ଶ୍ରୀମନ୍ଦିର ପରମ୍ପରାରେ ମହାଦୀପ: ନୀଳଚକ୍ରରେ ମହାଦୀପ ଦର୍ଶନ

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ)

ଭାରତୀୟ ସଂସ୍କୃତି ତଥା ପରମ୍ପରାରେ ନିଜର ତଥା ନିଜ ପରିବାରବର୍ଗଙ୍କର ମଙ୍ଗଳ କାମନା କରି ପ୍ରଭୁଙ୍କ ପାଖରେ ଦୀପ ଦାନ କରାଯିବାର ବିଧି ଅତି ଜନପ୍ରିୟ ଓ ଲୋକପ୍ରଚଳିତ । କିନ୍ତୁ, ଯଦି ନିଜ ରାଜାଙ୍କର ତଥା ସମଗ୍ର ଜଗତର ମଙ୍ଗଳ କାମନା ରୂପକ ମହାନ ଉଦ୍ଦେଶ୍ୟରେ ଏହି ଦୀପ ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ଅର୍ପଣ କରାଯାଏ, ତେବେ ତାହା ହୋଇଉଠେ “ ମହାଦୀପ “ । ଉତ୍କଳୀୟ ପରମ୍ପରାରେ ଶ୍ରୀମନ୍ଦିର ଚୂଡ଼ାରେ ମହାଦୀପ ଦେଖାଇବା ଏକ ମହାନ ଲୋକତାନ୍ତ୍ରିକ ବିଧି । କାରଣ ଏହି ନୀତି ସମ୍ପାଦନ କରୁଥିବା ସମୟରେ ସମ୍ପୃକ୍ତ ସେବକ ସମଗ୍ର ଉତ୍କଳ ଖଣ୍ଡର ( ବର୍ତ୍ତମାନ ସମୟର ଗଜପତି ) ମହାରାଜାଙ୍କର ଜୟ ଜୟକାର କରି ମହାରାଜାଙ୍କୁ ସୁରକ୍ଷା ଦେବା ନିମିତ୍ତ ତଥା ସଂସାରକୁ ସୁଖୀ ରଖିବା ନିମିତ୍ତ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଥାନ୍ତି । ଆସନ୍ତୁ, ଏବେ ଜାଣିବା ଏହି ମହାନ ଜନକଲ୍ୟାଣକାରୀ ନୀତି ସମ୍ପର୍କରେ ।

“ ଏକାଦଶ୍ୟାଂ ତିଥୌ ପ୍ରାତଃ ପୂଜା ଯଜ୍ଞାନ୍ତତୋ ହରେଃ
ପାର୍ଶ୍ୱଂ କୃଷ୍ଣଂ ସମାନୀୟ ପ୍ରାର୍ଥୟେଦର୍ଚକଃ ପ୍ରଭୁମ୍ “

ଶ୍ରୀମନ୍ଦିରରେ ପ୍ରତ୍ୟେକ ଏକାଦଶୀ ଦିନ ରାତ୍ରରେ ଏହି ମହାଦୀପ ଆଳତି ହୁଏ । ଏହା ପୂର୍ବରୁ ସନ୍ଧ୍ୟା ଧୂପ ପରେ ଗରୁଡ଼/ଚୂନରା ସେବକ ତିନୋଟି ରୂପା କଳସ ଆଣି ସେଥିରେ କଞ୍ଚା କଦଳୀ ବାସୁଙ୍ଗାରେ ନୂଆ କନା ଗୁଡ଼ାଇ, ଘିଅ ଦ୍ବାରା ବଳିତା ନିର୍ମାଣ କରିଥାନ୍ତି । ଏହି ଘୃତପୂର୍ଣ୍ଣ କଳସ ଗୁଡିକରେ ବାସୁଙ୍ଗା ବୁଡି ରହିଥାଏ ଓ ବଳିତା କାଠି ଉପରକୁ ଥାଏ । ତାପରେ ଏହାକୁ ସମ୍ପୃକ୍ତ ସେବକ ରତ୍ନ ସିଂହାସନ ପାଖକୁ ନେଇ ଯାଇଥାନ୍ତି । ତାପରେ ତିନି ବାଡ଼ରେ ପୂଜାପଣ୍ଡା ସେବକ ଏହି ବଳିତା ଗୁଡିକୁ ସଂସ୍କାର କରି ମହାଦୀପ ଆଳତି କରନ୍ତି । ଏହି ମହାଦୀପ ରତ୍ନ ସିଂହାସନର ଚତୁଃପାର୍ଶ୍ୱ ପରିକ୍ରମା କରି ଜୟ ବିଜୟ ଦ୍ୱାର ଦେଇ ମା ବିମଳାଙ୍କ ମନ୍ଦିର ପର‌୍ୟ୍ୟନ୍ତ ଯାଇଥାଏ । ଏହି ସମୟରେ ଘଟୁଆରି, ଚୂନରା ସେବକଙ୍କୁ ବାରଟି ଚନ୍ଦ୍ରଉଦିଆ ଦିଅନ୍ତି ଓ ଚୂନରା ସେବକ ଶ୍ରୀନୀଳଚକ୍ରଙ୍କ ପାଇଁ ଉଦ୍ଦିଷ୍ଟ ତୁଳସୀ, ଚନ୍ଦନ ଆଦି ପୂଜାପଣ୍ଡାଙ୍କ ଠାରୁ ନେଇଥାନ୍ତି । ତାପରେ କଳସ ରଖିଦେଇ ମହାଦୀପ, ଚନ୍ଦ୍ରଉଦିଆ ଧରି ତିନିଜଣ ଚୂନରା ସେବକ ମନ୍ଦିର ଉପରକୁ ଯାଆନ୍ତି । ସାଙ୍ଗରେ ସେମାନେ ନଡ଼ିଆ କତା ଲଗାଇ ନିଆଁ ନେଇଥାନ୍ତି । ଶ୍ରୀମନ୍ଦିର ଶୀର୍ଷରେ ପହଞ୍ଚିବା ପରେ ଦଧିନଉତି ତଳେ ଦଣ୍ଡାୟମାନ ହୋଇ ସେମାନେ ତୁଳସୀ, ଚନ୍ଦନ ଆଦି ଶ୍ରୀନୀଳଚକ୍ରଙ୍କୁ ଲାଗି କରି ମହାଦୀପ ଓ ଚନ୍ଦ୍ରଉଦିଆ ଲଗାଇ ଅଁଳା ବେଢ଼ାକୁ ତିନି ଘେରା ପରିକ୍ରମା କରିଥାନ୍ତି ଏବଂ ପ୍ରତ୍ୟେକ ଦିଗରେ ତିନୋଟି ଲେଖାଏଁ ଚନ୍ଦ୍ରଉଦିଆ ଜାଳନ୍ତି । ପରିକ୍ରମା ସମୟରେ ସମ୍ପୃକ୍ତ ଚୂନରା ସେବକ ମହାପ୍ରଭୁ ଓ ବର୍ତ୍ତମାନର ପୁରୀ ଗଜପତି ମହାରାଜାଙ୍କର ନାମ ଉଚ୍ଚାରଣ କରି ମଙ୍ଗଳକାରୀ ଡାକ ଦେଇଥାନ୍ତି ।

” ହରି ବୋଲି ବୋଲ ହେ … ହରି ବୋଲି ବୋଲ ହେ … ମହାପ୍ରଭୁ … ଶ୍ରୀ ଶ୍ରୀ ଶ୍ରୀ ବୀରଶ୍ରୀ ଗଜପତି ଗୌଡେଶ୍ୱର ନବକୋଟି କର୍ଣ୍ଣାଟୋତ୍କଳ ବର୍ଗେଶ୍ୱର ବୀରାଧିବୀରବର ଭୂତ ଭୈରବ ସାଧୁ ଶାସନୋତ୍ତୀର୍ଣ୍ଣ ରାଉତ ରାଜ ଅତୁଳବଳ ପରାକ୍ରମ ସଂଗ୍ରାମେ ସହସ୍ର ବାହୁ କ୍ଷତ୍ରିୟକୂଳ ଧୂମକେତୁ ମହାରାଜାଧିରାଜ ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କୁ ଶଙ୍ଖେ ପୁରାଇ ଚକ୍ରରେ ଆଢୁଆଳ କରି ରଖିବା ହୁଅନ୍ତୁ ମହାପ୍ରଭୁ … ହରି ବୋଲି ବୋଲ ହେ … ହରି ବୋଲି ବୋଲ ହେ … ମହାପ୍ରଭୁ, ସଂସାର ସୁଖୀ ରହୁ “

ଭୟଙ୍କର ଝଡ଼ ତୋଫାନରେ ମଧ୍ୟ ମହାପ୍ରଭୁଙ୍କର ଏହି ନୀତି ସ୍ଥଗିତ ହୋଇ ନଥାଏ । ଏହିପରି ଭାବରେ ଚୂନରା ସେବକ ମାନେ ଅତି ନିଷ୍ଠାର ସହିତ ଏହି ମହାନ ନୀତିକୁ ସମ୍ପାଦନ କରିଥାନ୍ତି ।

ଅଧିକ ପଢନ୍ତୁ: ଯୁଗେ ଯୁଗେ ମହାପ୍ରଭୁ ଓ ଶ୍ରୀମନ୍ଦିର…

ଏହି ମହାଦୀପର ଦର୍ଶନ କରି ଶ୍ରୀକ୍ଷେତ୍ରରେ ଏକାଦଶୀ ବ୍ରତାଚାରୀ ମାନେ ନିଜର ଏକାଦଶୀ ବ୍ରତ ସମ୍ପନ୍ନ କରିଥାନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଲୀଳା ଅପୂର୍ବ ଓ କଲ୍ୟାଣକର । ସେ ଏହିପରି ଭାବେ ତାଙ୍କର ଭକ୍ତଙ୍କର ମନସ୍କାମନା ସବୁକୁ ପୂର୍ଣ୍ଣ କରୁଥାନ୍ତୁ ଓ ଗଜପତିଙ୍କୁ ସୁରକ୍ଷା ଦେବା ସହିତ ସଂସାରର ମଙ୍ଗଳ ସାଧନ କରୁଥାଆନ୍ତୁ । ।। ଜୟ ଜଗନ୍ନାଥ ।।

ମାର୍କଣ୍ଡେଶ୍ୱର ସାହି, ରାଧାଗୋବିନ୍ଦ ଲେନ୍‌, ପୁରୀ  ମୋ – ୯୮୬୧୩୩୨୪୩୪
(ଲେଖକ ଜଣେ ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ ସ୍ତମ୍ଭକାର)

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।