ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଖଣ୍ଡଗିରି ଥାନା ଅଞ୍ଚଳର ଡବଲ ମର୍ଡର ଘଟଣାର ରହସ୍ୟ ଉପରୁ ପରଦା ହଟାଇଛି ପୋଲିସ। ଭଉଣୀ ପ୍ରତି ହୋଇଥିବା ଅପମାନର ପ୍ରତିଶୋଧ ନେବାକୁ ଯାଇ ଜଣେ ନାବାଳକ ନିଜ ସହଯୋଗୀ ସହ ମିଶି ଏହି ବର୍ବରକାଣ୍ଡ ଘଟାଇଥିବା ଜଣାପଡ଼ିଛି। ଏହି ମାମଲାରେ ଖଣ୍ଡଗିରି ଥାନା ପୋଲିସ ତତ୍ପରତା ପ୍ରକାଶ କରି ଦୁଇଜଣ ନାବାଳକଙ୍କୁ ଗିରଫ କରିଛି।
ପ୍ରେମ ନିବେଦନ ଓ ପୁରୁଣା ଶତ୍ରୁତା ସାଜିଲା କାରଣ
ମିଳିଥିବା ସୂଚନା ମୁତାବକ, ମୃତ ଯୁବକ କୃଷ୍ଣ ଏକ ଘରୋଇ କଲେଜରେ ପାଠ ପଢୁଥିଲେ। ସେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀଙ୍କୁ ଦୀର୍ଘ ଦିନ ହେବ ପ୍ରେମ ନିବେଦନ କରିବା ସହ ବାରମ୍ବାର ହଇରାଣ ହରକତ କରୁଥିଲେ। ଯୁବତୀଜଣକ ଏହାକୁ ବିରୋଧ କରିବା ସତ୍ତ୍ୱେ କୃଷ୍ଣଙ୍କ ବ୍ୟବହାରରେ କୌଣସି ପରିବର୍ତ୍ତନ ଆସିନଥିଲା।
ଶେଷରେ ଅତିଷ୍ଠ ହୋଇ ଯୁବତୀଜଣକ ନିଜ ନାବାଳକ ଭାଇକୁ ଏ ସମ୍ପର୍କରେ ସବୁ କଥା ଜଣାଇଥିଲେ। ଏହାକୁ କେନ୍ଦ୍ର କରି ପ୍ରାୟ ୨୦ ଦିନ ତଳେ ଉଭୟ ପକ୍ଷ ମଧ୍ୟରେ ଏକ ବଡ଼ଧରଣର ବିବାଦ ହୋଇଥିଲା। ଯୁବତୀଙ୍କ ନାବାଳକ ଭାଇ ନିଜ ସାଙ୍ଗକୁ ସାଙ୍ଗରେ ନେଇ କୃଷ୍ଣଙ୍କ ସହ ଆଲୋଚନା କରିବାକୁ ଡାକିଥିବା ବେଳେ ସେଠାରେ ଝଗଡ଼ା ଉଗ୍ର ରୂପ ନେଇଥିଲା। ସେହି ସମୟରେ କୃଷ୍ଣ ଉତ୍ତ୍ୟକ୍ତ ହୋଇ ନାବାଳକର ସାର୍ଟ କଲର ଧରି ପ୍ରବଳ ଗାଳିଗୁଲଜ କରିଥିଲେ, ଯାହାକୁ ନାବାଳକ ଭାଇ ସହଜରେ ଗ୍ରହଣ କରିପାରିନଥିଲା ଏବଂ ପ୍ରତିଶୋଧ ନେବା ପାଇଁ ସୁଯୋଗ ଖୋଜୁଥିଲା l
ଗତ ରବିବାର ରାତିରେ ସୁଯୋଗ ଦେଖି ଦୁଇ ନାବାଳକ ଏକ ଲୁହା ରଡ୍ ସାହାଯ୍ୟରେ କୃଷ୍ଣଙ୍କ ଉପରକୁ ସଂଘାତିକ ଆକ୍ରମଣ କରିଥିଲେ। ସେମାନେ ଅତି ବିଭତ୍ସ ଭାବେ କୃଷ୍ଣଙ୍କୁ ପିଟିପିଟି ହତ୍ୟା କରୁଥିବା ସମୟରେ ତାଙ୍କ ବାପା ପୁଅକୁ ବଞ୍ଚାଇବାକୁ ଦୌଡ଼ି ଆସିଥିଲେ। ମାତ୍ର ଉନ୍ମତ୍ତ ସାଜିଥିବା ଦୁଇ ନାବାଳକ କୃଷ୍ଣଙ୍କ ବାପାଙ୍କୁ ମଧ୍ୟ ନିର୍ମମ ଭାବେ ଆକ୍ରମଣ କରି ରକ୍ତାକ୍ତ କରିଦେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କର ମୃତ୍ୟୁ ଘଟିଛି।
“ଭଉଣୀକୁ ହଇରାଣ କରିବା ଏବଂ ପୂର୍ବରୁ ହୋଇଥିବା ଗଣ୍ଡଗୋଳର ପ୍ରତିଶୋଧ ନେବାକୁ ଯାଇ ଏହି ହତ୍ୟାକାଣ୍ଡ ଘଟାଯାଇଛି। ପୋଲିସ ତଦନ୍ତ କରି ଏହି ଘଟଣାରେ ସଂପୃକ୍ତ ଦୁଇ ନାବାଳକଙ୍କୁ ଗିରଫ କରିଛି ଏବଂ ହତ୍ୟାରେ ବ୍ୟବହୃତ ମାରାତ୍ମକ ଅସ୍ତ୍ର ମଧ୍ୟ ଜବତ କରାଯାଇଛି। ଘଟଣାର ଅଧିକ ଅନୁସନ୍ଧାନ ଜାରି ରହିଛି।” ବୋଲି ଟ୍ଵିନ୍ ସିଟି ପୋଲିସ କମିଶନର ଏସ୍. ଦେବଦତ୍ତ ସିଂହ କହିଛନ୍ତି l
