Latest Odisha News

BREAKING NEWS

କିଟ୍‌ ଓ ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ର ମଧ୍ୟରେ MoU ସ୍ଵାକ୍ଷରିତ

ଭୁବନେଶ୍ୱର: କଳା, ସଂସ୍କୃତି ଓ ସ୍ଥାପତ୍ୟ କ୍ଷେତ୍ରରେ ଅଧ୍ୟୟନ ଏବଂ ଗବେଷଣାକୁ ସୁଦୃଢ଼ କରିବା ସହ ଭାରତୀୟ ଇତିହାସ ସମ୍ବନ୍ଧୀୟ ପୁରାତନ ଦସ୍ତାବିଜର ଡିଜିଟାଇଜେସନ୍‌କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ କିଟ୍ ବିଶ୍ୱବିଦ୍ୟାଳୟ ଓ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନସ୍ଥ ଏକ ସ୍ୱୟଂଶାସିତ ସଂସ୍ଥା ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ର (ଆଇଜିଏନ୍‌ସିଏ) ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି।

ବୁଧବାର ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉପସ୍ଥିତିରେ ଆଇଜିଏନ୍‌ସିଏ ପକ୍ଷରୁ ସଦସ୍ୟ ସଚିବ ଡ. ସଚ୍ଚିଦାନନ୍ଦ ଯୋଶୀ ଏବଂ କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ଶରଣଜିତ୍ ସିଂହ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ।

ଡ. ଯୋଶୀ ଶିକ୍ଷା ଓ ସାଂସ୍କୃତିକ କାର୍ଯ୍ୟକଳାପ କ୍ଷେତ୍ରରେ କିଟ୍‌ର ଅବଦାନକୁ ପ୍ରଶଂସା କରିଥିଲେ। ସେ କହିଥିଲେ, କିଟ୍ ଭାରତର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ହୋଇଥିବାରୁ ଏହି ପଦକ୍ଷେପ କଳା, ସଂସ୍କୃତି ଓ ଏହା ସହିତ ସଂପୃକ୍ତ ବିଷୟଗୁଡ଼ିକରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ବିଶେଷ ଉପକାରୀ ହେବ। ଓଡ଼ିଶା ନିଜର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପାଇଁ ପରିଚିତ। ଏହି ସହଯୋଗ ମାଧ୍ୟମରେ ଐତିହ୍ୟର ଡକୁମେଣ୍ଟେସନ କ୍ଷେତ୍ରରେ ନୂତନ ପ୍ରକଳ୍ପ ହାତକୁ ନିଆଯାଇପାରିବ। ଶିକ୍ଷା ସହିତ କଳା ଓ ସଂସ୍କୃତି କ୍ଷେତ୍ରରେ ଅଚ୍ୟୁତ ସାମନ୍ତଙ୍କ ନିଷ୍ଠା ଓ ଅବଦାନ ପାଇଁ ମଧ୍ୟ ସେ କୃତଜ୍ଞତା ଜଣାଇଥିଲେ।

କିଟ୍‌ର ବରିଷ୍ଠ ମହାନିର୍ଦ୍ଦେଶକ ପ୍ରଫେସର ଏସ ଏସ ରାୟ କହିଥିଲେ, କଳା ଓ ସାଂସ୍କୃତିକ ଅଧ୍ୟୟନ କ୍ଷେତ୍ରରେ ଏହା ଏକ ଐତିହାସିକ ପଦକ୍ଷେପ। ଏହି ସହଯୋଗ ଦ୍ୱାରା ଦୁଇଟି ପ୍ରତିଷ୍ଠିତ ଅନୁଷ୍ଠାନର ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କ ମଧ୍ୟରେ ଜ୍ଞାନର ଆଦାନପ୍ରଦାନ, ଗବେଷଣା ଓ ଶିକ୍ଷାଗତ କାର୍ଯ୍ୟକ୍ରମ ପାଇଁ ନୂତନ ସୁଯୋଗ ସୃଷ୍ଟି ହେବ।

ଏହି ଅବସରରେ ଡ. ଯୋଶୀ ନିଜ ରଚିତ ପୁସ୍ତକ ‘ଦ କଲଚରାଲ୍ ରେନେସାଁ’ର ଏକ କପି ଅଚ୍ୟୁତ ସାମନ୍ତଙ୍କୁ ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ, ଏହି ବୁଝାମଣା ଦୁଇ ଅନୁଷ୍ଠାନ ମଧ୍ୟରେ ଆନୁଷ୍ଠାନିକ ସଂପର୍କକୁ ଆହୁରି ମଜବୁତ କରିବା ସହ ଉଚ୍ଚଶିକ୍ଷା ଓ ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକ ମଧ୍ୟରେ ସହଯୋଗ ବୃଦ୍ଧି କରିବ। ଏହାଦ୍ୱାରା ଗବେଷଣାର ପ୍ରସାର, ଭାରତର ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଏବଂ କଳା ଓ ସଂସ୍କୃତି କ୍ଷେତ୍ରରେ ନୂତନ ଶିକ୍ଷାଗତ ସୁଯୋଗ ସୃଷ୍ଟି ହୋଇପାରିବ। ଏହି ସହଯୋଗ ଅଧୀନରେ ମିଳିତ ଶିକ୍ଷାଗତ କାର୍ଯ୍ୟକ୍ରମ, ଗବେଷଣା ପ୍ରକଳ୍ପ ଏବଂ ଐତିହାସିକ ଦସ୍ତାବିଜର ଡିଜିଟାଇଜେସନ୍ ସମେତ ବିଭିନ୍ନ ପଦକ୍ଷେପ ହାତକୁ ନିଆଯିବ। ଏହି ପ୍ରୟାସ ଭାରତର ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ, ଦଲିଲୀକରଣ ଓ ବ୍ୟାପକ ପ୍ରସାରରେ ସହାୟକ ହେବ ବୋଲି ଆଶା କରାଯାଉଛି।

କାର୍ଯ୍ୟକ୍ରମରେ ଆଇଜିଏନ୍‌ସିଏ ପକ୍ଷରୁ ଡ. ଅଭୟ ମିଶ୍ର ଓ ଶଙ୍କରଜିତ୍ ଦେ, କିଟ୍‌ର ଉପକୁଳପତି ପ୍ରଫେସର ଦେବାଶିଷ ବନ୍ଦ୍ୟୋପାଧ୍ୟାୟ ଓ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତିଏବଂ କିଟ୍ ଆର୍ଟ ଏକାଡେମୀର ମହାନିର୍ଦ୍ଦେଶକ ପଦ୍ମଶ୍ରୀ ଅଦ୍ୱୈତ ଗଡ଼ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.