ଭୁବନେଶ୍ୱର: ଛୋଟ ପିଲାଙ୍କୁ ମାଆ ଶୁଆଇ ଦେବା ପାଇଁ ନାନାବାୟା ଗୀତ ଗାଉଥିବା ଆପଣ ନିଶ୍ଚିତ ଶୁଣିଥିବେ ।
ସେ ” ଆ ଜହ୍ନ ମାମୁଁ ସରଗ ଶଶୀ, ମୋ କାହ୍ନୁ ହାତରେ ପଡ଼ରେ ଖସି” ହେଉ କି “ଧୋ ରେ ବଇଆ ଧୋ” ହେଉ ।
କେବଳ ଆମ ଓଡ଼ିଆ ମା’ ନୁହଁନ୍ତି ପୃଥିବୀର ସବୁ ସଂସ୍କୃତି ତଥା ପରମ୍ପରାରେ ଏଭଳି ଗୀତ ପ୍ରଚଳିତ ଅଛି ।
ମାଆର ଏହି ଗୀତ ଶୁଣି ନିଘୋଡ଼ ନିଦରେ ଶୋଇପଡେ ଶିଶୁ । କିନ୍ତୁ କଣ ଆପଣ କେବେ ଭାବିଛନ୍ତି ଏହି ଭଳି ନାନାବାୟା ଗୀତ ଶୁଣି କାହିଁକି ଶିଶୁଟିଏ ଶୋଇପଡେ? ଆଜି ଆମେ ଆପଣଙ୍କୁ ଜଣାଇବୁ ଏହା ପଛର ରହସ୍ୟ…
ଶିଶୁଟି ପାଇଁ ମାଆ ଗାଉଥିବା ଏହି ନାନାବାୟା ଗୀତରେ କ’ଣ ଏମିତି ମାଧୁର୍ଯ୍ୟ ବା ଯାଦୁ ଅଛି ଯେ ପିଲା ଶୋଇପଡ଼ନ୍ତି ଏହା ଜାଣିବାକୁ ଲଣ୍ଡନର ଗ୍ରେଟ୍ ଔରମଣ୍ଡ ଷ୍ଟ୍ରିଟ୍ ହସ୍ପିଟାଲରେ ଏକ ଗବେଷଣା କରାଯାଇଥିଲା ।
ଏହି ଗବେଷଣାରେ ୩ରୁ ୭ ବର୍ଷ ବୟସ୍କ ଶତାଧିକ ପିଲାଙ୍କୁ ନେଇ ଏକ ଅଧ୍ୟୟନ କରାଯାଇଥିଲା।
ଏହି ଗବେଷଣାରୁ ଜଣାପଡ଼ିଥିଲା ଯେ, ଏହି ନାନା ବାୟା ଗୀତ ଛୋଟ ପିଲାଙ୍କ ଉପରେ ଅନେକ ସକାରାତ୍ମକ ପ୍ରଭାବ ପକାଉଛି।
ଏହା ଦ୍ୱାରା ଶିଶୁଙ୍କ ମସ୍ତିଷ୍କରେ ଏକ ହରମୋନ କ୍ଷରଣ ହେଉଛି ଯାହା ପିଲାଙ୍କ କଷ୍ଟ ଦୂର କରିବା ସହ ପିଲାର ମସ୍ତିଷ୍କକୁ ଚାପମୁକ୍ତ କରୁଛି । ଯାହା ଶିଶୁକୁ ଆରାମ ଦେଉଛି । ତେଣୁ ସେ ଶାନ୍ତିରେ ଶୋଇ ପଡୁଛି ।