ଧର୍ମଗଡ : କଳାହାଣ୍ଡି ଧର୍ମଗଡରେ ସଶସ୍ତ୍ର ଡକାୟତି । ଘର ଆଲମିରା ଭାଙ୍ଗି ଡକାୟତମାନେ ଲୁଟିଛନ୍ତି ୨୫ ଭରି ସୁନା ଅଳଙ୍କାର । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ଥାନା ଓଲମା ଗାଁରେ । ଗତକାଲି ବିଳମ୍ବିତ ରାତିରେ ଦୁର୍ବୁତ୍ତମାନେ ଧନଞ୍ଜୟ ସାହୁଙ୍କ ଘରେ ପଶିବା ପରେ ପରିବାର ଲୋକଙ୍କୁ ଗୋଟିଏ ଘରେ ବନ୍ଦ କରିଦେଇଥିଲେ । ପରେ ଘରେ ଥିବା ବହୁ ମୂଲ୍ୟବାନ ଜିନିଷ ଓ ପ୍ରାୟ ୨୫ ଭରି ସୁନା ଅଳଙ୍କାର ଲୁଟି ନେଇଥିଲେ ।
ସମସ୍ତ ଡକାୟତ ଚୋରି କରିସାରି ଘରର ପାଚେରୀ ଡେଇଁ ଫେରାର ହୋଇଯାଇଛନ୍ତି । ହେଲେ ଜଣେ ଡକାୟତ ପାଚେରୀ ଡେଇଁ ଖସିଯିବାକୁ ଉଦ୍ୟମ କରିବା ବେଳେ ପାଚେରୀରୁ ପଡି ଗୋଡ ଭାଙ୍ଗିଯାଇଛି । ଫଳରେ ସେ ଆଉ ଆଗକୁ ନଯାଇପାରି ଘର ପାଖରେ ଥିବା ଚାଷ ଜମିରେ ପଡି ରହିଥିଲା । ପରେ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ପୋଲିସର ଜିମା ଦେଇଛନ୍ତି । କୋକସରା ପୋଲିସ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ।
Comments are closed.