Latest Odisha News

BREAKING NEWS

ଓଷଲାଗି, ଚକାବିଜେ ନୀତି ସହ ଅଣସର ପିଣ୍ଡିରେ ଚାଲିଛି ମହାପ୍ରଭୁଙ୍କ ଜ୍ୱର ଚିକିତ୍ସା

ପୁରୀ: ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ଅନେକ ପାରମ୍ପକରିକ ନୀତି ପାଳିତ ହୋଇଥାଏ । ସ୍ନାନଯାତ୍ରା ହିଁ ରଥଯାତ୍ରା ମହୋତ୍ସବର ଆଦ୍ୟପର୍ବ କହିଲେ ଅତ୍ୟୁକ୍ତି ହେବନାହିଁ ।

ଖାଲି ସେତିକି ନୁହେଁ ସାଧାରଣ ମଣିଷ ଯେପରି ରୋଗଗ୍ରସ୍ତ ସମୟରେ ଔଷଧ ସେବନ କରି ଆରୋଗ୍ୟ ଲାଭ କରିଥାଏ ସେହିପରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ମାନବୀୟ ଲୀଳା ଏଠାେରେ ଦେଖିବାକୁ ମିଳିଥାଏ । ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ନାନ ପୂର୍ଣ୍ଣିମା ଦିନ ସ୍ନାନ ପରେ ପରେ ମହାପ୍ରଭୁଙ୍କ ଅପୂର୍ବ ଗଜାନନ ବେଶକୁ ଭକ୍ତମାନେ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଥାଆନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ ସାଧାରଣ ମଣିଷଟିଏ ପରି ଜ୍ୱରରେ ଆକ୍ରାନ୍ତ ହୋଇଥାନ୍ତି । ତେଣୁ ଦେବସ୍ନାନ ପୂର୍ଣ୍ଣିମା ପରଦିନ ଠାରୁ ନେତ୍ରୋତ୍ସବ ଦିନ ପର୍ଯ୍ୟନ୍ତ ମହାପ୍ରଭୁ ରତ୍ନସିଂହାସନରେ ବସନ୍ତି ନାହିଁ, ବରଂ ଜ୍ୱରରେ ପୀଡ଼ିତ ହେବା ଯୋଗୁଁ କାହାକୁ ଦର୍ଶନ ନଦେଇ ଅଣସର ଘରେ ରହି ଚିକିତ୍ସିତ ହୋଇଥାନ୍ତି ।

ଶ୍ରୀଅଙ୍ଗରେ ଫୁଲୁରି ତେଲ ଲେପନ ଓ ଦଶମୂଳ ମୋଦକ ସେବନ:

ଜ୍ୱର ଯନ୍ତ୍ରଣାରୁ ମୁକ୍ତିଲାଭ କରିବାକୁ ମହାପ୍ରଭୁ ସେବକମାନଙ୍କ ଦ୍ୱାରା ଆୟୁର୍ବେଦ ଚିକିତ୍ସାରେ ଆରୋଗ୍ୟ ଲାଭ କରିଥାନ୍ତି । ମହାପ୍ରଭୁଙ୍କର ସମସ୍ତ ଦଇତାପତି ସେବକ, ବିଶ୍ୱାବସୁ ସେବକ, ବିଦ୍ୟାପତି ବା ପତି ମହାପାତ୍ର ସେବକ ତଥା ସମସ୍ତ ବାଡ଼ଗ୍ରାହୀ ଏବଂ ଦେବବୈଦ୍ୟଙ୍କ ଅକ୍ଳାନ୍ତ ପରିଶ୍ରମ, ଶ୍ରଦ୍ଧା, ସ୍ନେହ, ପ୍ରେମ, ଚିକିତ୍ସା, ସେବା ତଥା ନିରନ୍ତର ଭକ୍ତିଭାବନା ଓ ଦୃଢ ବିଶ୍ୱାସରେ ହିଁ ଜ୍ୱର ପୀଡ଼ା ଉପଶମ ହୋଇଥାଏ ।

ଦେବବୈଦ୍ୟଙ୍କ ଆୟୁର୍ବେଦ ଚିକିତ୍ସା:

ମହାପ୍ରଭୁ ସ୍ନାନମଣ୍ଡପରୁ ସିଧା ଅଣସର ଘରକୁ ଯାଇଥାଆନ୍ତି, ଯେଉଁଠି ତାଙ୍କର ଜ୍ୱର ପୀଡ଼ାକୁ ଚିକିତ୍ସା କରାଯାଇଥାଏ ।ଏହି ଗୁପ୍ତ ଚିକିତ୍ସାସେବାରେ ଯେଉଁ କେତେଗୁଡ଼ିଏ ଗୁପ୍ତସେବା ବା ପଦ୍ଧତିକୁ ଅନ୍ତଭୃକ୍ତ କରାଯାଇଥାଏ, ସେଗୁଡ଼ିକ ହେଲା – କରାଳ ସେବା, ଶ୍ରୀଅଙ୍ଗ ଫିଟା, ଫୁଲୁରି ତେଲ ଘସା, ପଇତା ଲାଗି, ମସୃଣ ଲେପନ, ଦଶମୂଳ ମୋଦକ ସେବନ, ଚନ୍ଦନ ଲାଗି, ଖଡ଼ିଲାଗି, ଓଷୁଅ ଲାଗି, ଅଣସର ତ୍ରୟୋଦଶୀରେ ଗୁପ୍ତ ସେବା, ବନକ ଲାଗି, ଚକା ଅସରପ ।

ଘସାମୋଡ଼ା ସହ ଗୁପ୍ତ ସେବା:

ଏହିସବୁ ସେବାମଧ୍ୟରେ ମହାପ୍ରଭୁଙ୍କୁ ତେଲରେ ଲେପନ କରାଯାଏ, ସେବକମାନେ ତାଙ୍କ ଜ୍ୱର ଯନ୍ତ୍ରଣାର ଦେହକୁ ଘସାମୋଡ଼ା କରିଥାଆନ୍ତି ତ ଦେବବୈଦ୍ୟଙ୍କ ଜଡ଼ିବୁଟି ତଥା ଆୟୁର୍ବେଦ ପଥି ଓ ଦଶମୂଳ ମୋଦକ ବଟିକା ସେବନ କରିବାର ଅନେକ ଗୁପ୍ତ ସେବା ରହିଛି ।

ସେବକମାନଙ୍କ ଦ୍ୱାରା ଏହିସବୁ ଗୁପ୍ତସେବା ସମାପ୍ତ ହେବାପରେ ଭକ୍ତମାନଙ୍କୁ ନବଯୌବନ ଦର୍ଶନ ଦେଇଥାଆନ୍ତି ବିଶ୍ୱାସ ଭକ୍ତିର ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ ।

Leave A Reply

Your email address will not be published.