Latest Odisha News

BREAKING NEWS

ୟୁପିପିଏସସି ମୁଖ୍ୟାଳୟରେ କାହିଁକି ତେଜୁଛି ଛାତ୍ର ଆନ୍ଦୋଳନ?

ପ୍ରୟୋଗରାଜ: ଉତ୍ତର ପ୍ରଦେଶ ଲୋକସେବା ଆୟୋଗ(ୟୁପିପିଏସସି) ଦ୍ଵାରା ଆୟୋଜିତ ପ୍ରଶାସନିକ ସେବା ଏବଂ ଆରଓ-ଏଆରଓ ପରୀକ୍ଷାକୁ ଦୁଇଟି ଦିନରେ ସମ୍ପନ୍ନ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଏହି ଆନ୍ଦୋଳନ ଚତୁର୍ଥ ଦିନରେ ପହଞ୍ଚିଛି।

ପ୍ରୟାଗରାଜରେ ଛାତ୍ର ଓ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି। ୟୁପି ପବ୍ଲିକ ସର୍ଭିସ କମିଶନ ଅଫିସ ଆଗରେ ପ୍ରବଳ ଉତ୍ତେଜନା ଦେଖାଦେଇଛି। ମୁତୟନ ହୋଇଛନ୍ତି ଆରପିଏଫ୍ ଏବଂ ପୋଲିସ। ସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରଶାସନ କଡ଼ା ନଜର ରଖିଛି। ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କ ଦାବି ହେଲା- ଉତ୍ତର ପ୍ରଦେଶ ଯେଉଁ ବି ପରୀକ୍ଷା କରାଉଛନ୍ତି, ତାହା ଗୋଟିଏ ଦିନରେ ଓ ଗୋଟିଏ ସିଫଟରେ କରାଯାଉ।

ହଜାର ହଜାର ଛାତ୍ରୀଛାତ୍ର ଆଜି ବାରିକେଡ୍‌ ଭାଙ୍ଗି ଆୟୋଗଙ୍କ ମୁଖ୍ୟାଳୟ ଭିତରେ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି। ସେମାନଙ୍କୁ ରୋକିବାକୁ ପୋଲିସକୁ ଲାଠି ଚାଳନା କରିବାକୁ ପଡ଼ିଛି। ପୋଲିସ ପକ୍ଷରୁ ମୁଖ୍ୟାଳୟ ବାହାରେ ନୂତନ ବାରିକେଡ୍‌ ଲଗାଯାଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଜିଲ୍ଲାପାଳ ଏବଂ ୟୁପିପିଏସସି ଆୟୁକ୍ତ ମୁଖ୍ୟାଳୟରେ ପହଞ୍ଚି ସ୍ଥିତି ପରଖିବା ସହିତ ସମସ୍ୟାର ସମାଧାନ ଦିଗରେ ଆଲୋଚନା ଚଳାଇଛନ୍ତି।

ଛାତ୍ରଛାତ୍ରୀମାନେ କହିଛନ୍ତି, ଅଲଗା ଅଲଗା ଦିନ ଅଲଗା ଅଲଗା ସିଫଟରେ ପରୀକ୍ଷା କରାଯାଉଥିବାରୁ ମେଧାର ଉଚିତ ମୂଲ୍ୟାୟନ କରାଯାଇପାରୁନାହିଁ। ଏହା ଛଡ଼ା ଅନିୟମିତତା ଦେଖାଦେଉଛି। ଆଗକୁ ଆସୁଥିବା ସିଭିଲ ସର୍ଭିସ କମିଶନର ପ୍ରିଲିମିନାରି ପରୀକ୍ଷା ମଧ୍ୟ ସେପରି ଭାବେ କରିବାକୁ ସେମାନେ ଦାବି କରିଛନ୍ତି। ସେହପରି ଡିସେମ୍ଵର ୨୨ ଓ ୨୩ରେ ହେବାକୁ ଥିବା ରିଭ୍ୟୁ ଅଫିସର ନିଯୁକ୍ତି ପରୀକ୍ଷା ମଧ୍ୟ ଗୋଟିଏ ଦିନରେ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ। ସେମାନେ ଆୟୁକ୍ତଙ୍କୁ ଭେଟି କେବଳ ଏକ ଦାବିପତ୍ର ଦେବାକୁ ଚାହୁଁଛନ୍ତି। କିନ୍ତୁ ପୋଲିସ ସେମାନଙ୍କୁ ଅଟକାଉଛି। ପୋଲିସ ଛାତ୍ରମାନଙ୍କୁ ମାଡ଼ ମାରିବା ସହିତ ୧୧ଜଣଙ୍କୁ ଗିରଫ କରିଛି।

 

Comments are closed.