ଭୁବନେଶ୍ୱର: କର୍ଣ୍ଣାଟକରେ ବିଜେପିକୁ ପୁଣି ଏକ ଝଟକା। ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାବାଡି ଦଳ ଛାଡି କଂଗ୍ରେସରେ ମିଶିବାର କିଛି ଦିନ ଭିତରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜଗଦୀଶ ସେଟ୍ଟାର କଂଗ୍ରେସରେ ମିଶିଛନ୍ତି। ଯାହାକୁ ନେଇ ଖୋଦ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ବାସବରାଜ ବୋମାଇ ଚିନ୍ତା ପ୍ରକଟ କରିଛନ୍ତି।
ଦଳ ଟିକେଟ ନ ଦେବାରୁ ପ୍ରଥମେ ବିଧାୟକ ପଦ ଓ ବିଜେପିରୁ ଇସ୍ତଫା ଦେଇଥିଲେ ସେଟ୍ଟାର। ପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଥିଲେ। ବିଜେପି ଏବେ ଅଳ୍ପ କିଛି ଲୋକଙ୍କ ଦ୍ୱାରା ନିୟନ୍ତ୍ରିତ ବୋଲି ଅଭିଯୋଗ କରିଛନ୍ତି ସେଟ୍ଟାର।
ଯେଉଁ ଦଳକୁ ସେ ଗଢ଼ିଥିଲେ ସେ ଦଳ ତାଙ୍କୁ ଫୋପାଡ଼ି ଦେଇଛି ବୋଲି କହିଛନ୍ତି ସେଟ୍ଟାର। ସେ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ କର୍ଣ୍ଣାଟକ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବାଚସ୍ପତି ଓ ବିରୋଧୀ ଦଳ ନେତା ଭାବେ କାମ କରିଛନ୍ତି। ଜଣେ ପ୍ରମୁଖ ଲିଙ୍ଗାୟତ ନେତା ଭାବେ ଜଣାଶୁଣା ସେଟ୍ଟାରଙ୍କର ଉତ୍ତର କର୍ଣ୍ଣାଟକରେ ଭଲ ପ୍ରଭାବ ରହିଛି।
ସେଟ୍ଟାରଙ୍କ ପରିବାର ଜନସଂଘ ସମୟରୁ ଦଳ ସହ ରହି ଆସିଛନ୍ତି। ତେଣୁ ତାଙ୍କର ଦଳ ଛାଡିବା ବିଜେପି ଉପରେ ବଡ଼ ପ୍ରଭାବ ପକାଇବ କି ବୋଲି ପ୍ରଶ୍ନ ଉଠିଛି। ନୂଆ ପିଢୀକୁ ସୁଯୋଗ ଦେବା ପାଇଁ ଜଗଦୀଶ ସେଟ୍ଟାରଙ୍କୁ ଦଳ ଟିକେଟ ଦେଇ ନ ଥିବା କହିଛନ୍ତି ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ।
ମୋଦୀଙ୍କ ନେତୃତ୍ୱରେ ବିଭିନ୍ନ ରାଜ୍ୟରେ ଦଳ ଗତାନୁଗତିକ ଧାରାରୁ ବାହାରି ଏଭଳି ପରିବର୍ତ୍ତନ ଆଣିବାକୁ ଉଦ୍ୟମ କରିଛି ବୋଲି ଵୋମାଇ କହିଛନ୍ତି। ସେଟ୍ଟାରଙ୍କ ଏହି ନିଷ୍ପତ୍ତି ଗଭୀର ଆଘାତ ଦେଇଛି ବୋଲି ମୁଖ୍ୟମନ୍ତ୍ରୀ ବୋମାଇ କହିଛନ୍ତି। ବିଜେପି ରାଜ୍ୟ ଓ ଜିଲ୍ଲା କମିଟି ସେଟ୍ଟାରଙ୍କ ନାଁ ଟିକେଟ ପାଇଁ ସୁପାରିଶ କରିଥିବା ବେଳେ ଦଳର କେନ୍ଦ୍ରୀୟ କମିଟି ତାଙ୍କୁ ଟିକେଟ ନ ଦେବାକୁ ସ୍ଥିର କରିଥିଲେ।
ସେପଟେ କେବଳ ଜଗଦୀଶ ସେଟ୍ଟାର ନୁହଁନ୍ତି କର୍ଣ୍ଣାଟକରେ ବହୁ ବରିଷ୍ଠ ନେତା ଟିକେଟ ନ ପାଇ ଅସନ୍ତୁଷ୍ଟ ଥିବା ଦେଖାଯାଇଛି। ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷଣ ସାବାଡିଙ୍କର କର୍ଣ୍ଣାଟକରେ ଭଲ ପ୍ରଭାବ ରହିଥିବାବେଳେ ସେ ଦଳ ଛାଡି କଂଗ୍ରେସରେ ମିଶିବା ମଧ୍ୟ ବିଜେପି ଉପରେ ପ୍ରଭାବ ପକାଇବା ଚର୍ଚ୍ଚାକୁ ବଢ଼ାଇଦେଇଛି।
ସେପଟେ କର୍ଣ୍ଣାଟକ ବିଜେପିର ସବୁଠୁ ପ୍ରଭାବୀ ନେତା ବି ଏସ ୟେଦୁରପ୍ପା ମଧ୍ୟ ଦଳର ଟିକେଟ ବଣ୍ଟନକୁ ନେଇ ସନ୍ତୁଷ୍ଟ ନ ଥିବା କୁହାଯାଉଛି। ସେପଟେ କିଛି ଅସନ୍ତୁଷ୍ଟ ନେତା ଦଳ ଛାଡିଥିବା ବେଳେ ଆଉ କିଛି ଦଳରେ ରହିଛନ୍ତି। ସେମାନଙ୍କ ଅସନ୍ତୋଷର ପ୍ରଭାବ ଦଳ ଉପରେ କେତେ ପଡିବ ତାକୁ ନେଇ ପ୍ରଶ୍ନ ଉଠିଛି।
ଅନ୍ୟପକ୍ଷରେ ତାମିଲନାଡୁର ଏଆଇଏଡିଏମକେ କର୍ଣ୍ଣାଟକରେ ନିର୍ବାଚନ ନ ଲଢ଼ି ବିଜେପିକୁ ସମର୍ଥନ କରିବାକୁ ଘୋଷଣା କରିଛି। ଏସବୁ ଦୃଷ୍ଟିକୋଣରୁ ଏଥର କର୍ଣ୍ଣାଟକ ନିର୍ବାଚନ ବେଶ ରୋଚକ ହେବ ବୋଲି କୁହାଯାଉଥିବା ବେଳେ ବିଜେପି ନେତାଙ୍କ ଅସନ୍ତୋଷ ଓ ଦଳ ଛାଡିବାର ପ୍ରଭାବ ଭୋଟ ଉପରେ କେତେ ପଡିବ ତା ଉପରେ ସମସ୍ତଙ୍କର ନଜର।
Comments are closed.