Latest Odisha News

BREAKING NEWS

କର୍ଣ୍ଣାଟକ କ୍ଷୀର ରାଜନୀତିରେ ଗୁଜୁରାଟ ଏଣ୍ଟ୍ରି

ଭୁବନେଶ୍ୱର: କର୍ଣ୍ଣାଟକରେ ଜୋର ଧରିଛି କ୍ଷୀର ରାଜନୀତି। କର୍ଣ୍ଣାଟକରେ ପ୍ରସ୍ତୁତ ହେଉଥିବା ନିଜସ୍ୱ କ୍ଷୀର ନନ୍ଦିନୀ ଓ ଗୁଜୁରାଟର ଅମୁଲକୁ ନେଇ କର୍ଣ୍ଣାଟକ ରାଜନୀତି ତୀବ୍ର ହୋଇଛି। ଅମୁଲକୁ କର୍ଣ୍ଣାଟକରେ ପ୍ରବେଶ କରାଇ ନନ୍ଦିନୀକୁ ମାଟିରେ ମିଶାଇବାକୁ ବିଜେପି ଉଦ୍ୟମ କରୁଥିବା ଅଭିଯୋଗ ତୀବ୍ର ହୋଇଛି।

BjdElectrycity

କ୍ଷୀର ଏକ ତୃଣମୂଳ ସ୍ତରର ପ୍ରସଙ୍ଗ। ଏହି ପ୍ରସଙ୍ଗ କ୍ଷୀର ଉତ୍ପାଦନ କରୁଥିବା ଚାଷୀ ଓ କ୍ଷୀର ତଥା କ୍ଷୀରଜାତ ଦ୍ରବ୍ୟ ବ୍ୟବହାର କରୁଥିବା ପ୍ରାୟ ସବୁ ଲୋକଙ୍କ ଦୈନନ୍ଦିନ ଚଳଣି ସହ ଜଡିତ। ତେଣୁ କର୍ଣ୍ଣାଟକ ନିର୍ବାଚନ ସମୟରେ କର୍ଣ୍ଣାଟକରେ କ୍ଷୀର ତାତି ଜୋର ଧରିଛି।

ଶାସକ ବିଜେପି ଦକ୍ଷିଣ ରାଜ୍ୟରେ ଅମୁଲକୁ ଅନୁମତି ଦେଇ ନନ୍ଦିନୀଙ୍କୁ ମାଟିରେ ମିଶାଇବାକୁ ଚାହୁଁଛି ବୋଲି କର୍ଣ୍ଣାଟକରେ ବିରୋଧୀ କଂଗ୍ରେସ ଏବଂ ଜେଡିଏସ୍‌ ଅଭିଯୋଗ କରିଛନ୍ତି। କିନ୍ତୁ କର୍ଣ୍ଣାଟକର ବିଜେପି ସରକାର ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଅମୁଲ ତରଫରୁ ନନ୍ଦିନୀକୁ କୌଣସି ବିପଦ ନାହିଁ ବୋଲି କହିଛନ୍ତି।

ଠିକ ଏଭଳି ସମୟରେ କର୍ଣ୍ଣାଟକ ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ କର୍ଣ୍ଣାଟକରେ ନନ୍ଦିନୀ ଷ୍ଟଲକୁ ଯାଇ ନନ୍ଦିନୀ କ୍ଷୀରରୁ ପ୍ରସ୍ତୁତ ସାମଗ୍ରୀ ଖାଇଛନ୍ତି। ଏପରିକି ସାଙ୍ଗରେ ରାଜ୍ୟର ପିସିସି ସଭାପତି ଡି କେ ଶିବକୁମାର ଓ ଅନ୍ୟ ବରିଷ୍ଠ ନେତା ମଧ୍ୟ ନନ୍ଦିନୀ ଷ୍ଟଲରେ ରାହୁଲଙ୍କ ସହ କ୍ଷୀର ଜାତୀୟ ପଦାର୍ଥ ଖାଇବାର ମଜା ନେଇଛନ୍ତି। ଯାହା କର୍ଣ୍ଣାଟକରେ କ୍ଷୀର ରାଜନୀତିକୁ ତୀବ୍ର କରିଛି।

କଂଗ୍ରେସ ଏ ପ୍ରସଙ୍ଗକୁ ପ୍ରମୁଖ ରାଜନୈତିକ ମୁଦ୍ଦା କରି ବିଜେପିକୁ କାଠଗଡାକୁ ଆଣିଥିବା ବେଳେ ରାହୁଲଙ୍କ ନନ୍ଦିନୀ ଷ୍ଟଲ ଯିବା ରାଜ୍ୟର ଆଭ୍ୟନ୍ତରୀଣ ରାଜନୀତିକୁ ତୀବ୍ର କରିଛି।

ସେପଟେ ନନ୍ଦିନୀ ଅମୁଲ କ୍ଷୀର ରାଜନୀତି କର୍ଣ୍ଣାଟକରୁ ଡେଇଁ ଗୁଜୁରାଟରେ ପହଂଚିଛି। ନନ୍ଦିନୀ ଅମୁଲକୁ ନେଇ ମୁହଁ ଖୋଲିଛନ୍ତି ଗୁଜୁରାଟ ମୁଖ୍ୟମନ୍ତ୍ରୀ।ଦକ୍ଷିଣ ରାଜ୍ୟରେ ଅମୁଲକୁ ବହିଷ୍କାର କରିବାର କିମ୍ବା ଅମୁଲ ବାଟ ରୋକିବାର କିଛି ଆବଶ୍ୟକତା ନାହିଁ।

ଅମୁଲ ଯଦି କିଛି ଛଡ଼ାଇ ନେଉଛି, ତେବେ ତାହା ବିରୋଧର ବିଷୟ। ନଚେତ ଏହାକୁ ବିରୋଧ କରିବା ଉଚିତ ନୁହେଁ ବୋଲି କହିଛନ୍ତି ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ।

ଅମୁଲ ବେଙ୍ଗାଲୁରୁରେ ନିଜ ଦୁଗ୍ଧଜାତ ଦ୍ରବ୍ୟର ବ୍ୟବସାୟ ଆରମ୍ଭ କରିବ ବୋଲି ଘୋଷଣା କରିବା ପରେ ନନ୍ଦିନୀ ଏବଂ ଅମୁଲକୁ ନେଇ ବିବାଦ ଆରମ୍ଭ ହୋଇଛି। ଏପରିକି ଏହାକୁ ନେଇ କର୍ଣ୍ଣାଟକରେ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି।

ଅମୁଲ ଦେଶର ଅନେକ ରାଜ୍ୟରେ ନିଜର କାୟା ବିସ୍ତାର କରିଥିଲେ ମଧ୍ୟ କର୍ଣ୍ଣାଟକରେ ନନ୍ଦିନୀ ଅତ୍ୟନ୍ତ ଭରସାଯୋଗ୍ୟ। ତେଣୁ ଅମୂଲର ପ୍ରବେଶକୁ ସାଧାରଣ ଲୋକେ ମଧ୍ୟ ଭିନ୍ନ ଦୃଷ୍ଟିରେ ଦେଖୁଥିବା କୁହାଯାଉଛି। ଯାହାକୁ ନେଇ ରାଜନୀତି ଜୋର ଧରିଛି।

ଏଭଳି ସ୍ଥିତିରେ ନିର୍ବାଚନୀ ମାହୋଲ ଜମୁଥିବାରୁ ଏହି ପ୍ରସଙ୍ଗକୁ ନେଇ ଶାସକ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ଠିକ ଏଭଳି ସମୟରେ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ବିବାଦକୁ ଆହୁରି ରୋଚକ କରିଛି।

Leave A Reply

Your email address will not be published.