କୋଲକାତା: ଦିନ ଥିଲା କଲିକତାର ପରିଚୟ ସାଜିଥିଲା ଡବଲ୍ ଡେକର୍ ବସ୍ । ହେଲେ କଲିକତାରୁ କୋଲକାତା ହେବାର ମାତ୍ର ୪ ବର୍ଷ ପରେ ରାସ୍ତାରେ ଆଉ ଦେଖିବାକୁ ମିଳିନଥିଲା ଏହି ସ୍ୱତନ୍ତ୍ର ବସ୍ । ହେଲେ ଏବେ କୋଲକାତା ରାସ୍ତାକୁ ପୁଣିଥରେ ଦୀର୍ଘ ୧୫ ବର୍ଷ ପରେ ଫେରିଛି ଡବଲ୍ ଡେକର୍ ବସ୍ ।
ଆଗକୁ ଦୁର୍ଗାପୂଜା ଆସୁଥିବାବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଦୁଇଟି ଡବଲ୍ ଡେକର୍ ବସ୍ର ଶୁଭାରମ୍ଭ କରିଥିଲେ । ବସଗୁଡିକର ରଙ୍ଗ ନୀଳ ରହିଥିଲାବେଳେ ଉପର ଛାତ ଖୋଲା ରହିଛି । ଏହି ବସକୁ ଦେଖିଲେ ସ୍ପଷ୍ଟ ଭାବେ ଲଣ୍ଡନର ଡବଲ୍ ଡେକର୍ କଥା ମନେ ପଡିଯାଏ ।
ପ୍ରାଥମିକ ସ୍ଥିତିରେ ଦୁଇଟି ବସ୍ ପର୍ଯ୍ୟଟନ ବିଭାଗ ଅଧୀନରେ ରହିବ । ଯାହା କେବଳ ପର୍ଯ୍ୟଟନସ୍ଥଳିକୁ ଯାତାୟତ କରିବ । ବସ୍ରେ ବସି ଲୋକେ ଭିକ୍ଟୋରିଆ ମେମୋରିଆଲ, ଫୋର୍ଟ ୱିଲିୟମ୍, ସେଣ୍ଟ ଜନ୍ ଚର୍ଚ୍ଚ, ଜିପିଓ, ଓଲ୍ଡ କରେନ୍ସି ବିଲ୍ଡିଂ, ଗ୍ରେଟ୍ ଇଷ୍ଟର୍ଣ୍ଣ ହୋଟେଲ ଓ ଇଡେନ୍ ଗାର୍ଡେନ୍କୁ ଯାଇପାରିବେ ।
ଡବଲ୍ ଡେକର୍ ପ୍ରୋଜେକ୍ଟର ନାଁ କୋଲକାତା କନେକ୍ଟ ୨୦୨୦ ରହିଥିବାବେଳେ ବୁଧବାରଠୁ ଏହି ବସର ଟିକଟ୍ ପାଇଁ ଅନ୍ଲାଇନ୍ ବୁକିଂ ଆରମ୍ଭ ହୋଇଛି । ଆଜି ବି ଅନେକ ଲୋକ ଅଜଣା ଯେ, ଭାରତରେ ପ୍ରଥମ ଡବଲ୍ ଡେକର୍ ବସ୍ କୋଲକାତାରେ ୧୯୨୦ରେ ଗଡିଥିଲା । ତେବେ ୨୦୦୫ରେ ଡବଲ ଡେକର ବସକୁ ସମ୍ପୁର୍ଣ୍ଣ ଭାବେ ହଟାଇ ଦିଆଯାଇଥିଲା ।
Comments are closed.