Latest Odisha News

BREAKING NEWS

କାଳିଆ ଯୋଜନା: ହିତାଧିକାରଙ୍କୁ ସହାୟତା ରାଶି ପ୍ରେରଣ

ଜାନୁଆରୀ ମାସ ପ୍ରଥମାର୍ଦ୍ଧରେ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ପ୍ରଥମ ପର୍ଯ୍ୟାୟ ହିତାଧିକାରୀ ଚିଠା ତାଲିକାରେ ପ୍ରାୟ ୨୨ ଲକ୍ଷ ୮୦ ହଜାର କ୍ଷୁଦ୍ର ଓ ନାମ ମାତ୍ର ଚାଷୀଙ୍କର ନାମ ସମସ୍ତଙ୍କ ଅବଗତି ନିମନ୍ତେ ପ୍ରକାଶ କରାଯାଇଥିଲା  । ଉପଲବ୍ଧ ତଥ୍ୟ ଅନୁସାରେ ୫୭ ହଜାର ୬୧୪ ଜଣ ଭାଗ ଚାଷିଙ୍କୁ ମିଶାଇ ମୋଟ ୧୩ ଲକ୍ଷ ୩ ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀ ଯୋଗ୍ୟ ବିବେଚିତ ହୋଇଥିଲେ । ରବିଋତୁରେ କୃଷିକାର୍ଯ୍ୟ ସଠିକ୍ରୂପେ ସଂପାଦନ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ୫୦୦୦ ଟଙ୍କାର ସହାୟତା ରାଶି ତାଙ୍କର ବ୍ୟାଙ୍କ୍ ଜମା ଖାତାକୁ ଡି.ବି.ଟି. ମାଧ୍ୟମରେ ପ୍ରେରଣ କରାଯାଇଥିଲା । ଅବଶିଷ୍ଟ ୯ ଲକ୍ଷକ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କର ନାମ ଦ୍ୱିତୀୟ ପର୍ଯ୍ୟାୟ ଅସଂପୂର୍ଣ୍ଣ ଭାଗ ତାଲିକାରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରକାଶ କରାଯାଇଛି । ଏତଦ୍ ବ୍ୟତୀତ ୬୫ ଲକ୍ଷ ଚାଷୀ ସବୁଜ ଫର୍ମ ପୁରଣ କରି ଯୋଜନାରେ ସାମିଲ ହେବାକୁ ଆବେଦନ କରିଛନ୍ତି ।

୭ ଲକ୍ଷ ୪ ହଜାର ହିତାଧିକାରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ପରୀକ୍ଷା ମୂଳକ ସ୍ୱରୂପ ଡି.ବି.ଟି. ମାଧ୍ୟମରେ ୧ ଟଙ୍କା ଲେଖାଏଁ ପ୍ରେରଣ କରାଯାଇଥିଲା ଯାହାକି ଏକ କାଳୀନ ବହୁସଂଖ୍ୟକ ଚାଷୀଙ୍କୁ ଟଙ୍କା ପଠାଇବାର ବ୍ୟବସ୍ଥା ଏହି ଇଲେକ୍ଟ୍ରୋନିକ୍ସ ଡି.ବି.ଟି. ପଦ୍ଧତି ଯୋଗୁଁ ସମ୍ବବ ହୋଇଥିଲା । ଏହି ପ୍ରକ୍ରିୟା ଦ୍ୱାରା ବହୁ ସମସ୍ୟାର ସମାଧାନ କରାଯାଇ ୧୩ ଲକ୍ଷ ୩ ହଜାର ହିତାଧିକାରୀଙ୍କୁ କାଳିଆ ଯୋଜନାର ୫୦୦୦ ଟଙ୍କାର ସହାୟତାରାଶି ପ୍ରେରଣ କରାଯାଇ ପାରିଥିଲା । ଏହାଦ୍ୱାରା ମାତ୍ର ଶତକଡ଼ା ୨ ଭାଗରୁ ବି କମ୍ ତୃଟି ପରିଲକ୍ଷିତ ହୋଇଥିଲା । ଏହି ଅର୍ଥ ପ୍ରେରଣ ବ୍ୟବସ୍ଥାର ଉନ୍ନତି ପାଇଁ କୃଷି ବିଭାଗ ବ୍ୟାଙ୍କ୍ ମାନଙ୍କ ସହିତ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ।

ଆଜି ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ରାଜ୍ୟ ସ୍ତରୀୟ ବ୍ୟାଙ୍କ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ, ଅର୍ଥ ବିଭାଗର କମିଶନର ତଥା ସଚିବ, ସମବାୟ ବିଭାଗର କମିଶନର ତଥା ସଚିବ, ଉଚ୍ଚ ପଦସ୍ଥ ବ୍ୟାଙ୍କ୍ ଅଧିକାରୀ ଓ ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ  । ଏହି ବୈଠକରେ ନିଷ୍ପତିକ୍ରମେ କାଳିଆ ଯୋଜନାର ସହାୟତାରାଶି ଯେପରି କେବଳ କାଳିଆ ଯୋଜନାର ସହାୟତା ଭିନ୍ନ ଅନ୍ୟ କୌଣସି ପୂର୍ବ ଦେୟରେ ବିନିଯୋଗ ନ ହୁଏ ସେଥିପାଇଁ ଉପସ୍ଥିତ ବ୍ୟାଙ୍କ ଅଧିକାରୀମାନେ ପ୍ରତିଶୃତି ଦେଇଥିଲେ ।

ଏହିଭଳି ବୈଠକ ଜିଲ୍ଲାସ୍ତରରେ ୩୦ ଗୋଟି ଜିଲ୍ଲାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଓ ସମସ୍ତବ୍ୟାଙ୍କ୍ ଅଧିକାରୀମାନେ କାଳିଆ ଯୋଜନାରେ ଯୋଗାଇ ଦିଆ ଯାଉଥିବା ସହାୟତା ରାଶିକୁ ପୂର୍ବ ଦେୟରେ ବିିନିଯୋଗ ନ କରିବାକୁ ପ୍ରତିଶୃତି ଦେଇଥିଲେ ।

ହିତାଧିକାରୀଙ୍କ ତାଲିକାରେ କେତେକ ତୃଟି ଓ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ନାମ ଥିବାର ଦୃଷ୍ଟିଗୋଚର ହୋଇଛି ଯାହାକୁ ରାଜ୍ୟ ସରକାର ଗୁରୁତ୍ୱର ସହିତ ବିଚାରକରି ଅଯୋଗ୍ୟ ହିତାଧିକାରୀଙ୍କୁ ପ୍ରେରିତ ଅର୍ଥକୁ ଫେରାଇ ଆଣିବାକୁ ପଦକ୍ଷେପ ଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ସ୍ୱରୂପ ପ୍ରଥମ ପର୍ଯ୍ୟାୟ ଚିଠା ତାଲିକାରୁ ସ୍ୱଚ୍ଛାକୃତଭାବେ ନାଲି ଫର୍ମ ବ୍ୟବହାରକରି ନାମବାଦ୍ ଦେବାକୁ ଚାଷୀମାନଙ୍କୁ ରାଜ୍ୟସରକାର ପରାମର୍ଶ ଦେଇଛନ୍ତି । ଏହିପରି ସହଯୋଗ ଯୋଗୁଁ କାଳିଆ ଯୋଜନାର ସଠିକ୍ ହିତାଧିକାରୀ ତାଲିକା ପ୍ରସ୍ତୁତ କରାଯାଇ ପାରିବ ଓ ଯୋଜନାର ସଫଳ ରୂପାୟନ ହୋଇପାରିବ  ।

Leave A Reply

Your email address will not be published.