Latest Odisha News

BREAKING NEWS

ଓଡ଼ିଶାର ତାଳପତ୍ର ପୋଥି ପାଣ୍ଡୁଲିପି ସମ୍ପର୍କରେ ଜାଣନ୍ତୁ

ଭୁବନେଶ୍ୱର: ସମଗ୍ର ବିଶ୍ୱରେ ଭାରତ ସର୍ବାଧିକ ପୋଥି ପାଣ୍ଡୁଲିପିର ଗନ୍ତାଘର । ଏହି ପାଣ୍ଡୁଲିପିଗୁଡିକ ଭାରତର ବିଭିନ୍ନ ଭାଷାରେ ଧର୍ମ, ଦର୍ଶନ, ବିଜ୍ଞାନ, କଳା ଓ ସାହିତ୍ୟ ଇତ୍ୟାଦି ବିଷୟରେ ଲିଖିତ ହୋଇଅଛି । ଏଗୁଡିକ ତାଳପତ୍ର, କାଠ, କାଗଜ, ପଥର, ବାଉଁଶପତ୍ର, ରୂପା, ପିତ୍ତଳ, ବକ୍କଳ ଓ ବସ୍ତ୍ର ପ୍ରଭୃତିରେ ଲିଖିତ ଓ ଖୋଦିତ ହୋଇ ଭାରତ ତଥା ବିଶ୍ୱର କୋଣ ଅନୁକୋଣରେ ରହିଅଛି ।

ଓଡିଶା ଉକୃଷ୍ଟ ମୂଲ୍ୟବାନ ତାଳପତ୍ର ପୋଥି ସଂପଦକୁ ନେଇ ଯେତିକି ରୁଦ୍ଧିମନ୍ତ ଉତ୍ତର ଓଡ଼ିଶାର ଉପାନ୍ତ ଅଂଚଳରୁ ସଂଗୃହୀତ ହୋଇଥିବା ପୋଥି ସମୂହକୁ ନେଇ ମଧ୍ୟ ସେତିକି ବୈଭବମୟ । ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଏବଂ ବହୁ ବେସରକାରୀ ସଂସ୍ଥାରେ ଗଚ୍ଛିତ ଥିବା ବିଭିନ୍ନ ତାଳପତ୍ର ପୋଥି ପ୍ରାୟ ଦଶମ ଶତାବ୍ଦୀଠାରୁ ଓଡିଶାର ଐତିହ୍ୟ, ପ୍ରାଚୁର୍ଯ୍ୟ ଏବଂ ମହାନ୍ ପରଂପରାର ଗାଥା ବହନ କରି ଆସୁଛି । ଏହା ବାଲେଶ୍ଵର ଜିଲ୍ଲାର ଗ୍ୟାଧୀବେଧା ନିକଟରୁ ମିଳିଥିବା ଜୈନଭିକ୍ଷୁ କୁମାର ସେନଙ୍କ ଅଭିଲେଖରୁ ପ୍ରମାଣ ମିଳେ ।

ଓଡିଶାର ଐତିହ୍ୟ, ସଂସ୍କୃତି, କଳା ଓ କାରୁକାର୍ଯ୍ୟ ସଂପର୍କରେ ଏଗୁଡିକ ଯେ ଜ୍ଞାନର ଗନ୍ତାଘର, ଏଥିରେ ଦ୍ଵିରକ୍ତି ନାହିଁ । ଯେହେତୁ ଓଡିଶାରେ ତାଳପତ୍ର ବହୁଳ ଭାବରେ ଉପଲବ୍ଧ ହୁଏ, ତେଣୁ ଏଠାରେ ତାଳପତ୍ର ପୋଥି ପରଂପରାକ୍ରମେ ଅଧିକରୁ ଅଧିକ ଲୋକପ୍ରିୟ ହେବାକୁ ଲାଗିଲା । ବିଭିନ୍ନ ବିଷୟ ବସ୍ତୁକୁ ଲୌହ ଲେଖନୀ ସାହାଯ୍ୟରେ ଖୋଦନ କରିବା ମଧ୍ୟ କ୍ରମେ ସହଜ ମନେ ହେଲା । ଓଡ଼ିଆ ଲିପିର ଗୋଲାକୃତି ଶୈଳୀ ଯୋଗୁଁ ଏହା ଉନ୍ନତମାନର ହେବା ସହଜ ହୋଇପାରିବା ସଂଗେ ସଂଗେ ଏହି ପରଂପରା ଏଯାଏଁ ମଧ୍ୟ ଅପରିବର୍ତ୍ତିତ ରହିଛି ।

ଏହି ଅମୂଲ୍ୟ ପୋଥିଗୁଡିକ ମଧ୍ୟରୁ କେତେକ ନଷ୍ଟ ହୋଇ ଯାଇଥିବାବେଳେ ବର୍ତ୍ତମାନ ଅନେକ ଧ୍ଵଂସାଭିମୁଖୀ । ଏହାର ସର୍ବେକ୍ଷଣ, ପଞ୍ଜିକରଣ, ରକ୍ଷଣାବେକ୍ଷଣ ଓ ଏଥିରେ ଥିବା ଲୁକ୍କାୟିତ ଜ୍ଞାନର ପରିପ୍ରକାଶ ଓ ପ୍ରଚାର ଉଦ୍ଦେଶ୍ୟରେ ଭାରତ ସରକାର ଜାତୀୟ ପାଣ୍ଡୁଲିପି ଅଭିଯାନ ପ୍ରତିଷ୍ଠା କରିଛନ୍ତି ।

ଏହି ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ଦେଶ ବିଦେଶର ପାଣ୍ଡୁଲିପି ସହ ଜଡିତ ଥିବା ସଂସ୍ଥାମାନଙ୍କ ଦ୍ଵାରା ସାଧିତ ହେଉଛି ।

Leave A Reply

Your email address will not be published.