Latest Odisha News

କିଟ୍ ବିଶ୍ୱବିଦ୍ୟାଳୟର ୧୯ତମ ସମାବର୍ତ୍ତନ: ନିଷ୍ଠାର ସହ ମାନବ କଲ୍ୟାଣରେ ଜ୍ଞାନର ଉପଯୋଗ କରିବା ଉଚିତ: ରାଜ୍ୟପାଳ

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟର ୧୯ତମ ସମାବର୍ତ୍ତନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାବର୍ତ୍ତନରେ ମୋଟ ୬୬୩୮ ଛାତ୍ରଛାତ୍ରୀଙ୍କୁ ସ୍ନାତକ, ସ୍ନାତକୋତ୍ତର ଓ ପିଏଚ୍‍ଡି ଡ଼ିଗ୍ରୀ ପ୍ରଦାନ କରାଯାଇଥିଲା । ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏଥିରେ ମୁଖ୍ୟ ଅତିଥି ଭାବେ ଯାଗଦେଇ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଥିଲେ । ରାଜ୍ୟପାଳ କହିଛନ୍ତି ନିଷ୍ଠାର ସହ ମାନବ କଲ୍ୟାଣରେ ଜ୍ଞାନର ଉପଯୋଗ କରିବା ଉଚିତ ।  ଈଶ୍ୱର ଆମକୁ ଅନେକଗୁଡ଼ିଏ ଭଲ ଗୁଣ ଦେଇ ଧରାପୃଷ୍ଠକୁ ପଠାଇଛନ୍ତି । ଆମେମାନେ ମାନବ କଲ୍ୟାଣରେ ଏସବୁ ଉତ୍ତମ ଗୁଣର ସୁବିନିଯୋଗ କରିବା ଆବଶ୍ୟକ ।

ସେପଟେ କିଟ୍‍ ବିଶ୍ୱବିଦ୍ୟାଳୟର କୁଳାଧିପତି ଅଶୋକ କୁମାର ପରିଜା କହିଛନ୍ତି ,  ଉନ୍ନତ ଭବିଷ୍ୟତ ପାଇଁ ଶିକ୍ଷା ଏକ ପାସପୋର୍ଟ ସଦୃଶ । ସ୍ନାତକ ଅର୍ଥ କେବଳ ଡିଗ୍ରୀ ହାସଲ କରିବା ନୁହେଁ, ଏହା ହେଉଛି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖାଦେଇଥିବା ଗୁଣାତ୍ମକ ପରିବର୍ତ୍ତନ । ଅନ୍ୟପଟେ କିଟ୍‍ ବିଶ୍ୱବିଦ୍ୟାଳୟ ଉପକୁଳାଧିପତି ପ୍ରଫେସର ସୁବ୍ରତ ଆଚାର୍ଯ୍ୟ କହିଥିଲେ ,  ଏହି ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଥିବା ସ୍ନାତକ ମାନଙ୍କର ଏକ ଅନନ୍ୟ ସମାଜିକ ଦାୟିତ୍ୱ ରହିଛି ।

ଭାରତ ସରକାରଙ୍କ ପରମାଣୁ ଶକ୍ତି ଆୟୋଗ ଅଧ୍ୟକ୍ଷ ତଥା ପରମାଣୁ ଶକ୍ତି ବିଭାଗ ସଚିବ ଡ. ଅଜିତ କୁମାର ମହାନ୍ତି, ସ୍ୱସ୍ତି ଗ୍ରୁପ୍‍ ହୋଟେଲର୍ସ ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ମହାନ୍ତି ଓ ଟେକ୍‍ ମହିନ୍ଦ୍ରା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପରିଚାଳନା ନିର୍ଦ୍ଦେଶକ ଚନ୍ଦର ପ୍ରକାଶ ଗୁର୍‍ନାନିଙ୍କୁ ସମ୍ମାନସୂଚକ ଡକ୍ଟୋରେଟ୍‍ ଡିଗ୍ରୀ ପ୍ରଦାନ କରାଯାଇଥିଲା । କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ ବିଶ୍ୱବିଦ୍ୟାଳୟର ବାର୍ଷିକ ବିବରଣୀ ଉପସ୍ଥାପନ କରି କିଟ୍‍ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ହାସଲ କରିଥିବା ବିଭିନ୍ନ ଉଲ୍ଲେଖନୀୟ ସଫଳତା ବିଷୟରେ ସୂଚନା ପ୍ରଦାନ କରିଥିଲେ ।

ତେବେ ବିଶ୍ୱବିଦ୍ୟାଳୟର ସାମଗ୍ରିକ ପ୍ରଦର୍ଶନ ପାଇଁ ଶ୍ରେଷ୍ଠ ଛାତ୍ରୀ ଭାବେ ବିଦିତା ସାମନ୍ତଙ୍କୁ ପ୍ରତିଷ୍ଠାତା ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିବାବେଳେ ଅନନ୍ୟା ତ୍ରିପାଠୀଙ୍କୁ ଶ୍ରେଷ୍ଠ ପିଏଚ୍‍ଡି ଛାତ୍ରୀ, ଶ୍ରେଷ୍ଠ ସ୍ନାତକୋତ୍ତର ଛାତ୍ରୀ ସ୍ୱାତୀ ସୁଦେଷ୍ଣା ପଣ୍ଡା ଓ ଶ୍ରେଷ୍ଠ ସ୍ନାତକ ଭାବେ ନିର୍ମଳ କୁମାର ପଣ୍ଡିତଙ୍କୁ ମଧ୍ୟ ପ୍ରତିଷ୍ଠାତା ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଉପସଭାପତି ଉମାପଦ ବୋଷ, ସମ୍ପାଦକ ଆର ଏନ୍‍ ଦାଶ, କିଟ୍‍ ବିଶ୍ୱବିଦ୍ୟାଳୟର ଉପକୁଳପତି ପ୍ରଫେସର ଶରଣଜିତ ସିଂହ, କିମ୍‍ସ ଉପକୁଳପତି ପ୍ରଫେସର ସିବିକେ ମହାନ୍ତି ପ୍ରମୁଖ ଉପସ୍ଥିତ ଥିବାବେଳେ କିଟ୍‍ ବିଶ୍ୱବିଦ୍ୟାଳୟର କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି  ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.