Latest Odisha News

BREAKING NEWS

କୋଲକାତା ପୋଲିସର ଅଫର: ଟଙ୍କା ନିଅ, ଚୁପ୍ ରୁହ

କୋଲକାତା: କୋଲକାତା ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ଚାଲିଥିବା ବିକ୍ଷୋଭରେ ସାମିଲ ହୋଇଛନ୍ତି ପୀଡିତାଙ୍କ ପିତାମାତା ଓ ସଂପର୍କୀୟ । ଆରଜି କର ମେଡିକାଲ କଲେଜ ଓ ହସପିଟାଲରେ ଜୁନିଅର ଡାକ୍ତରଙ୍କ ନ୍ୟାୟ ଲଢେଇରେ ଯୋଗ ଦେଇଛନ୍ତି ଅଭୟାଙ୍କ ପିତାମାତା । କୋହ ଓ ଯନ୍ତ୍ରଣା ମଧ୍ୟରେ ହସପିଟାଲରେ ଜୁନିଅର ଡାକ୍ତରମାନଙ୍କ ସହ କ୍ୟାଣ୍ଡେଲ ଲାଇଟ ପ୍ରତିବାଦରେ ସାମିଲ ହୋଇଥିଲେ ପୀଡିତାଙ୍କ ମାଆବାପା ଓ ସଂପର୍କୀୟ ଭାଇ । ନ୍ୟାୟ ଦାବିରେ ଆନ୍ଦୋଳନରତ ଜୁନିଅର ଡାକ୍ତରଙ୍କୁ ନିଜ ପରିବାର ସଦସ୍ୟ ବୋଲି କହିଥିଲେ ।

 

ପୀଡିତାଙ୍କ ବାପା-ମାଆଙ୍କ ଚାଂଚଲ୍ୟକର ଖୁଲାସା

ଜୁନିଅର ଡାକ୍ତରଙ୍କ ପ୍ରତିବାଦ ଓ ବିକ୍ଷୋଭରେ ସାମିଲ ହୋଇ ପୋଲିସ ଓ ହସପିଟାଲ ପ୍ରଶାସନ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଅଗଷ୍ଟ ୯ ତାରିଖ ଦିନ ସାଢେ ୧୨ଟାରେ ପୀଡିତାଙ୍କ ପରିବାର ଲୋକ ଆର.ଜି କର ହସପିଟାଲରେ ପହଂଚିଥିଲେ । ସଂଧ୍ୟା ୭ଟାରେ ସେମାନେ ହସପିଟାଲ ଛାଡିଥିଲେ । ପୀଡିତାଙ୍କ ମୃତଦେହ ସଂରକ୍ଷଣ ପାଇଁ ଚାହିଁଥିଲେ । କିନ୍ତୁ ଶବସତ୍କାର ହୋଇଯାଇଥିଲା ବୋଲି ପୀଡିତାଙ୍କ ବାପା ଯନ୍ତ୍ରଣା ଓ ଆକ୍ରୋଶର ସହ ସାମ୍ବାଦିକମାନଙ୍କୁ କହିଛନ୍ତି । କାହିଁକି ତରବରିଆ ଭାବେ ମୃତଦେହ ସତ୍କାର ବୋଲି ପ୍ରଶ୍ନ କରିଛନ୍ତି ପୀଡିତାଙ୍କ ବାପା । ଆରମ୍ଭରୁ ହିଁ ପୋଲିସ ଘଟଣାକୁ ଦବାଇ ଦେବାକୁ ଚେଷ୍ଟାକରିଥିବା ଅଭିଯୋଗ କରି ଚାଂଚଲ୍ୟକର ଖୁଲାସା କରିଛନ୍ତି ପୀଡିତାଙ୍କ ବାପା । ମୃତଦେହ ଦେଖିବାକୁ ଅନୁମତି ଦେଇନଥିଲା ପୋଲିସ । ପୋଷ୍ଟମର୍ଟମ ପାଇଁ ମୃତଦେହ ନିଆଯାଇଥିବା ବେଳେ ସେମାନଙ୍କୁ ପୋଲିସ ଷ୍ଟେସନରେ ହିଁ ରହିବାକୁ ପଡିଥିଲା । ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯିବା ପରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ଚୁପ୍ ରହିବା ପାଇଁ ଲାଂଚ ଯାଚିଥିଲେ ବୋଲି ଅଭିଯୋଗ କରିଛନ୍ତି ପୀଡିତାଙ୍କ ବାପା ।

ଧଳା କାଗଜରେ ଦସ୍ତଖତ ପାଇଁ ଚାପ

ପୀଡିତାଙ୍କ ପରିବାର ଲୋକେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କୁ ଧଳା କାଗଜରେ ଦସ୍ତଖତ କରିବାକୁ କୁହାଯାଇଥିଲା । କିନ୍ତୁ ସେମାନେ ମନା କରି କାଗଜ ଚିରି ଦେଇଥିଲେ । ଝିଅର ମୃତଦେହକୁ ଦେଖିବାକୁ ଚାହୁଁଥିଲେ ମଧ୍ୟ ତରବରିଆ ଭାବେ ସତ୍କାର କରିଦିଆଯାଇଥିଲା । କୋଲକାତା ପୋଲିସର ଜଣେ ବରିଷ୍ଠ ଅଧିକାରୀ ଲାଂଚ ଯାଚିଥିଲେ ।

ଲାଇଟ୍ସ ଆଉଟ୍ ବିକ୍ଷୋଭକୁ ବ୍ୟାପକ ସମର୍ଥନ

ପୀଡିତାଙ୍କୁ ନ୍ୟାୟ ଦାବିରେ କୋଲକାତାରେ ଜୁନିଅର ଡାକ୍ତରଙ୍କ ଲାଇଟ୍ସ ଆଉଟ୍ ବିକ୍ଷୋଭକୁ ମିଳିଛି ବ୍ୟାପକ ସମର୍ଥନ । କୋଲକାତା ସମେତ ବିଭିନ୍ନ ସହରରେ ଲାଇଟ୍ସ ଆଉଟ୍ ବିକ୍ଷୋଭ ହୋଇଛି । ଏପରିକି ରାଜ୍ୟପାଳ ଆନନ୍ଦ ବୋଷ ମଧ୍ୟ ରାଜଭବନର ଆଲୋକ ବନ୍ଦ ରଖି କ୍ୟାଣ୍ଡେଲ ଜଳାଇ ଲାଇଟ୍ସ ଆଉଟ ବିକ୍ଷୋଭକୁ ସମର୍ଥନ କରିଛନ୍ତି ।

Comments are closed.