Latest Odisha News

BREAKING NEWS

ଜଗତସିଂହପୁର ଯୁଦ୍ଧ ଜିତିବ କିଏ ?

ଭୁବନେଶ୍ୱର: ଜଗତସିଂହପୁର ବିଜେଡିର ଗଡ ରହିଛି । ୧୯୯୯ରୁ ବିଜେଡି ଏଠାରେ ଜିତି ଆସୁଛିା ଥରେ ସିପିଆଇରୁ ବିଭୂପ୍ରସାଦ ତରାଇ ଜିତିଛନ୍ତି, ତେବେ ତା ବି ବିଜେଡିର ସମର୍ଥନରେ । ତେବେ ଏଥର ବିଜେଡିର ସବୁଠୁ ବଡ ବଳ ବିଧାନସଭା ଗଣିତ ଏପଟ ସେପଟ ହୋଇଯାଇଛି । କେଉଁଠି ପ୍ରାର୍ଥୀ ନହୋଇ ଆଶାୟୀ ଅସନ୍ତୁଷ୍ଟ ତ କେଉଁଠି ବିରୋଧୀ ଶିବିରରେ ବିଦ୍ରୋହୀ ନେତା । ତେଣୁ ବିଦ୍ରୋହୀ ଜଗତସିଂହପୁରରେ ବିଜେଡି ପାଇଁ ଚିନ୍ତା ବଢାଇ ପାରନ୍ତି । ସେପଟେ ବିଜେଡି ଘରକଳିରୁ ଫାଇଦା ନେବାକୁ ରଣନୀତି କରୁଛନ୍ତି ବିଜେପି ପ୍ରାର୍ଥୀ ବିଭୂପ୍ରସାଦ ତରାଇ । କଂଗ୍ରେସରୁ ରବୀନ୍ଦ୍ର ସେଠୀ ମଇଦାନରେ ରହିଛନ୍ତି ।

ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ନୂଆ ଲଢେଇ
ଦ୍ୱିତୀୟ ଥର ପାଇଁ ଜଗତସିଂହପୁର ସଂରକ୍ଷିତ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି ଡାକ୍ତର ରାଜଶ୍ରୀ ମଲ୍ଲିକ । ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ଓ ବିଜେଡି ଭୋଟବ୍ୟାଙ୍କ ଆଧାରରେ ବିଜୟ ରଣନୀତି କଷୁଛନ୍ତି ରାଜଶ୍ରୀା ସେପଟେ ବିଜେପି ପ୍ରାର୍ଥୀ ବିଭୁପ୍ରସାଦ ତରାଇ ଗତ ତିନିଟି ନିର୍ବାଚନରେ ତିନି ଅଲଗା ଅଲଗା ଦଳରୁ ପ୍ରାର୍ଥୀ ହୋଇଛନ୍ତି । ବିଜେଡି ସମର୍ଥନରେ ସିପିଆଇରୁ ୨୦୦୯ରେ ଜିତିଥିଲେ । ତେବେ ୨୦୧୪ ଓ ୨୦୧୯ରେ କଂଗ୍ରେସ ଓ ବିଜେପିରୁ ଲଢି ହାରିଛନ୍ତି । ଏଥର ବିଜେଡି ବିରୋଧୀ ହାୱା ଓ ମୋଦି ଲହର ଆଧାରରେ ଜଗତସିଂହପୁର ଜିତିବାକୁ ପ୍ଲାନ୍ କରୁଛନ୍ତି । ସେପଟେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ରବୀନ୍ଦ୍ର ସେଠୀ । ତେବେ ସେ କଂଗ୍ରେସ ଭୋଟ୍ କେତେ ନିଜ ପାଖରେ ରଖିପାରିବେ, ତାଉପରେ ନଜର ରହିଛି ।

ବିଦ୍ରୋହୀ ବିଗାଡିବେ ଖେଳ!
ଜଗତସିଂହପୁର ବିଜେଡିରେ ମାଳ ମାଳ ବିଦ୍ରୋହୀ । ଟିକେଟ୍ ନମିଳିବା ପରେ ବିଜେଡି ଛାଡିଥିଲେ ଜିଲ୍ଲା ବିଜେଡି ସଭାପତିି ଅମରେନ୍ଦ୍ର ଦାସ । ବିଜେପିରେ ମିଶିବା ସହ ଜଗତସିଂହପୁରରୁ ସେ ପ୍ରାର୍ଥୀ ହୋଇଛନ୍ତି । ଏବେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲିଙ୍କ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ପାଲଟିଛନ୍ତି ଅମରେନ୍ଦ୍ର । ପାରାଦୀପରେ ସମ୍ବିତ ରାଉତରାୟଙ୍କ ବିରୋଧରେ ବିଜେଡିର ଏକ ଗୋଷ୍ଠୀ ମେଳି ବାନ୍ଧିଥିଲେ । ତେବେ ତାଙ୍କ ପତ୍ନୀ ଗୀତାଞ୍ଜଳିଙ୍କୁ ପ୍ରାର୍ଥୀ କରିଛି ବିଜେଡି । ବାଲିକୁଦା-ଏରସମାରେ ସାରଦା ପ୍ରସନ୍ନ ଜେନାଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ ବିଧାୟକ ରଘୁନନ୍ଦନ ଦାସ ଅସନ୍ତୁଷ୍ଟ ରହିଛନ୍ତି । ସେହିପରି କାକଟପୁରରେ ତୁଷାରକାନ୍ତି ବେହେରାଙ୍କୁ ଟିକେଟ୍ ପରେ ସୁରେନ୍ଦ୍ର ସେଠୀଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ଏହାପରେ ସୁରେନ୍ଦ୍ର ସେଠୀ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ତେଣୁ ବିଧାନସଭାରେ ଅସନ୍ତୋଷ ଓ ବିଦ୍ରୋହ ଏଥର ରାଜଶ୍ରୀଙ୍କ ବିଜୟ ପଥର କଣ୍ଟା ହୋଇପାରେ ।

ସମୀର ବଦଳାଇବେ ସମୀକରଣ !
ଟିକେଟ୍ ମିଳିଲାନି, ଶକ୍ତି ପ୍ରଦର୍ଶନ କଲେ । ତଥାପି ଦଳ ନଶୁଣିବାରୁ ବିଜେଡି ଛାଡିଲେ ନିମାପଡା ବିଧାୟକ ସମୀର ଦାଶ । ସେ ବିଜେପିରେ ସାମିଲ ହେବା ପରେ ବଦଳିପାରେ ନିମାପଡା ଅଙ୍କ । ୨୦୦୯, ୨୦୧୪ ଓ ୨୦୧୯ରେ କ୍ରମାଗତ ଭାବେ ନିମାପଡା ଜିତିଥିଲେ ସମୀର । ତେବେ ଏଥର ବିଜେଡି ତାଙ୍କୁ ଭରସା କରିନି । ନିମାପଡାରେ ସମୀରଙ୍କ ସମର୍ଥକ ବିଜେପିକୁ ଆସିବା ପରେ ସମୀକରଣ ଏପଟ ସେପଟ ହେବ । ଏହାର ପ୍ରଭାବ କେବଳ ନିମାପଡା ବିଧାନସଭା ନୁହେଁ, ଜଗତସିଂହପୁର ଲୋକସଭା ଉପରେ ବି ପଡିବ ।

ବିଜେଡି ଅଙ୍କ ଭୁଲ୍ ହେଇଗଲା !
କଂଗ୍ରେସ ନେତା ଚିରଞ୍ଜିବ ବିଶ୍ୱାଳ ଓ ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲଙ୍କୁ ବିଜେଡିରେ ମିଶାଇ କଂଗ୍ରେସ ଭୋଟ୍ ହାତେଇବାକୁ ଉଦ୍ୟମ କରୁଥିଲା ବିଜେଡି । ହେଲେ ଘରକଳି ଏବେ ବିଜେଡି ପାଇଁ ଚିନ୍ତାର କାରଣ ହୋଇଛି । ଚିରଞ୍ଜିବ କି ମୋନିଦୀପାଙ୍କୁ ବି ଥଇଥାନ କରିପାରିନି ଦଳ । ସେପଟେ ଚ୍ୟାଲେଞ୍ଜ ହୋଇ ଠିଆହେଲେଣି ସମୀର ଦାଶ, ଅମରେନ୍ଦ୍ର ଦାସଙ୍କ ଭଳି ଟାଣୁଆ ନେତା । ଖୋଲା ବିଦ୍ରୋହକୁ ଛାଡିଦେଲେ ଦଳରେ ଚାପା ଅସନ୍ତୋଷ ବି ରହିଛି । ଯାହା ବିଜେଡି ପାଇଁ ଜଗତସିଂହପୁର ଲଢେଇକୁ କଷ୍ଟସାଧ୍ୟ କରିପାରେ ।
ନିଆଳି, ଜଗତସିଂହପୁର, ପାରାଦୀପ, ତିର୍ତ୍ତୋଲ, ବାଲିକୁଦା-ଏରସମା, କାକଟପୁର ଓ ନିମାପଡା ବିଧାନସଭା ସିଟକୁ ନେଇ ରହିଛି ଜଗତସିଂହପୁର ଲୋକସଭା ଆସନ । ୨୦୧୯ରେ ସମସ୍ତ ସିଟରେ ଜିତିଥିଲା ବିଜେଡି । ଲୋକସଭା ସିଟରେ ବିଜୟ ବ୍ୟବଧାନ ୨ଲକ୍ଷରୁ ଅଧିକ ରହିଥିଲା । ତେବେ ଦଳବଦଳ ଓ ପ୍ରାର୍ଥୀ ବଦଳ ସହ ଜଗତସିଂହପୁର ଯୁଦ୍ଧ ରୋଚକ ହୋଇଛି ।

ଭୁବନେଶ୍ୱରରୁ ପ୍ରିୟଦର୍ଶିନୀ ମହାପାତ୍ରଙ୍କ ରିପୋର୍ଟ, ଓଡିଶା ସମ୍ବାଦ

Leave A Reply

Your email address will not be published.