ମୁମ୍ବାଇ: ଏନସିପି (ଏସପି) ମୁଖ୍ୟ ଶରଦ ପାୱାର ପୁଣି ଅସୁସ୍ଥ । ଗୁରୁବାର ସାଉଥ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଡିହାଇଡ୍ରେସନ ପାଇଁ ଅସୁସ୍ଥ ହୋଇପଡିଥିବା ତାଙ୍କ ଝିଅ ତଥା ସାଂସଦ ସୁପ୍ରିୟା ସୁଲେ ସୂଚନା ଦେଇଛନ୍ତି । ବାପା ଶରଦଙ୍କୁ ବିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରିଥିବା ସୁପ୍ରିୟା କହିଛନ୍ତି । କିଛିଦିନ ତଳେ ମେଡିକାଲରୁ ସୁସ୍ଥ ହୋଇ ଫେରିଥିଲେ ଏନସିପି(ଏସପି) ମୁଖ୍ୟ ଶରଦ । କାମର ଗତି କିଛିମାତ୍ରାରେ କମ୍ କରିବା ସହ ଯାତ୍ରା କମ୍ କରିବାକୁ ଡାକ୍ତର ପରାମର୍ଶ ଦେଇଥିବା ସେ ଜଣାଇଛନ୍ତି । କାମକୁ ଭଲ ପାଉଥିବା ଶରଦ କାହାରି କଥା ଶୁଣୁନଥିବା ଜଣାଇଛନ୍ତି ସୁପ୍ରିୟା ।
ସୂଚନା ଅନୁସାରେ ସୁପ୍ରିୟା ସୁଲେ ନିର୍ମାଣ ପଏଂଟରେ ଥିବା ପାର୍ଟି ଅଫିସରେ ଏକ ବୈଠକରେ ଯୋଗଦେବାକୁ ଯାଇଥିଲେ । ହେଲେ ହଠାତ୍ ବାପା ଶରଦଙ୍କ ଦେହ ଅସୁସ୍ଥ ହେବାରୁ ବୈଠକ ଅଧାରୁ ଚାଲି ଯାଇଥିଲେ , ବାପାଙ୍କ ସହ ରହିବାକୁ । ନିକଟରେ ଏହି ୮୫ ବର୍ଷୀୟ ଭେଟେରାନ୍ ରାଜନେତା ଶରଦ ପାୱାର ମେଡିକାଲରେ ଭର୍ତ୍ତି ହୋଇଥିଲେ । ତାଙ୍କ ଛାତିରେ ଇନଫେକସନ ହୋଇଥିଲା । ଏବଂ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ । ମେଡିକାଲରୁ ସୁ୍ସଥ ହୋଇ ଫେରିବା ପରେ ସବୁ କାମ ଠିକ୍ ଚାଲିଥିଲା । ଏବେ ପୁଣି ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ତାଙ୍କ ଝିଅ ଜଣାଇଛନ୍ତି । ଶରଦଙ୍କ ଶୁଭେଚ୍ଛୁ ଚିନ୍ତା ପ୍ରକଟ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୁପ୍ରିୟା ସୁଲେ ।
