Latest Odisha News

BREAKING NEWS

ଲୁପ୍ତ ପ୍ରାୟ ପାରମ୍ପରିକ ଲୋକନୃତ୍ୟ ‘ତାମସା’ ସମ୍ପର୍କରେ ଜାଣନ୍ତୁ

ଭୁବନେଶ୍ୱର: ଓଡ଼ିଶାର ଲୋକନୃତ୍ୟ ଓଡ଼ିଶାର କଳା ଓ ସଂସ୍କୃତିର ପରିଚାୟକ । ଓଡ଼ିଆ ଜୀବନ ଶୈଳୀ ଏବଂ ପ୍ରଥା ସହିତ ଏହି ନୃତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଓଡ଼ିଶାର ଲୋକ ନୃତ୍ୟ ଜନମାନସର ପରିବର୍ତ୍ତନ ସହ ତାଳ ଦେଇ ଏହାର ରୂପରେ ବହୁବିଧ ପରିବର୍ତ୍ତନ ଆଣିପାରିଛି । ମୁଖ୍ୟତଃ ଧର୍ମଚାର, ମନୋରଞ୍ଜନ, ଶ୍ରମ ଅପନୋଦନ, ସାମାଜିକ ସଂସ୍କାର ଆଦି ବହୁବିଧ ଉଦ୍ଦେଶ୍ୟକୁ ନେଇ ଲୋକନୃତ୍ୟର ସୃଷ୍ଟି ହୋଇଛି । ଗ୍ରାମବହୁଳ ଓଡ଼ିଶାରେ ଦୈନନ୍ଦିନ ଜୀବନରେ ଟିକେ ଆନନ୍ଦ ଉପଭୋଗ କରିବାକୁ ଅନୁଷ୍ଠିତ କରାଯାଏ ଯାତ୍ରା ଓ ମହୋତ୍ସବମାନ ।

ଓଡ଼ିଶାର ପ୍ରତ୍ୟେକ ପର୍ବପର୍ବାଣୀ ସହ ବିଭିନ୍ନ ଲୋକନୃତ୍ୟର ପ୍ରଚଳନ ରହିଛି । ଏହିସବୁ ନୃତ୍ୟ ମୁଖ୍ୟତଃ ଖୋଲା ଆକାଶତଳେ ପରିବେଷଣ କରାଯାଇଥାଏ । ପ୍ରତ୍ୟେକ ଲୋକନୃତ୍ୟରେ ଓଡ଼ିଶାର ପାରମ୍ପରିକ ସଂଗୀତ ଓ ବହୁଲୋକପ୍ରିୟ ଢଗଢମାଳି ଆଦିର ବ୍ୟବହାର ହୋଇଥାଏ । ଏହାସହିତ ପାରମ୍ପରିକ ବାଦ୍ୟର ବ୍ୟବହାର କରାଯାଇଥାଏ ।

ତାମସା ଏକ ପାରମ୍ପରିକ ଓଡ଼ିଆ ଗୀତ-ନାଟ କଳା । ଏଥିରେ ଜଣେ ପୁରୁଷ ଓ ଜଣେ ମହିଳା ଯୋଡ଼ି ହୋଇ ନାଚିଥାନ୍ତି । ଏକ ବାଦନ ଦଳ ଗୀତ ବୋଲିଥାନ୍ତି ଯାହାର ତାଳେ ତାଳେ କଳାକାରମାନେ ଅଭିନୟ କରି ନାଚିଥାନ୍ତି । “ତାମସା”କୁ କେତେକ ନାଟକ ଅର୍ଥରେ ଓ ଆଉ କେତେକ କ୍ରୀଡା ଅର୍ଥରେ ବ୍ୟବହାର କରନ୍ତି । ବଂଶୀବଲ୍ଲଭ ଗୋସ୍ୱାମୀ ଯୋଗୀ ତାମସା, ଫକୀର ତାମସା, ରାଧାକୃଷ୍ଣ ତାମସା ରଚନା କରିଥିଲେ । ଏଥିରେ ବିଭିନ୍ନ ବାଦ୍ୟ ସଂଯୋଜିତ କରାଯାଇଛି। ତାଙ୍କର ରଚିତ ସମସ୍ତ ତାମସାରୁ କେବଳ ଗୋଟିଏ ଲୋକପ୍ରିୟତା ଯୋଗୁଁ ଏଯାବତ ଅଭିନୀତ ହେଉଛି । ତାହା ହେଲା ‘ମୋଗଲ ତାମସା’ । ଏହି ତାମସାରେ ତତ୍କାଳୀନ ମୋଗଲ ସାମ୍ରାଜ୍ୟର ମିର୍ଜା ଚରିତ୍ରକୁ ନେଇ ବ୍ୟଙ୍ଗାତ୍ମକ ଚିତ୍ରଣ କରାଯାଇଛି ।

Leave A Reply

Your email address will not be published.