Latest Odisha News

BREAKING NEWS

‘ଗଦର-୨’ ଦେଖିଲା ପୁରା ଗାଁ, କାରଣ ଜାଣିଲେ ହୋଇଯିବେ ଆର୍ଶ୍ଚଯ୍ୟ!

ଉଜୈନ: ସନ୍ନି ଦେଓଲଙ୍କ ଅଭିନୀତ ‘ଗଦର ୨’ କୁ ନେଇ ଚର୍ଚ୍ଚା ଜୋର ଧରିଛି । ଦିନ ଗଡ଼ିବା ସହ ପ୍ରଶଂସକଙ୍କ ମଧ୍ୟରେ ‘ଗଦର ୨’କୁ ନେଇ କ୍ରେଜ୍ ବଢି ବଢି ଚାଲୁଥିବା ବେଳେ ବକ୍ସ ଅଫିସରେ ଫିଲ୍ମଟି ମଧ୍ୟ ଭଲ ବ୍ୟବସାୟ କରୁଥିବା ଦେଖିବାକୁ ମିଳିଛି । ‘ଗଦର ୨’ ଦେଖିବା ପାଇଁ ହଲରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି । କିନ୍ତୁ ବର୍ତ୍ତମାନ ଫିଲ୍ମକୁ ନେଇ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣି ଆପଣ ଆର୍ଶ୍ଚଯ୍ୟ ହେବେ । ଉଜୈନର ଜଣେ ବ୍ୟକ୍ତି ନିଜ ପିତାଙ୍କ ସ୍ମୃତିରେ ପୁରା ଗାଁର ଲୋକମାନଙ୍କୁ ଟ୍ରାକ୍ଟରରେ ବସାଇ ‘ଗଦର ୨’ ଦେଖିବାକୁ ହଲ ନେଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ଉଜୈନ ଜିଲ୍ଲା ବକାନିଆ ଗ୍ରାମର ବାସିନ୍ଦା ଲକ୍ଷ୍ମୀନାରାୟଣ ଜାଟ ସନ୍ନି ଦେଓଲଙ୍କର ଜଣେ ବଡ଼ ପ୍ରଶଂସକ ଥିଲେ। ଲକ୍ଷ୍ମୀନାରାୟଣ ୨୦୦୧ ମସିହାରେ ‘ଗଦର’ ସିନେମା ଦେଖିବା ପରେ ସେ ସନ୍ନି ଦେଓଲଙ୍କ ଫ୍ୟାନ୍ସ ହୋଇ ଯାଇଥିଲେ । ଫିଲ୍ମରେ ଅଭିନେତା ପିନ୍ଧିଥିବା ସମାନ ଧରଣର କପଡ଼ା ପିନ୍ଧି ଲକ୍ଷ୍ମୀନାରାୟଣ ଫଟୋ ମଧ୍ୟ ଉଠାଇଥିଲେ । ଲକ୍ଷ୍ମନାରାୟଣ ଗଦର-୨ ଦେଖିବାକୁ ଆଗ୍ରହୀ ଥିଲେ, କିନ୍ତୁ ଇତି ମଧ୍ୟରେ ତାଙ୍କର ଦେହାନ୍ତ ହୋଇଥିଲା । ପିତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ପୁଅ ଧର୍ମେନ୍ଦ୍ର ଜାଟ ପୁରା ଗାଁକୁ ‘ଗଦର-୨’ ଦେଖାଇବା ନେଇ ନିଷ୍ପତ୍ତି ନେଇଥିଲେ  । ଏଥିଲାଗି ସେ କୋସମସ ମଲରେ ଥିବା ପିଭିଆର ବୁକ୍ କରିଥିଲେ । କିନ୍ତୁ ଏତେ ଲୋକଙ୍କ ଟିକେଟ୍ ଏକା ସାଙ୍ଗେ ବୁକ୍ ହୋଇପାରିନଥିଲା । ଏହା ପରେ ସେ ସାବେର ସ୍ଥିତ ମୋତି ପିଭିଆରରେ ଟିକେଟ ବୁକ୍ କରିଥିଲେ । ଏହାପରେ ସେ ଗଦର ଫିଲ୍ମର ଗୀତ ବଜାଇ ୪୦ରୁ ଅଧିକ ଟ୍ରାକ୍ଟରରେ ଶହ ଶହ ଲୋକଙ୍କୁ ନେଇ ଗଦର-୨ ଦେଖିବାଲାଗି ସିନେମା ହଲରେ ପହଞ୍ଚିଥିଲେ ।

ଏନେଇ ପଚାରିବାରୁ ଧର୍ମେନ୍ଦ୍ର ଜାଟ କହିଛନ୍ତି ଯେ, ‘ତାଙ୍କ ପିତା ସନ୍ନି ଦେଓଲଙ୍କ ବଡ ଫ୍ୟାନ୍ସ ଥିଲେ । ଯେତେବେଳେ ‘ଗଦର-ଏକ ପ୍ରେମ୍ କଥା’ ରିଲିଜ ହୋଇଥିଲା ସେତେବେଳେ ତାଙ୍କ ବାପା ପ୍ରତିଦିନ ଗଦ୍ଦର ଦେଖିବାକୁ ଯାଉଥିଲେ । କେତେବେଳେ ଫିଲ୍ମ ଦେଖିବା ଲାଗି ସେ ନିଜ ସାଙ୍ଗକୁ ସାଙ୍ଗରେ ନେଉଥିଲେ ତ ଆଉ କେତେବେଳେ ଗାଁର ଅନ୍ୟ ଲୋକଙ୍କୁ ସାଥିରେ ଧରି ସେ ଫିଲ୍ମ ଦେଖିବା ଲାଗି ଯାଉଥିଲେ । ଏତେଥର ଦେଖିଲା ପରେ ମଧ୍ୟ ଏହି ଫିଲ୍ମ ପାଇଁ ପିତାଙ୍କ ଆକର୍ଷଣ କମି ନଥିଲା । ଏମିତି କି ଗାଁରେ ଥିବା ଏକ ମନ୍ଦିରରେ ଏକ ଟିଭି ଓ ଭିସିଆର ସ୍ଥାପନ କରିଥିଲେ, ଯେଉଁଠାରେ ଦିନସାରା ‘ଗଦର’ ଫିଲ୍ମ ଚାଲୁଥିଲା ।  ଫିଲ୍ମ ପାଇଁ ତାଙ୍କ ଅଗାଢ ପ୍ରେମ ଦେଖି ଗ୍ରାମବାସୀମାନେ ତାଙ୍କୁ ଗଦର ସେଠ ବୋଲି ଡ଼ାକୁଥିଲେ’ । ଗ୍ରାମ ପଞ୍ଚାୟତ ସଚିବ ଏନେଇ କହିଛନ୍ତି ଯେ, ‘ଲକ୍ଷ୍ମୀନାରାୟଣ ଜାଟଙ୍କ ସ୍ମୃତି ଉଦ୍ଦେଶ୍ୟରେ ପୁଅ ଧର୍ମେନ୍ଦ୍ର ଟ୍ରାକ୍ଟରରେ ଶହ ଶହ ଗ୍ରାମବାସୀଙ୍କୁ ବସାଇ ଫିଲ୍ମ ଦେଖାଇବା ଲାଗି ନେଇଥିଲେ’ ।

Leave A Reply

Your email address will not be published.