Latest Odisha News

BREAKING NEWS

ଦୁର୍ଘଟଣା ଦିନ କରମଣ୍ଡଳର ବେଗ ଥିଲା ଅଧିକ; ଘଣ୍ଟାପ୍ରତି ୧୧୦ ବଦଳରେ ୧୨୮ କିମି ବେଗରେ ଧାଉଁଥିଲା

ଭୁବନେଶ୍ୱର:  ବାହାନଗା ଟ୍ରେନ ଦୁର୍ଘଟଣା ଦିନ କରମଣ୍ଡଳ ଏକ୍ସପ୍ରେସର ବେଗ ଥିଲା ଘଣ୍ଟାପ୍ରତି ୧୨୮ କିମି । ସେଦିନ ସିଗନାଲ ମଧ୍ୟ ଫେଲ ହୋଇଥିଲା । ବାହାନଗରା ଟ୍ରେନ ଦୁର୍ଘଟଣାର ପ୍ରାଥମିକ ତଦନ୍ତ ରିପୋର୍ଟରେ ଏମିତି କିଛି ତଥ୍ୟ ରହିଛି ।

ଦୁର୍ଘଟଣାର ୨୪ ଘଣ୍ଟା ପରେ ମିଳିତ ଟିମ ତଦନ୍ତ କରି ରେଳ ମନ୍ତ୍ରାଳୟ ନିକଟରେ ରିପୋର୍ଟ ଦାଖଲ କରିଛି । ଏହି ରିପୋର୍ଟରେ କୁହାଯାଇଛି, ମୁଖ୍ୟ ରେଳଲାଇନରେ ହାଓଡା-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ସାଧାରଣ ବେଗ ଘଣ୍ଟାପ୍ରତି ୧୧୦ କିମି ଥାଏ । ହେଲେ ସେଦିନ ୧୨୮ କିମି ଥିଲା ।  ତଥ୍ୟ ଅନୁସାରେ, ମାତ୍ର ଦୁର୍ଘଟଣାଦିନ ଟ୍ରେନ୍‌ଟି ୧୦ ମିନିଟ୍‌ ବିଳମ୍ବରେ ଚାଲୁଥିଲା। ତେଣୁ ଧାର୍ଯ୍ୟ ସମୟ ଭିତରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଲାଗି ଲୋକୋ-ପାଇଲଟ୍‌ ଟ୍ରେନ୍‌ର ବେଗକୁ ଅଧିକ କରି ଦେଇଥିବା ଅନୁମାନ କରାଯାଉଛି।

ଦୁର୍ଘଟଣାର ଆଉଏକ କାରଣ ମଧ୍ୟ ସାମ୍ନାକୁ ଆସିଛି । ଏଥିରେ କୁହାଯାଇଛି, ସେଦିନ ସିଗନାଲ ଫେଲ ଯୋଗୁ ଏପରି ଦୁର୍ଘଟଣା ଘଟିଛି । କାରଣ ମଖ୍ୟ ରେଳ ଲାଇନରେ ହାଓଡା-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ପାଇଁ ସିଗନାଲ ଦିଆ ଯାଇଥିଲା । ହେଲେ ହଠାତ ତାହାକୁ ଉଠାଇ ଦିଆଗଲା । ମାତ୍ର ସେତେବେଳକୁ ଟ୍ରେନଟି ଗୋଟିଏ ଲୁପ ଲାଇନରେ ପ୍ରବେଶ କରି ସାରିଥିଲା ଏବଂ ସେଠାରେ ପୂର୍ବରୁ ଏକ ମାଲବାହୀ ଟ୍ରେନ ଅଟକି ଥିଲା । ଫଳରେ କରମଣ୍ଡଳ ମାଲବାହୀ ଟ୍ରେନକୁ ଧକ୍କା ଦେବା ଯୋଗୁ କରମଣ୍ଡଳର ୧୪ ବଗି ଲାଇନଚ୍ୟୁତ ହୋଇ ଅନ୍ୟ ଏକ ଟ୍ରାକକୁ ମାଡି ଯାଇଥିଲା । ସେହି ସମୟରେ  ଯଶୋବନ୍ତପୁର-ହାଓଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍ ଡାଉନୱାର୍ଡ ମୁଖ୍ୟ ଲାଇନରେ ଆସୁଥିଲା । ଫଳରେ ଯଶୋବନ୍ତପୁର-ହାଓଡ଼ା ସୁପରଫାଷ୍ଟର ୨ରୁ ଅଧିକ ବଗି କରମଣ୍ଡଳ ସହ ଧକ୍କା ହୋଇ ଓଲଟି ପଡିଥିଲା । ଏମିତି ଭାବେ ଏକସାଙ୍ଗେ ୩ଟି ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ଟ୍ରେନ ଲୁପ୍ ଲାଇନରେ ଯାଇ ମାଲଗାଡ଼ିକୁ ଧକ୍କା ଦେଲା ନା ଲାଇନଚ୍ୟୁତ ହୋଇ ଧକ୍କା ଦେଲା ତାହା ସ୍ପଷ୍ଟ ଜଣାପଡୁନି ।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ମୋଟ ୧୭ଟି ବଗି କ୍ଷତିଗ୍ରସ୍ତ ହୋଇଛି । ସୂଚନାଥାଉ କି, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳ ଦୁର୍ଘଟଣାର ଇଲେକ୍ଟ୍ରନିକ ଇଣ୍ଟରଲକିଂ ପରିବର୍ତ୍ତନ ଯୋଗୁ ଘଟିଲା ବୋଲି କହିଛନ୍ତି ।

 

 

 

Leave A Reply

Your email address will not be published.