ବାରିପଦା:ଏକ କଳାବାଘକୁ ଶିକାର କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ଶିମିଳିପାଳ ଖୁଣ୍ଟା ଥାନା ବାସିପିଠା ଅଞ୍ଚଳରେ ବାଘ ଛାଲ ବିକ୍ରି ଉଦ୍ୟମ ବେଳେ ବିଶ୍ବସ୍ତ ସୂତ୍ରରରୁ ଖବର ପାଇ ବନ ବିଭାଗ ଚଢାଉ କରିଥିଲା । ଘଟଣାସ୍ଥଳରୁ ମେଲାନିଷ୍ଟିକ ପ୍ରଜାତିର ବାଘ ଛାଲ ଜବତ ସହ ୩ ଅଭିଯୁକ୍ତ ଗିରଫ ହୋଇଛନ୍ତି । ବାଘର ବୟସ ପ୍ରାୟ ଦୁଇ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।
ଗୁରୁବାର ଅପରାହ୍ନରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପକ୍ଷେତ୍ର ନିର୍ଦ୍ଦେଶକ(ଦକ୍ଷିଣ) ସୁମିତ କର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।
ଗିରଫ ଅଭିଯୁକ୍ତମାନେ ହେଲେ ଖୁଣ୍ଟା ଥାନା ଅନ୍ତର୍ଗତ କୁସୁମଘାଟି ଗ୍ରାମର ଗଙ୍ଗାଧର ମୁର୍ମୁ (୬୨), କୁଳିଅଣା ଥାନା ଅନ୍ତର୍ଗତ କାଠରୁମା ଗ୍ରାମର ରାମଦାସ ହେମ୍ବ୍ରମ (୪୦), ବାଙ୍ଗରିପୋଷି ଥାନା ଅନ୍ତର୍ଗତ ଯୋକା ଗ୍ରାମର ଭିମ ବାସ୍କେ (୪୦) । ସେମାନଙ୍କ ଠାରୁ ୩ଟି ବାଇକ, ୨ଟି ମୋବାଇଲ ଫୋନ ଜବତ କରାଯାଇଛି।
ଶିମିଳିପାଳ ଦକ୍ଷିଣ ଡିଭିଜନ୍ ର ଉପ-କ୍ଷେତ୍ର ନିର୍ଦ୍ଦେଶକ ସୁମିତ୍ କରଙ୍କ ସୂଚନା ଅନୁଯାୟୀ ବୁଧବାର ଖୁଣ୍ଟା ଥାନା ଅଧୀନ ବାସିପିଠା ଅଞ୍ଚଳରେ ବାଘ ଚମଡ଼ା ବିକ୍ରି ପାଇଁ ଡିଲ୍ ଚାଲିଥିଲା । ଏହି ସମୟରେ ଶିମିଳିପାଳ ଦକ୍ଷିଣ ଡିଭିଜନ୍ ର ଏନଫୋର୍ସମେଣ୍ଟ ଟିମ୍ ଚଢାଉ କରଥିଲା। ସେମାନଙ୍କ ନିକଟରୁ ଏକ କଳା ବାଘ ଛୁଆର ଚମଡା ଜବତ ହୋଇଥିଲା। ପରୀକ୍ଷାଗାରକୁ ଚମଡାର ନମୁନା ପଠାଯାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଓ ସବିଶେଷ ତଥ୍ୟ ମିଳିପାରିବ ।
ସୂଚନାଥାଉକି, ଏହା ତୃତୀୟ କଳାବାଘ ଶିକାର ଘଟଣା ବୋଲି ଜଣାପଡିଛି । ବିଶ୍ବର ଶିମିଳିପାଳରେ ହିଁ କେବଳ ମେଲାନିଷ୍ଟିକ ପ୍ରଜାତିର ଏହି କଳାବାଘ ଦେଖା ଯାଇଥାଏ । ପୂର୍ବ ଗଣନା ଅନୁସାରେ ଶିମିଳିପାଳ ଅଭୟାରଣ୍ୟରେ ୧୪ଟି କଳାବାଘ ଥିଲେ ।