Latest Odisha News

ଯୁଗେ ଯୁଗେ ମହାପ୍ରଭୁ ଓ ଶ୍ରୀମନ୍ଦିର…

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ)

ବିଶାଳ ଜଗତର ସୃଷ୍ଟିକର୍ତ୍ତା ପରମେଶ୍ୱର ଶ୍ରୀଜଗନ୍ନାଥ ଦାରୁବିଗ୍ରହ ଧାରଣ କରି ଜୀବଗଣଙ୍କର ପରମକଲ୍ୟାଣ ସାଧନ ନିମନ୍ତେ ପୁରୁଷୋତ୍ତମ କ୍ଷେତ୍ରରେ ନିତ୍ୟ ବିଦ୍ୟମାନ । ସେ ହିଁ ବଦ୍ରିନାଥ, ନୃସିଂହନାଥ, ରଘୁନାଥ, ଗୋପୀନାଥ ଏବଂ ଅନାଥର ନାଥ ଜଗନ୍ନାଥ । ଏ କ୍ଷେତ୍ର ନୀଳାଚଳ ଧାମ ବା ପୁରୁଷୋତ୍ତମ ଧାମ । ଜନଶ୍ରୁତି ଅନୁସାରେ, ଭାରତର ଚାରିଧାମ ମଧ୍ୟରୁ ଭଗବାନ ପରଂବ୍ରହ୍ମ ବିଷ୍ଣୁ ଉତ୍ତରର ବଦ୍ରିକାଠାରେ ସ୍ନାନ କରନ୍ତି, ଦକ୍ଷିଣରେ ରାମେଶ୍ୱର ଠାରେ ଶୟନ କରନ୍ତି, ପଶ୍ଚିମରେ ଦ୍ୱାରିକାଠାରେ ବେଶ ହୁଅନ୍ତି ଏବଂ ପୂର୍ବରେ ଶ୍ରୀପୁରୁଷୋତ୍ତମ ଧାମରେ ଶ୍ରୀଜଗନ୍ନାଥ ରୂପେ ଭୋଜନ କରନ୍ତି । ଏ କ୍ଷେତ୍ର ଦିବ୍ୟ କ୍ଷେତ୍ର । ମୋକ୍ଷର କ୍ଷେତ୍ର । ମୁକ୍ତିର କ୍ଷେତ୍ର ।

ଅଧିକ ପଢନ୍ତୁ: ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଜନ୍ମଦିନ କାହିଁକି ପାଳିତ ହୋଇଥାଏ !

କାରଣ ପ୍ରଭୁଙ୍କ ଉଚ୍ଚିଷ୍ଟାନ୍ନଙ୍କୁ ଭକ୍ଷଣ କରି ଜୀବ ଏଠି ମୁକ୍ତିଲାଭ କରେ । ଯାହାର ନାମ ମହାପ୍ରସାଦ । ଏହାକୁ ସେବନ କଲେ ସର୍ବଦୁଃଖ ନିବୃତ୍ତି ହୋଇ ପରମାନନ୍ଦ ପ୍ରାପ୍ତି ହୁଏ । “ପ୍ରସାଦେତୁ ପ୍ରସନ୍ନତା” ବ୍ୟକ୍ତି ନିତ୍ୟ ମୋକ୍ଷ ଲାଭ କରିଥାଏ ।

ଶ୍ରୀମଦ୍ ଭଗବତ୍ ଗୀତାରେ କୁହାଯାଇଛି:

“ପ୍ରସାଦେ ସର୍ବଦୁଃଖାନାଂ ହାନିରସ୍ୟୋଽପଦାୟତେ
ପ୍ରସନ୍ନଚେତ ସୋ ଦ୍ୟାଶୁ ବୁଦ୍ଧିଃ ପର‌୍ୟ୍ୟବତିଷ୍ଠତେ ।”

ଏହି ଦିବ୍ୟ କ୍ଷେତ୍ର ଶ୍ରୀ ବା ଲକ୍ଷ୍ମୀଙ୍କର କ୍ଷେତ୍ର । ସ୍ୱୟଂ ଲକ୍ଷ୍ମୀ ଠାକୁରାଣୀ ପ୍ରତ୍ୟହ ଭୋଜନ ରନ୍ଧନ କରି ପରଷିଦିଅନ୍ତି ମହାପ୍ରଭୁଙ୍କୁ । ଏଠି ପ୍ରଭୁ ମଧ୍ୟ ବେଦୋକ୍ତ ସହିତ ଶାବରୀ ମତରେ ପୂଜା ପାଇଥାନ୍ତି । ଶାବରୀ କହିଲେ – ଶବର ରାଜା ବିଶ୍ୱାବସୁଙ୍କ ବଂଶଧରମାନଙ୍କ ଦ୍ୱାରା ସେବା ପୂଜା ହୋଇଥାଏ । ଏଠି ପ୍ରଭୁ ଦିନକ ମଧ୍ୟରେ ୫ଥର ଭୋଗ ପାଇଥାନ୍ତି ।

ସମଗ୍ର ଭାରତବର୍ଷରେ ୫୬ ଭୋଗଖିଆ ଠାକୁର । ଷୋଡ଼ଶ ଉପଚାର ଓ ପଞ୍ଚୋପଚାରରେ ଭୋଗ ଖାଇଥାନ୍ତି । ମାତ୍ର ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ବିଶେଷ ଯାତ୍ରା ସ୍ନାନଯାତ୍ରାଠାରୁ ନୀଳାଦ୍ରିବିଜେ ପର‌୍ୟ୍ୟନ୍ତ ପ୍ରଭୁଙ୍କର ସେବାପୂଜା ସ୍ୱତନ୍ତ୍ର ରୂପେ ହୋଇଥାଏ ।

ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିର ଉଲ୍ଲେଖ ପ୍ରକାରେ ବଡ ଦେଉଳ ପ୍ଲଟ୍ ନମ୍ବର ୧୪୮ରେ ଏବଂ ଚାହାଁଣୀ ମଣ୍ଡପର ଉତ୍ତର ଦିଗରେ ତଥା ଆନନ୍ଦ ବଜାରର ଉତ୍ତର ପୂର୍ବ କୋଣରେ ସ୍ନାନ ମଣ୍ଡପ ଅବସ୍ଥିତ । ବଉଳମାଳା ପ୍ରସ୍ତରରେ ଏହା ନିର୍ମିତ । ଏହା ପୂର୍ବ ଦିଗକୁ ମୁହଁ କରି ରହିଛି । ଏହାର ଦୈର୍ଘ୍ୟ ଓ ପ୍ରସ୍ଥ ପ୍ରାୟ ୭୫ ଫୁଟ ହେବ । ମଣ୍ଡପ ଉପରକୁ ଯିବା ପାଇଁ ଦକ୍ଷିଣ ଓ ଉତ୍ତର ଉଭୟ ପାଶ୍ୱର୍ରେ ପଥର ପାହାଚମାନ ରହିଛି । ମଣ୍ଡପରେ ଏକ ସିଂହାସନ ଓ ତିନି ବିଗ୍ରହ ବସିବା ପାଇଁ ବଡ଼ ପିଣ୍ଡିମାନ ନିର୍ମାଣ କରାଯାଇଛି । ତିନିଟି ପିଣ୍ଡି ମଧ୍ୟରୁ ଜଗନ୍ନାଥଙ୍କ ପିଣ୍ଡିର ବ୍ୟାସର୍ଦ୍ଧ ୩ ଫୁଟ ଓ ଉଚ୍ଚତା ୯ ଇଞ୍ଚ, ଦେବୀ ସୁଭଦ୍ରାଙ୍କ ପିଣ୍ଡିର ବ୍ୟାସାର୍ଦ୍ଧ ୨ ଫୁଟ ଓ ଉଚ୍ଚତା ୧୧ ଇଞ୍ଚ, ଏବଂ ବଳଭଦ୍ରଙ୍କ ପିଣ୍ଡିର ବ୍ୟାସାର୍ଦ୍ଧ ୨ ଫୁଟ ୪ ଇଞ୍ଚ ଓ ଉଚ୍ଚତା ୮ ଇଞ୍ଚ । ଏହା ଏକ ବର୍ଗାକାର କ୍ଷେତ୍ର ସଦୃଶ ଓ ମେଘନାଦ ପାଚେରିଠାରୁ ପ୍ରାୟ ୧୦ ଫୁଟ ବ୍ୟବଧାନରେ ଅବସ୍ଥିତ । ବିଶେଷକରି ଏହା ଅତି ଉଚ୍ଚରେ ନିର୍ମିତ ହେତୁ ସିଂହଦ୍ୱାରର ଯେକୌଣସି ସ୍ଥାନରେ ଛିଡ଼ା ହେଲେ ମଧ୍ୟ ସ୍ନାନ ମଣ୍ଡପରେ ବିରାଜମାନ କରିଥିବା ଠାକୁରଙ୍କୁ ଦେଖାହୁଏ ।

ପୂର୍ବେ ନୀଳଚକ୍ର ଉପରେ ଲାଗୁଥିବା ପତିତପାବନ ବାନା ମହାଦାଧି ଯାଏଁ ଲମ୍ବିଥିଲା । ଯାହାକୁ ଧରି ଭକ୍ତ ମାନେ ସଂକଳ୍ପ କରି ମହୋଦଧି ରେ ବୁଡ଼ ପକାଉଥିଲେ ଓ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରୁଥିଲେ । କାଳ କ୍ରମେ ଏହା ଛୋଟ କରିଦିଆଗଲା ଯାହା କି ନୀଳଚକ୍ରରୁ ପାଟ ଅଗଣାରେ ଥିବା ପାଦୁକ କୁଣ୍ଡ ଯାଏଁ ଲମ୍ବିଥିଲା । ଏହାକୁ ପାଦୁକଖିଆ ବାନା କୁହା ଯାଉଥିଲା । ଏହା ପ୍ରାୟ ୧୫୧ହାତ ଲମ୍ବା ଥିଲା । ପରେ ଏହାର ଲମ୍ବ ପୁନର୍ବାର ଛୋଟ କରା ଯାଇ ୫୧,୨୫,୨୧ ହାତ ଏବଂ ବର୍ତ୍ତମାନ ୧୪ ହାତ ଲମ୍ବ ର ବାନା ନୀଳଚକ୍ର ରେ ଲାଗୁଅଛି । ଯେହେତୁ ପୂର୍ବରୁ ଏହା ବହୁତ ଲମ୍ବା ଥିଲା, ଏହା ପଞ୍ଚ କୋଷ ପର‌୍ୟ୍ୟନ୍ତ ଦିଶୁଥିଲା ଏବଂ ପଞ୍ଚକୋଷ ଦୂରରେ ଥାଇ ମଧ୍ୟ ଚକ୍ର ମଣୋହି ହେଇ ପାରୁଥିଲା । ଜୟ ଜୟ ଜଗନ୍ନାଥ ମଣିମା ହେ ମଙ୍ଗଳମୟ ସମସ୍ତଙ୍କ ମଙ୍ଗଳ କରନ୍ତୁ. ପ୍ରଭୁ ଆପଣଙ୍କ ଜୟ ହେଉ ।

ତେଣୁ ଭକ୍ତ ଗାଇ ଉଠନ୍ତି:
“ପଞ୍ଚ କୋଶି ଯାଏ ଜନେ ଦେଖା ଯାଏ
ଦର୍ଶନେ ଟଳ୍ମଷ ହୁଅଇ ଚୂନା
ଚଉଦ ବ୍ରାହ୍ମଣ୍ଡ କରତା ଙ୍କ ଲୀଳା
ଶଙ୍ଖ ନାଭି କ୍ଷେତ୍ରେ ବିଚିତ୍ର ଲୀଳା “

ଏ ବିଷୟ ଉଲ୍ଲେଖ ଏଇଥିପାଇଁ କଲୁ ଯେ ଶ୍ରୀଜଗନ୍ନାଥ ସଂସ୍କୃତି ତଥା ସ୍ବୟଂ ମହାପ୍ରଭୁ ହେଉଛନ୍ତି ୪କୋଟି ଓଡିଆଙ୍କର ସ୍ନେହଁର, ଶ୍ରଦ୍ଧାର, ଭାବର କାଳିଆ ଠାକୁର । ଆମ ସଂସ୍କୃତି, ଆମ ପରମ୍ପରା, ଆମ ପ୍ରଥା ଖୁବ ନିଆରା ଢଙ୍ଗର । ବାର ପୁନିଅଁ, ତେର ପର୍ବରେ ପ୍ରତ୍ୟେକ ଓଡିଆଣୀ ତା ନିଜ ଘରେ ମୁରୁଜରେ ଚକାଆଖି ଆଙ୍କି, ଠା  ପିଢା କରି ମହାପ୍ରଭୂଙ୍କୁ ସୁମିଷ୍ଟ ନୈବେଦ୍ୟ ଅର୍ପଣ କରାଏ । ଘର ବାରି ରେ ନୂଆ ଫଳ ଟିଏ ଫଳିଲେ ଶ୍ରଦ୍ଧା ରେ ମହାପ୍ରଭୂଙ୍କୁ ସମର୍ପଣ କରିଦିଏ । କଅଁଳିଆ ପିଲାଙ୍କ ରୋଗ ବୈରାଗରେ କାଳିଆ ଦିଅଁଙ୍କୁ ନିଉଛାଳି କରିଦିଏ ।

ଏତତ୍ ଭିନ୍ନ, ଗୁରୁବାର ଓଷା ଏବଂ ସାବିତ୍ରୀ ବ୍ରତ ଓଡିଶାର ପ୍ରତ୍ୟେକ ଘରେ ପରମ୍ପରା ସଦୃଶ । ଲକ୍ଷ୍ମୀପୂଜା – ଘରର ଧନ,ମାନ,ସନ୍ତାନ ସୁଖ ପାଇଁ, ସାବିତ୍ରୀ ବ୍ରତ ବିଶେଷ କରି ସଧବା ସ୍ତ୍ରୀ ଲୋକ ମାନେ ସ୍ବାମୀଙ୍କ ଦିର୍ଘାୟୁ ତଥା ନିରାମୟ ଜୀବନ ପାଇଁ କରିଥାନ୍ତି ।

(ଲେଖକ ଜଣେ ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ ସ୍ତମ୍ଭକାର)

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Leave A Reply

Your email address will not be published.