ଭୁବନେଶ୍ବର: ଡିଜିପି ସମ୍ମିଳନୀ ପଣ୍ଡ କରିବାକୁ ଖଲିସ୍ତାନୀ ଆତଙ୍କବାଦୀ ଗୁରପତଓ୍ବନ୍ତ ସିଂହ ପନ୍ନୁର ଧମକ । ଛଦ୍ମବେଶରେ ଆସି ସମ୍ମିଳନୀ ଭଣ୍ଡୁର କରିବାକୁ ଆହ୍ବାନ । କଡା ସୁରକ୍ଷା ବଳୟରେ ଭୁବନେଶ୍ବର । ଆସନ୍ତାକାଲିଠୁ ଭୁବନେଶ୍ବରରେ ଆରମ୍ଭ ହେବାକୁ ଯାଉଛି ସର୍ବଭାରତୀୟ ଡିଜିପି ଓ ଆଇଜି ସମ୍ମିଳନୀ । ୩ଦିନିଆ ସମ୍ମିଳନୀରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ ଜାତୀୟ ସୁରକ୍ଷାୱ ପରାମର୍ଶଦାତା ଅଜିତ ଡୋଭାଲ ଆସୁଛନ୍ତି । ସବୁ ରାଜ୍ୟର ୯୦ରୁ ଅଧିକ ଡିଜିପି ଓ ଆଇଜିପି ପାହ୍ୟାର ବରିଷ୍ଠ ଅଧିକାରୀ ମଧ୍ୟ ଏଥିରେ ସାମିଲ ହେବେ । ଏହା ମଧ୍ୟରେ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ଧମକପୂର୍ଣ୍ଣ ଭିଡିଓ ସାମନାକୁ ଆସିଛି ।
ଭିଡିଓରେ କଣ କହିଛି ପନ୍ନୁ?
ଭିଡିଓ ବାର୍ତ୍ତାରେ ଡିଜିପି ସମ୍ମିଳନୀକୁ ଭଣ୍ଡୁର କରିବାକୁ ଆହ୍ବାନ ଦେଉଛି ପନ୍ନୁ । ହିନ୍ଦୁତ୍ବ ଚିନ୍ତାଧାରାରେ ସମ୍ମିଳନୀ କରାଯାଉଛି । ଖଲିସ୍ତାନ ଶିଖଙ୍କ ସମର୍ଥନକାରୀ, କାଶ୍ମୀର ଯୋଦ୍ଧା, ଆତଙ୍କବାଦୀ ଓ ମାଓବାଦୀଙ୍କୁ ହତ୍ୟା କରିବାକୁ ଯୋଜନା ହେଉଛି । ମୋଦି, ଶାହା ଓ ଡୋଭାଲ ଭୁବନେଶ୍ବରକୁ ବଡ ବିପଦ ଆଣୁଛନ୍ତି । ଛଦ୍ମବେଶରେ ଆସି ରାଜଧାନୀର ମନ୍ଦିର, ହୋଟେଲରେ ଲୁଚି ରହି ସମ୍ମିଳନୀକୁ ଭଣ୍ଡୁର କରିବାକୁ ପନ୍ନୁ ଖଲିସ୍ତାନୀଙ୍କୁ ଆହ୍ବାନ କରିଛି । ପନ୍ନୁର ଧମକପୂର୍ଣ୍ଣ ଭିଡିଓ ଆସିବା ପରେ ଯେକୌଣସି ଅଘଟଣ ଏଡାଇବାକୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ପୋଲିସ କମିଶନର କହିଛନ୍ତି ।
ସୁରକ୍ଷା ବଳୟରେ ଭୁବନେଶ୍ବର
ପ୍ରଥମ ଥର ପାଇଁ ରାଜ୍ୟରେ ଡିଜିପି ସମ୍ମିଳନୀ ହେଉଥିବା ବେଲେ ସୁରକ୍ଷା ବଳୟରେ ରହିଛି ଭୁବନେଶ୍ବର । ସହରକୁ ୬୫ରୁ ୭୦ ପ୍ଲାଟୁନ ପୋଲିସ ଫୋର୍ସ ଓ ୧୦ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ଜଗିଛନ୍ତି । ୫ପ୍ଲାଟୁନ୍ ଲେଖାଏଁ ସିଆରପିଏଫ୍ ଓ ବିଏସଏଫ ଯବାନଙ୍କୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି । ପୂରା ସହର ସିସିଟିଭି ସର୍ଭେଲାନ୍ସରେ ରହିଥିବା ବେଳେ କ୍ବିକ୍ ରିଆକ୍ସନ୍ ଟିମ୍ ପାଟ୍ରୋଲିଂ କଡାକଡି କରିଛନ୍ତି । ଲୋକସେବା ସମ୍ମେଳନ କକ୍ଷ ଭିତରେ ଏସପିଜି ଯବାନ ସାଦା ପୋଷାକରେ ରହିବେ । କକ୍ଷ ବାହାରେ ପୋଲିସ ସୁରକ୍ଷାବଳ ଓ କେନ୍ଦ୍ର ସଶସ୍ତ୍ର ବାହିନୀ ମୁତୟନ ହେବେ ।
ସମ୍ମେଳନ ପାଇଁ କଡା ସୁରକ୍ଷା
ଶୁକ୍ରବାର ସବୁ ରାଜ୍ୟର ଡିଜି ଓ ଆଇଜିଙ୍କ ସହ ଗୃହ ବିଭାଗ ଅଧୀନରେ ଥିବା ସବୁ ସଂସ୍ଥା ମୁଖ୍ୟ ଆସିବେ । ସେମାନେ ଭୁବନେଶ୍ବର ବିମାନବନ୍ଦରରୁ ଅତିଥୀ ଭବନ ଆସିବେ । ଏଥିପାଇଁ କାରକେଡ୍ ରିହର୍ସଲ କରାଯାଇଛି । ଯେଉଁ ଅଞ୍ଚଳରେ ସେମାନେ ରହିବେ ସେଠାକାର ସୁରକ୍ଷା ଦାୟିତ୍ବ ଆଇଜି ପାହ୍ୟାର ପୋଲିସ ଅଧିକାରୀଙ୍କୁ ଦିଆଯାଇଛି । ଟ୍ରାଫିକ ନିୟନ୍ତ୍ରଣ ପାଇଁ ୪ଜଣ ବରିଷ୍ଠ ଆଇପିଏସଙ୍କ ସହ ମୋଟ୍ ୬ଶହ ଜଣଙ୍କୁ ଦାୟିତ୍ବ ଦିଆଯାଇଛି । ଆଖପାଖ ଜିଲ୍ଲାରୁ ଅତିରିକ୍ତ ଏସପି ଓ ଡିଏସପିଙ୍କୁ ରାଜଧାନୀ ସୁରକ୍ଷାରେ ନିୟୋଜିତ କରାଯାଇଛି । ୨୫ଅଧିକାରୀଙ୍କ ସହ ୧୪୦ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଛନ୍ତି ।