Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଆଧୁନିକ ଓଡ଼ିଶାର କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକ

ଭୁବନେଶ୍ୱର : ବିଜୁ ପଟ୍ଟନାୟକ  …. ଓଡିଆ ମାନଙ୍କର ଗର୍ବ ଏବଂ ଗୌରବ, ଆଧୁନିକ ଓଡିଶାର କିମ୍ବଦନ୍ତୀ ନେତା । ସେ ନିଜକୁ ଭୂମିପୁତ୍ର ଭାବରେ ପ୍ରମାଣିତ କରିଛନ୍ତି । ତାଙ୍କର ଅଭିନବ, ସାହସ ଏବଂ କ୍ରାନ୍ତିକାରୀ ପଦକ୍ଷେପ ମାଧ୍ୟମରେ ସମସ୍ତଙ୍କ ହୃଦୟରେ ଏବେ ବି ନିଜ ପାଇଁ ସ୍ୱତନ୍ତ୍ର ଜାଗା ବନେଇ ପାରିଛନ୍ତି ।

ଏହି ମହାନ ଦୂରଦୃଷ୍ଟି ସମ୍ପନ୍ନ ତଥା ଟାଣୁଆ ନେତା ମାର୍ଚ୍ଚ ୫, ୧୯୧୬ ରେ କଟକ ଅନ୍ତର୍ଗତ ତୁଳସୀପୁର ଆନନ୍ଦ ଭବନରେ ଏକ ସଂସ୍କୃତି ସମ୍ପନ୍ନ, ପ୍ରତିଷ୍ଠିତ ସ୍ୱାଧୀନତା ସଂଗ୍ରାମୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଏବଂ ମାତା ଆଶାଲତା ଦେବୀଙ୍କର ପୁତ୍ର ହେଉଛନ୍ତି ବିଜୁ ବାବୁ ।

କଟକ ମିଶନ୍ ସ୍କୁଲ ଓ ରେଭେନ୍ସା କଲିଜିଏଟରେ ପାଠ ପଢି ୧୯୩୨ରେ ପ୍ରଥମ ଶ୍ରେଣୀରେ ମାଟ୍ରିକ୍ ପାଶ କରିଥିଲେ ବିଜୁ ବାବୁ ।। ପିଲାଟି ଦିନରୁ ସେ ନିର୍ଭୀକ ଆଉ ଦୁଃସାହସିକ ବ୍ୟକ୍ତିକ୍ତ୍ୱ ଥିଲା ତାଙ୍କର । ପିଲା ବେଳରୁ ସେ ବହୁତ ଖେଳପ୍ରିୟ ଥିଲେ।

୧୯୩୫ରେ ବିମାନ ଚାଳନା ଶିକ୍ଷା ପାଇଁ ଯାଇଥିଲେ । ଦିଲ୍ଲୀରୁ ବିମାନ ଉଡ଼ାଣ ଶିକ୍ଷା ସମାପ୍ତ କରି ସେ ଇଣ୍ଡିଆନ ଏୟାରୱେଜରେ ପାଇଲଟ ଭାବରେ ଚାକିରି କରିଥିଲେ । ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସେ ନିଜେ ବିମାନ ଚଳାଇ ଇଣ୍ଡୋନେସିଆର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଆଦିଙ୍କୁ ଡଚମାନଙ୍କଠାରୁ ଉଦ୍ଧାର କରିଥିଲେ ।

ଏହି ଦୁଃସାହସିକ କାର୍ୟ୍ୟପାଇଁ ତାଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ “ଭୂମିପୁତ୍ର” ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଏହି ସମ୍ମାନ ସହ, ପୁରସ୍କାର ସ୍ୱରୂପ ମିଳିଥିବା କୋଟି କୋଟି ଟଙ୍କା ସେ ଇଣ୍ଡୋନେସିଆର ଜନସାଧାରଣଙ୍କ ପାଇଁ ଉତ୍ସର୍ଗ କରିଦେଇଥିଲେ । ବିଜୁ ପଟ୍ଟନାୟକ ଚଳାଉଥିବା ଡାକୋଟା ବିମାନ ୨୦-୨୪ ଫେବୃୟାରୀ ୨୦୧୯ ମସିହାରେ ଅନୁଷ୍ଟିତ ଏୟାର ଶୋ’ରେ ପ୍ରଦର୍ଶିତ ହୋଇଥିଲା

ପାଇଲଟ୍ ତାଲିମ ନେଉଥିବା ସମୟରେ ସେ ମହିଳା ସାଥି ଜ୍ଞାନଙ୍କୁ ଜାଣିଲେ। ରାଉଲପିଣ୍ଡିର ଶିଖ୍ ପରିବାରର ଝିଅ ଥିଲେ ଜ୍ଞାନ। ସେ ଦେଶରେ ପାଇଲଟ୍ ଲାଇସେନ୍ସ ପାଇବାରେ ପ୍ରଥମ ମହିଳା । ୧୯୩୯ରେ ଉଭୟଙ୍କର ବିବାହ ହେଲା । ତାଙ୍କ ପୁଅ ନବୀନ ପଟ୍ଟନାୟକ ଓଡ଼ିଶାର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ । ତାଙ୍କ ଝିଅ ଗୀତା ମେହେଟା ଜଣେ ଲେଖିକା । ତାଙ୍କର ବଡ଼ ପୁଅ ପ୍ରେମ ପଟ୍ଟନାୟକ ଦିଲ୍ଲୀରେ ଜଣେ ବ୍ୟବସାୟୀ ଭାବରେ ଅବସ୍ଥାପିତ

ରାଜନୀତି କ୍ଷେତ୍ରରେ ବିଜୁ ପଟ୍ଟନାୟକ ତାଙ୍କ ରାଜନୈତିକ ଜୀବନ ୧୯୪୬ରେ ଆରମ୍ଭକରି ନିର୍ବିରୋଧ ଭାବେ ଓଡ଼ିଶା ବିଧାନ ସଭାକୁ ଉତ୍ତର କଟକ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ

ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିବା ବିଜୁ ପଟ୍ଟନାୟକ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି କରିଥିଲେ । ୧୯୯୦ ମାର୍ଚ୍ଚ ୫ରୁ ୧୯୯୫ ମସିହା ମାର୍ଚ୍ଚ ୧୫ ଯାଏ ଓ ୧୯୬୧ ଜୁନ ୨୩ରୁ ୧୯୬୩ ମସିହା ଅକ୍ଟୋବର ୨ ଯାଏ ସେ ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କାର୍ୟ୍ୟକରିଥିଲେ ।

କଳିଙ୍ଗ ସମ୍ରାଟ ବିଜୁ ପଟ୍ଟନାୟକ ୧୯୯୭, ଏପ୍ରିଲ୍ ୧୭ରେ ପ୍ରାଣ ହରାଇଥିଲେ।

ଓଡ଼ିଶା ସରକାର ଅନେକ ଅନୁଷ୍ଠାନକୁ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିଅଛନ୍ତି । ଭୁବନେଶ୍ୱରରେ ଥିବା ବିଜୁ ପଟ୍ଟନାୟକ ବିମାନ ବନ୍ଦର ସେଥିମଧ୍ୟରୁ ଅନ୍ୟତମ । ତାଙ୍କ ଜନ୍ମ ଦିବସ ମାର୍ଚ୍ଚ ୫କୁ ପଞ୍ଚାୟତି ରାଜ ଦିବସ ଭାବରେ ପାଳନ କରାଯାଉଛି ।

Comments are closed, but trackbacks and pingbacks are open.