କେନ୍ଦୁଝର:ତାଣ୍ଡବ ରଚିଲା କାଳବୈଶାଖୀ। ତିନି ଜଣଙ୍କ ମୃତ୍ୟୁ । କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ନରଣପୁରରେ ଅଭାବନୀୟ ଘଟଣା । କାଳବୈଶାଖୀର ପ୍ରବଳ ବର୍ଷା ପବନରେ ଟେଣ୍ଟ ଭୁଶୁଡ଼ିବାରୁ ଚାପି ହୋଇ ୩ଜଣଙ୍କ ମୃତ୍ୟୁ ହୋଇଛି । ଘରର ଛାତ ଉପରେ ଟେଣ୍ଟ ମାରି ଶୋଇଥିବା ବେଳେ ଭୁଶୁଡ଼ିପଡିଥିଲା । ଫଳରେ ତିନିଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ହୋଇ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି।
ଏହା ସହିତ ହରିଡାଗୋଠ ଠାରେ କାଳବୈଶାଖୀ ଯୋଗୁଁ ଏକ ଘର ଭାଙ୍ଗିଯାଇଛି । ଫଳରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ।
ସୂଚନାମୁତାବକ, ଗୁରୁବାର ଅପରାହ୍ନରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି । ଏହା ପ୍ରଭାବରେ ପ୍ରବଳ ପବନ ସାଙ୍ଗକୁ ବର୍ଷା ହୋଇଥିଲା । ନରଣପୁର ଠାରେ ଥିବା ଏକ ଟେଣ୍ଟ ହାଉସର ଲୁହା ସାମଗ୍ରୀ ଆଦି ଜିନିଷପତ୍ର ଘରର ଭାଡାରେ ଥୁଆ ହୋଇଥିଲା । ତା ତଳେ ୪ ଜଣ ଯୁବକ ଶୋଇଥିଲେ । ଏହି ସମୟରେ କାଳବୈଶାଖୀରେ ଭାଡାଟି ଭାଙ୍ଗି ଯାଇଥିଲା । ଫଳରେ ତଳେ ଶୋଇଥିବା ୪ ଜଣଙ୍କ ମଧ୍ୟରୁ ତିନି ଜଣଙ୍କ ମୃତ୍ୟୁ ହୋଇଛି ।
ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ । ମୃତଦେହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇଛି ପୋଲିସ । ଏହାସହ ଗୁରୁତରଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏଥିସହ ତହସିଲଦାର ପହଞ୍ଚି ତଦନ୍ତ କରିଛନ୍ତି ।
ଅନ୍ୟପଟେ କାଳବୈଶାଖୀରେ ୩ ଜଣଙ୍କ ମୃତ୍ୟୁ ସମ୍ପର୍କରେ ଜାଣି ଗଭୀର ଶୋକ ପ୍ରକାଶ ସହ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF)ରୁ ୪ ଲକ୍ଷ ଲେଖାଏଁ ସହାୟତା ନିର୍ଦ୍ଦେଶ ଦେଇଛନ୍ତି ।