Latest Odisha News

BREAKING NEWS

କାହିଁକି ଦଶହରା ଦିନ ନୀଳକଣ୍ଠ ପକ୍ଷୀ ଦର୍ଶନ ହୁଏ ଅତ୍ୟନ୍ତ ଶୁଭ, ଜାଣନ୍ତୁ ଏହାର ମହତ୍ତ୍ଵ

ଭୁବନେଶ୍ୱର: ଓଡ଼ିଶା ଏକ କୃଷିପ୍ରଧାନ ଅର୍ଥନୀତି ହୋଇଥିବାରୁ ଏହାର ଅନେକ ପର୍ବ ଏବଂ ସାଂସ୍କୃତିକ ପ୍ରଥା ଚାଷ ସହିତ ଜଡିତ। ଯେପରିକି ନୂଆଖାଇ, ରଜ ଏବଂ ମକର ସଂକ୍ରାନ୍ତି। ଏହି ପର୍ବଗୁଡ଼ିକରେ ଫସଲର ଭଲ ଅମଳ ପାଇଁ ବିଭିନ୍ନ ଦେବା ଦେବୀଙ୍କୁ ପୂଜା କରି ନୈବେଦ୍ୟ ଅର୍ପଣ କରାଯାଏ। ଏହି ପର୍ବଗୁଡ଼ିକ ଉତ୍ସବର ଏକ ନିର୍ଦ୍ଦିଷ୍ଟ ସମୟ ଏବଂ ଅନନ୍ୟ ପରମ୍ପରା ସହିତ ମଧ୍ୟ ଜଡିତ। ଦଶହରାରେ ନୀଳକଣ୍ଠ ପକ୍ଷୀ (ଇଣ୍ଡିଆନ୍ ରୋଲର) ଦେଖିବାର ସୌଭାଗ୍ୟ ପାଇବା ହେଉଛି ଏପରି ଏକ ନିଆରା ପରମ୍ପରା। ଓଡ଼ିଶାର ରାଜ୍ୟ ପକ୍ଷୀ ହେବା ସହିତ, ନୀଳକଣ୍ଠକୁ ଭଗବାନ ଶିବ ଏବଂ ଭଗବାନ ରାମଙ୍କ ସହିତ ଜଡିତ ଥିବାରୁ ଏହାକୁ ଶୁଭ ମଧ୍ୟ ବିବେଚନା କରାଯାଏ।

ଭାରତୀୟ ଲୋଟଣୀ, ଭଦଭଦଳିଆ ଚଢ଼େଇ ବା ନୀଳକଣ୍ଠ ପକ୍ଷୀ ଓଡ଼ିଶାର ଗର୍ବ ଓ ସଙ୍କେତ ଅଟେ। ଏହାକୁ ଓଡ଼ିଶାର ରାଜ୍ୟ ପକ୍ଷୀ (State Bird of Odisha) ଭାବେ ଘୋଷଣା କରାଯାଇଛି। ନୀଳକଣ୍ଠ ପକ୍ଷୀ ଦେଖିବାକୁ ଯେତେ ସୁନ୍ଦର ସେତେ ଶୁଭ ବୋଲି କୁହାଯାଏ। ଅନେକ ଲୋକ ଜାଣନ୍ତି ନାହିଁ ଯେ ଦଶହରା ପର୍ବରେ ନୀଳକଣ୍ଠ ପକ୍ଷୀ ଦେଖିଲେ ଅତ୍ୟନ୍ତ ଶୁଭ ପ୍ରାପ୍ତ ହୋଇଥାଏ।

ଜ୍ୟୋତିଷମାନେ ବିଶ୍ୱାସ କରନ୍ତି ଯେ ଦଶହରା ଦିନରେ ଏହି ପକ୍ଷୀ ଦେଖିଲେ ସମଗ୍ର ବର୍ଷ ଅତ୍ୟନ୍ତ ଶୁଭ ଏବଂ ଭାଗ୍ୟ ଉଜ୍ୱଳ ହେବାର ସମ୍ଭାବନା ଥାଏ। ଦଶହରା ସହ ଜଡିତ ବହୁତ କିଛି ମାନ୍ୟତା ରହିଛି। ଶାସ୍ତ୍ର ଅନୁସାରେ ଦଶହରା ଦିନ ନୀଳକଣ୍ଠ ପକ୍ଷୀର ଦର୍ଶନ ବହୁତ ଶୁଭ ହୋଇଥାଏ। ଯଦି ଦଶହରା ଦିନ କେହି ନୀଳକଣ୍ଠ ପକ୍ଷୀ ଦେଖନ୍ତି, ସେହି ବ୍ୟକ୍ତିଙ୍କ ଘର ଧନଧାନ୍ୟରେ ଭରିଯାଏ। ସେହି ବ୍ୟକ୍ତିଙ୍କ ସବୁ କାର୍ଯ୍ୟ ସଫଳ ହୋଇଥାଏ। ଏହି ପକ୍ଷୀ ସୌଭାଗ୍ୟର ପ୍ରତୀକ ବୋଲି ଧରାଯାଏ।

ସେହିପରି କୃଷକମାନେ ବିଶ୍ୱାସ କରନ୍ତି ଯେ ଦଶହରାରେ ଏହି ନୀଳକଣ୍ଠ ପକ୍ଷୀ ଦେଖିଲେ ଖରାପ ଉପରେ ଭଲର ବିଜୟ ହୁଏ। ବ୍ୟକ୍ତିଙ୍କ ଭାଗ୍ୟ ପରିବର୍ତ୍ତନ କରେ ଏବଂ ସମୃଦ୍ଧି ଆଣିଥାଏ। ଯଦି ଦଶହରା ଦିନ ନୀଳକଣ୍ଠ ପକ୍ଷୀ ଦୃଷ୍ଟିକୁ ଆସେ, ତେବେ ଏହା ବୁଝି ନେବା ଉଚିତ ଯେ ଭଲ ସମୟ ଆରମ୍ଭ ହେବାକୁ ଯାଉଛି।

ଧାର୍ମିକ ପ୍ରତୀକ

ଏହା ବିଶ୍ୱାସ କରାଯାଏ ଯେ ଭଗବାନ ରାମ ନୀଳକଣ୍ଠ ପକ୍ଷୀକୁ ଦେଖିବା ପରେ ରାବଣକୁ ହତ୍ୟା କରିଥିଲେ। ନୀଳକଣ୍ଠ ଭଗବାନ ଶିବଙ୍କ ରୂପ ବୋଲି ମଧ୍ୟ ବିଶ୍ୱାସ କରାଯାଏ। ପୁରାଣ ଅନୁସାରେ ରାବଣ ବଧ କରିବା ପରେ ଭଗବାନ ରାମଙ୍କ ଉପରେ ବ୍ରାହ୍ମଣ ହତ୍ୟାର ପାପ ଲାଗିଥିଲା। ଏହି ପାପରୁ ମୁକ୍ତି ପାଇବା ପାଇଁ ପ୍ରଭୁ ରାମ ଭଗବାନ ଶିବଙ୍କୁ ଆରାଧନା କରିଥିଲେ। ରାମଙ୍କୁ ଏହି ପାପରୁ ମୁକ୍ତି ଦେବା ପାଇଁ ଶିବ ନୀଳକଣ୍ଠ ପକ୍ଷୀ ରୁପରେ ପ୍ରକଟ ହୋଇଥିଲେ। ସେବେଠାରୁ ଦଶହରା ଦିନ ନୀଳକଣ୍ଠ ପକ୍ଷୀର ଦର୍ଶନ ଶୁଭ ମନାଯାଇଥାଏ।

ଚାଷୀଙ୍କ ଶୁଭ ପ୍ରତୀକ

ଏହାକୁ ଓଡ଼ିଶାରେ ଲୋକେ ଶୁଭ ପକ୍ଷୀ ହିସାବରେ ମାନିଥାନ୍ତି। ଦୁର୍ଗାପୂଜା ଓ ଦଶହରା ସମୟରେ ଅନେକ ଚଢେଇଆ ଗାଁ ଗହଳରେ ଏଇ ପକ୍ଷୀକୁ ବୁଲାଇ ପଇସା ରୋଜଗାର କରିଥାନ୍ତି। ଲୋକେ ବିଶ୍ୱାସ କରନ୍ତି ଯେ ଏ ପକ୍ଷୀକୁ ଦେବୀ ପୂଜା ସମୟରେ ଦେଖିଲେ ଶୁଭ ହୁଏ ଓ ପୂଜା ପରେ ନାନାଦି ଅମଙ୍ଗଳ ଓ ଅସୁବିଧା ଦୂର ହୋଇଥାଏ। ସେଥିପାଇଁ ଗାଁ ଗହଳିରେ ପିଲାଏ ଏ ପକ୍ଷୀକୁ ଦେଖିଲେ ‘ଶୁଭ ଭାଇ ନମସ୍କାର’ବୋଲି କହିଥାନ୍ତି।

ସେହିପରି କୃଷକମାନଙ୍କ ପାଇଁ ଏହି ନୀଳକଣ୍ଠ ପକ୍ଷୀକୁ ସେମାନଙ୍କ କୃଷି ପ୍ରଣାଳୀର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ମନେ କରନ୍ତି। ଏହି ପକ୍ଷୀ କୀଟ, ପଙ୍ଗପାଳ, କୀଟପତଙ୍ଗ, ମିଲିପେଡିସ୍ ଭଳି ପୋକକୁ ଖାଇଥାଏ। ତେଣୁ ଏହି ପକ୍ଷୀକୁ କୃଷକମାନେ ବନ୍ଧୁ ଭାବରେ ସ୍ୱାଗତ କରନ୍ତି ଏବଂ ଏହାକୁ ଶୁଭ ବୋଲି ବିବେଚନା କରନ୍ତି।

Comments are closed.