ନୂଆଦିଲ୍ଲୀ: ରାମମୟ ପାଲଟିଛି ଅଯୋଧ୍ୟା। ଆସନ୍ତା ୨୨ ତାରିଖରେ ପ୍ରାଣ ପ୍ରତିଷ୍ଠା ହେବ। ଏଥିପାଇଁ ହୋମଯଜ୍ଞ ଜାରି ରହିଛି। ଆଜି ହେଉଛି ତୃତୀୟ ଦିନ। ପ୍ରଭୁ ରାମଙ୍କ ଆଗମନ ପାଇଁ ଅଯୋଧ୍ୟା ପାଲଟିଛି ରାମମୟ। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଅତୀତରେ ଏହି ଅଯୋଧ୍ୟାକୁ ନେଇ କେତେ ବିବାଦ ରହିଛି। ଏପରିକି ଅଯୋଧ୍ୟାର ନାମକରଣକୁ ନେଇ ମଧ୍ୟ ଅନେକବାର ବିବାଦ ଦେଖାଦେଇଛି। ପୌରାଣିକ ଯୁଗ ଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ବାର ଅଯୋଧ୍ୟାର ନାମକରଣରେ ପରିବର୍ତ୍ତନ କରାଯାଇଛି। ଯଦି ଅଯୋଧ୍ୟାର ଇତିହାସ ଉପରେ ନଜର ପକାଇବା ତେବେ ଏହାର ନାମ ଫୈଜାବାଦ ରହିଥିଲା। ଗତ ୨୦୧୮ ବର୍ଷରେ ଫୈଜାବାଦ ନାମ ପରିବର୍ତ୍ତନ କରି ପୁନର୍ବାର ଅଯୋଧ୍ୟା ରଖାଯାଇଥିଲ। ବର୍ତ୍ତମାନ ଅଯୋଧ୍ୟା ସ୍ଥିତ ରାମ ମନ୍ଦିରରେ ହେବାକୁ ଯାଉଥିବା ପ୍ରାଣ ପ୍ରତିଷ୍ଠା ପାଇଁ କଳିଯୁଗର ଅଯୋଧ୍ୟା ନଗରୀରେ ପୁଣି ଥରେ ତ୍ରେତୟା ଯୁଗ ଫେରି ଆସୁଥିବା ଭଳି ଜଣାପଡୁଛି।
ଅଯୋଧ୍ୟା ଇତିହାସର ପୃଷ୍ଠା ଲେଉଟାଇଲେ ଋଗବେଦ ମନ୍ତ୍ରରେ ସରସ୍ୱତୀ ଏବଂ ସିନ୍ଧୁ ସହ ସରୟୁକୁ ନିମନ୍ତ୍ରଣ କରାଯାଇଥିବା ଜଣାପଡ଼େ। ବୈଦିକ କାଳରେ ସିନ୍ଧୁ ଏବଂ ସରସ୍ୱତୀ ପରି ସରୟୁ ମଧ୍ୟ ଏକ ପ୍ରମୁଖ ନଦୀ ରହିଥିଲା। ଅଯୋଧ୍ୟା ସହର ସରାୟୁ ନଦୀ କୂଳରେ ଅବସ୍ଥିତ। ଅର୍ଥବ ବେଦରେ ମଧ୍ୟ ଅଯୋଧ୍ୟା ସହର ବିଷୟରେ ଉଲ୍ଲେଖ ରହିଥିବା ଦେଖିବାକୁ ମିଳିଥାଏ। ଅଯୋଧ୍ୟା ନଗରୀକୁ ଭଗବାନଙ୍କ ସହର ବୋଲି କୁହାଯାଏ। ଯାହାକୁ ସ୍ୱର୍ଗ ସହିତ ତୁଳନା କରାଯାଇଛି। ଅଥର୍ବ ବେଦ ଦର୍ଶାଏ ଯେ ଏହି ସମୟ ମଧ୍ୟରେ ଅଯୋଧ୍ୟା ଏକ ସମୃଦ୍ଧ ଏବଂ ବିକଶିତ ସହର ରହିଥିଲା। ଯଦିଓ ଆଜିର ଅଯୋଧ୍ୟା ନଗରୀର ନାମ ସେତେବେଳର ସମୟରେ ଅଯୋଧ୍ୟା ରହି ନଥାଇପାରେ, ହେଲେ ତଥାପି ସେହି ସହର ସମାନ ରହିଥିଲା। ଇତିହାସର ପୃଷ୍ଠାରେ ଅଯୋଧ୍ୟା ନଗରୀର ୧୨ ନାମ ସମ୍ପର୍କରେ କୁହାଯାଇଛି। ତାହା ହେଉଛି ଅଯୋଧ୍ୟା, ଆନନ୍ଦିନୀ, ସତ୍ୟାପନ, ସତ, ସାକେତ, କୋଶଳା, ବିମଳା, ଅପରାଜିତା, ବ୍ରହ୍ମପୁରୀ, ପ୍ରମୋଦବନ୍, ସାନ୍ତନିକଲୋକା ଏବଂ ଦିବ୍ୟଲୋକା। ଅଯୋଧ୍ୟା ନଗରୀର ସମ୍ପୂର୍ଣ୍ଣ ଭୂଗୋଳ ବାଲ୍ମିକୀ ରାମାୟଣରେ ବ୍ୟାଖ୍ୟା କରାଯାଇଛି। ବାଲ୍ମିକୀ ରାମାୟଣ ଅନୁଯାୟୀ ଅଯୋଧ୍ୟା ନଗରୀ ପ୍ରାୟ ୫୨୦୦ ବର୍ଗ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଥିଲା। ଯଦି ଆଜିର ଅଯୋଧ୍ୟା ନଗରୀକୁ ଦେଖାଯାଏ ତାହାର ଏହାର କ୍ଷେତ୍ରଫଳ ହେଉଛି ୧୨୦.୮ ବର୍ଗ କିଲୋମିଟର। ଯାହାର ଅର୍ଥ ହେଉଛି ପୌରାଣିକ କାଳର ଅଯୋଧ୍ୟା ନଗରୀର ଆକାର ଆଜିର ଅଯୋଧ୍ୟା ଠାରୁ ପ୍ରାୟ ୪୪ ଗୁଣ ବଡ଼ ରହିଥିଲା।
ଅଯୋଧ୍ୟା ନଗରୀର ବୟସ କେତେ
ଅଯୋଧ୍ୟା ନଗରୀ ଭଗବାନ ଶ୍ରୀରାମଙ୍କ ପରିବାରର ଇତିହାସ ପରି ପ୍ରାଚୀନ। ଏହି ଇଶ୍ୱରୀୟ ସହରର ପ୍ରକୃତ ସମୟ କେହି ଜାଣନ୍ତି ନାହିଁ। ଏହା କେବଳ ଏକ ମୂଲ୍ୟାଙ୍କନ। ଅର୍ଥବ ବେଦରେ ମଧ୍ୟ ଅଯୋଧ୍ୟା ନଗରୀ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଯାହାର ସଂକଳନ ପ୍ରାୟ ୩୦୦୦ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା। ଏହି ତଥ୍ୟ ଆଧାରରେ ଐତିହାସିକ ଯୁକ୍ତି କରନ୍ତି ଯେ ଅଯୋଧ୍ୟା ନଗରୀର ବୟସ ଅଥର୍ବବେଦ ସହିତ ସମାନ।
କୁହାଯାଏ ଯେ ତ୍ରେତୟାଯୁଗରେ ଅଯୋଧ୍ୟା ନଗରୀ ସାକେତ ନାମରେ ପ୍ରସିଦ୍ଧ ରହିଥିଲା। ଅଯୋଧ୍ୟା ହେଉଛି ପ୍ରଭୁ ଶ୍ରରାମଙ୍କ ପବିତ୍ର ଜନ୍ମସ୍ଥାନ ହୋଇଥିବାରୁ ହିନ୍ଦୁ ଧର୍ମାବଲମ୍ବୀଙ୍କ ପାଇଁ ଧାର୍ମିକ ଆସ୍ଥାର କେନ୍ଦ୍ର। ବିଶ୍ୱାସ କରାଯାଏ ଯେ ଅଯୋଧ୍ୟା ନଗରୀ ସତ୍ୟ ଯୁଗରେ ରାଜା ମନୁଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା। ମନୁଙ୍କ ୧୦ ପୁତ୍ର ରହିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଇକ୍ଷାକୁ। ରାଜା ମନୁଙ୍କ ସମୟରେ ସତ୍ୟ ଯୁଗରେ ଅଯୋଧ୍ୟା ନଗରୀ ସର୍ବାଧିକ ବିସ୍ତାର କରିଥିଲା। ଇତିହାସ ଅନୁସାରେ ଅଯୋଧ୍ୟା ନଗରୀ ଅନେକ ଥର ନିର୍ମାଣ ହୋଇ ନଷ୍ଟ ହୋଇଯାଇଥିଲା। ହେଲେ ଇକ୍ଷାକୁ ସମୟରେ ଅଯୋଧ୍ୟା ସର୍ବାଧିକ ବିସ୍ତୃତ ରୂପରେ ରହିଥିଲା। ଅଧିକାଂଶ ମନ୍ଦିର ସେହି ସମୟରେ ନିର୍ମିତ ହୋଇଥିଲା। ଅଯୋଧ୍ୟା ମଧ୍ୟ ପ୍ରାଚୀନ ଭାରତ ବର୍ଷର କୌଶଳ ଦେଶର ସୂର୍ଯ୍ୟବଂଶୀ ରାଜା ହରିଶ୍ଚନ୍ଦ୍ରଙ୍କ ରାଜଧାନୀ ରହିଥିଲା। ଏହା ପରେ ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀରାମ ତ୍ରେତୟା ଯୁଗରେ ଅବତାରିତ ହୋଇଥିଲେ। ଭଗବାନ ଶ୍ରୀରାମଙ୍କ ରାଜ୍ୟ ଅର୍ଥାତ ରାମ ରାଜ୍ୟର ପରିକଳ୍ପନା ଆଜି ମଧ୍ୟ କରାଯାଏ। ପୁରାଣ ଅନୁଯାୟୀ ଭଗବାନ ଶ୍ରୀରାମ ଅଯୋଧ୍ୟା ନଗରୀର ୬୪ତମ ରାଜା ରହିଥିଲେ। ଅଯୋଧ୍ୟା ନଗରୀ ସୂର୍ଯ୍ୟବଂଶୀ ରାଜାଙ୍କ ରାଜଧାନୀ ରହିଥିଲା। ଯାହାକୁ ଭାରତୀୟ ଇତିହାସରେ ଦୀର୍ଘତମ ରାଜବଂଶ ବୋଲି ବିବେଚନା କରାଯାଏ।
ସୂର୍ଯ୍ୟବଂଶରେ ୧୨୩ ରାଜାଙ୍କ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ସେମାନଙ୍କ ମଧ୍ୟରୁ ୯୩ ଜଣ ମହାଭାରତ ପୂର୍ବରୁ ଏବଂ ୩୦ ଜଣ ମହାଭାରତ ପରେ ଶାସନ କରିଥିଲେ। ପୁରାଣ ଅନୁଯାୟୀ ଅଯୋଧ୍ୟା ପୂର୍ବରୁ ୧୧ ସୂର୍ଯ୍ୟବଂଶୀ ରାଜା ରହିଥିଲେ। ଦଶରଥ ୬୩ ତମ ରାଜା ହୋଇଥିବା ବେଳେ ଭଗବାନ ଶ୍ରୀରାମ ହେଉଛନ୍ତି ୬୪ ତମ ରାଜା । ବେଦରେ ମୋଟ ୨୧ ରାଜାଙ୍କ ବିଷୟରେ ଉଲ୍ଲେଖ କରାଯାଇଛି। ପିତା ଦଶରଥଙ୍କୁ ଦେଇଥିବା ପ୍ରତିଶୃତି ଅନୁଯାୟୀ ଭଗବାନ ଶ୍ରୀରାମଙ୍କୁ ୧୪ ବର୍ଷ ନିର୍ବାସ ଜୀବନ ବିତାଇବାକୁ ପଡ଼ିଥିଲା। ୧୪ ବର୍ଷ ନିର୍ବାସନ ଶେଷ କରିବା ପରେ ଭଗବାନ ଶ୍ରରାମ ଅଯୋଧ୍ୟା ନଗରୀ ଫେରିଥିଲେ। ଅଯୋଧ୍ୟା ନଗରୀର ରାଦଗାଦି ଆରୋହଣ କରି ଆଦର୍ଶନ ରାମରାଜ ପ୍ରତିଷ୍ଠା କରିଥିଲେ। ହେଲେ ଅଯୋଧ୍ୟା ନଗରୀରେ ସବୁବେଳେ ରାମ ରାଜ୍ୟ ରହିନଥିଲା। ଇତିହାସରେ କୁହାଯାଇଛି ଯେ ଅଯୋଧ୍ୟାରେ ରାଜ୍ୟ ଏବଂ ରାଜା ପରିବର୍ତ୍ତିତ ହେଉଥିଲେ। ଏହା ସହିତ ସେଠାରେ ଅବସ୍ଥିତ ରହିଥିବା ମନ୍ଦିରର ଅବସ୍ଥା ମଧ୍ୟ ସୁଧୁରିବାରେ ଲାଗିଲା।