼ି ତଡ଼ି ପଠେଇ ଥିଲ ନିଶୁଣି ପାଇଁ ନା କୋକେଇ ପାଇଁ? ପିଲା ଦିନୁ ଏତେ ଅଳି ଅର୍ଦ୍ଦଳି ସହିଥିଲ, ଆଉ ଗୋଟିଏ ସୁଯୋଗ ଦେଇ ପାରିଲନି ସୁଧୁରିବାକୁ?”- ଲୁହ ସିଂଘାଣି ଏକ କରି କାନ୍ଦି କାନ୍ଦି କହୁଥାଏ ବିରାଟ । ସମ୍ରାଟ କାନରେ ପ୍ରତିଧ୍ୱନିତ ହେଉଥାଏ ବାପାଙ୍କର ସେଇ ଶେଷ କେଇ ଧାଡ଼ି ।
“ନାଇଁ…ସେ କିଛି ନାଇଁ । ଆଜି ଜ୍ୟେଷ୍ଠା ଭାଗ କଥାଟା ନ ତୁଟାଇଲେ ମୁଁ ଭଲରେ ଶୋଇ ବି ପାରିବିନି ନିଦରେ । ତମେ ଦୁହେଁ ମିଶି ବାବୁ ଚାଚାଙ୍କ ଘରକୁ ଯାଅ, ନିଶୁଣିଟିଏ କାନ୍ଧେଇ ନେଇ ଆସ, ତା ପରେ ଯାଇ ଯୋଉ କଥା ।”
ନିଶୁଣିଟିକୁ କୋକେଇ କରି ବୈକୁଣ୍ଠ ମାଷ୍ଟ୍ରେଙ୍କୁ ବୋହି ନେବା ବେଳେ ଦୁଇ ପୁଅଙ୍କ ଛାତି ଯେମିତି ଫାଟି ଦୁଇ ଫାଳ ହୋଇ ଯାଉଥିଲା! ଆଉ ଦିନ ଆସିଲା ସେ ଖଣ୍ଡ ବିଖଣ୍ଡିତ ଛାତି ପରସ୍ପର ସହ ଏଭଳି ମିଶି ଏକ ହୋଇଗଲେ ଯେ ଲୋକେ ଉଦାହରଣ ଦେଇ କହିଲେ, ଦେଖ, ଭାଇ ହେବ ତ ଏମିତି, ବୈକୁଣ୍ଠ ମାଷ୍ଟ୍ରେଙ୍କ ପୁଅ ଦୁହିଁଙ୍କ ପରି!
………………
୧୦୬, ମହାନଦୀ ଆପାର୍ଟମେଂଟ,
ଗୋଠ ପାଟଣା, ପୋ- ମଳିପଡ଼ା, ଭୁବନେଶ୍ୱର-୭୫୧୦୨୯
ଦୂରଭାଷ-୯୪୩୮୩୬୧୩୧୫
Comments are closed.