Latest Odisha News

ତୃତୀୟ ଥର ପାଇଁ କୋଲକାତା ଜିତିଲା ଆଇପିଏଲ

ଚେନ୍ନାଇ: ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରି କୋଲକାତା ନାଇଟ ରାଇଡର୍ସ ୮ ୱିକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ତୃତୀୟ ଥର ପାଇଁ ଚାମ୍ପିୟନ ହୋଇଛି । ଏହା ପୂର୍ବରୁ ୨୦୧୨ ଓ ୨୦୧୪ରେ କେକେଆର ଟାଇଟଲ ହାସଲ କରିଥିଲା । ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୧୧୪ ରନର ଲକ୍ଷ୍ୟ କେକେଆର ସମ୍ମୁଖରେ ରଖିଥିଲା । ଏହି ଲକ୍ଷ୍ୟକୁ କୋଲକାତା ୧୦.୩ ଓଭରରେ ୨ ୱିକେଟ ହରାଇ ହାସଲ କରି ନେଇଥିଲା । ଭେଙ୍କେଟେଶ ଆୟାର ଦଳ ପକ୍ଷରୁ ସର୍ବାଧିକ ୫୨ ରନ କରି ଅପରାଜିତ୍ ରହିଥିଲେ । ରହମୁନାଲ୍ଲା ଗୁରବାଜ ୩୯, ସୁନୀଲ ନାରିନ ୬ ରନ କରି ଆଉଟ ହୋଇଥିବା ବେଳେ ଶ୍ରେୟାଶ ଆୟାର ୬ ରନ କରି ଅପରାଜିତ ରହିଥିଲେ ।

ଶାହାବାଜ ଅହମ୍ମଦ ଓ ପ୍ୟାଟ କୁମିନ୍ସ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ ୧୮.୩ ଓଭରରେ ୧୧୩ ରନ କରି ଅଲଆଉଟ ହୋଇ ଯାଇଥିଲା । ଆଇଡେନ ମାର୍କରାମ (୨୦), ପ୍ୟାଟ କୁମିନ୍ସ(୨୪), ହେଇନିରିକ କ୍ଲାସେନ ୧୬ ରନ କରିଥିଲେ । ୭ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ୍‌ଥିଲେ ।

ଫାଇନାଲର ସବୁଠାରୁ ଛୋଟ ସ୍କୋର କଲା ହାଇଦ୍ରାବାଦ । ଏହା ପୂର୍ବରୁ ୨୦୧୭ ସଂସ୍କରଣରେ ମୁମ୍ବାଇ ୧୨୯ ରନର ଲକ୍ଷ୍ୟ ପୁଣେ ସୁପର ଜ୍ୟାଂଟସ ସମ୍ମୁଖରେ ରଖିଥିଲା । ଆନ୍ଦ୍ରେ ରସେଲ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ହର୍ଷିତ ରାଣା ଓ ମିଚେଲ ଷ୍ଟାର୍କ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ସୂଚନାଯୋଗ୍ୟ, ଚେନ୍ନାଇ ସୁପର କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ୫ଥର ଲେଖାଏଁ ଟାଇଟଲ ଜିତିଥିବା ବେଳେ ହାଇଦ୍ରାବାଦ ୨୦୧୬ରେ ଚାମ୍ପିୟନ ହୋଇଥିଲା ।

Leave A Reply

Your email address will not be published.