Latest Odisha News

BREAKING NEWS

ଆରମ୍ଭ ହୋଇଛି କୋରାପୁଟର ଲୋକ ମହୋତ୍ସବ’ପରବ’

ଜୟପୁର: ଶୀତୁଆ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ । କୋରାପୁଟରେ ଜମୁଛି ‘ପରବ’ ଲୋକ ମହୋତ୍ସବ । ଆଦିବାସୀଙ୍କ ଢେମସା ନାଚର ତାଳେ ତାଳେ ଦୁଲୁକୁଛି ମଞ୍ଚ । କୋରାପୁଟ ସ୍ଥିତ ଲାଣ୍ଡିଗୁଡା ସରକାରୀ କଲେଜ ପଡିଆ ଠାରେ ଉଦଘାଟିତ ହୋଇଛି ‘ପରବ’-୨୦୨୩ ଲୋକ ମହୋତ୍ସବ । କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଆଦିବାସୀ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ଶାରକା । ଆଦିବାସୀ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ହେବା ପରେ ‘ପରବ’ ମଶାଲ କୁ ପ୍ରଜ୍ଜ୍ଵଳିତ କରି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ ମନ୍ତ୍ରୀ ଜଗନ୍ନାଥ ଶାରକା ।

୩ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର କଳାକାର ମାନେ ଯୋଗଦେଇ ନିଜ ନିଜର କଳା ପ୍ରତିଭାକୁ ପ୍ରଦର୍ଶନ କରିବେ । ତତ୍ ସହିତ ବିଭିନ୍ନ ଜିଲ୍ଲା ଓ  ରାଜ୍ୟସ୍ତରରୁ ଆସିଥିବା ବ୍ୟବସାୟୀ ମାନେ ନିଜର ବାଣିଜ୍ୟର ବିକାଶ ନିମନ୍ତେ ପଲ୍ଲୀଶ୍ରୀ ମେଳାରେ ଷ୍ଟଲ୍ ଜରିଆରେ ନିଜ ବୃତ୍ତିକୁ ପ୍ରସାରିତ କରିବାର ସୁଯୋଗ ମଧ୍ୟ ପାଇବେ ।

କୋରାପୁଟ ମାଟି ଖେଳକୁଦ ର ମାଟି । ଏହି ମାଟିରୁ ଯୁବକ ଯୁବତୀ ମାନେ  ଦୌଡ଼,ଫୁଟବଲ,ଭାରୋତ୍ତଳନ ଓ ଅନ୍ୟାନ୍ୟ ଖେଳରେ ରାଜ୍ୟ ଓ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି ବୋଲି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ମତବ୍ୟକ୍ତ କରିଛନ୍ତି । କାର୍ଯ୍ୟକ୍ରମ ଶେଷରେ ପୂର୍ବରୁ ଆୟୋଜିତ ହୋଇଥିବା ବ୍ଳକ୍ ଓ ଜିଲ୍ଲା ସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ ସଫଳତାର ସହ ଅଂଶଗ୍ରହଣ କରି କୃତକାର୍ଯ୍ୟ ହୋଇଥିବା ଯୁବ କ୍ରୀଡାବିତ୍ ଦୌଡ଼, ଫୁଟବଲ , ଭଲିବଲ୍ , ତୀରନ୍ଦାଜ,ଭଳି ବିଭିନ୍ନ ପ୍ରତିଯୋଗିତାର ଅଂଶଗ୍ରହଣ କରିଥିବା କଳା ଓ ଖେଳ ପ୍ରେମୀଙ୍କୁ ଉତ୍ସାହିତ କରିଥିଲେ।

କୋରାପୁଟ ହେଉଛି କଳାର ଗନ୍ତାଘର । ପ୍ରାକୃତିକ କୀର୍ତ୍ତିରାଜିରେ ଭରପୁର ଏହି ଜିଲ୍ଲାର ପରମ୍ପରା, ଲୋକକଳା, ଖାଦ୍ୟପେୟ, ଚାଲି ଚଳନ ଯାହା ଅନ୍ୟ ଠାରୁ ଭିନ୍ନ l କୋରାପୁଟର ପାରମ୍ପରିକ ନୃତ୍ୟ, ବେଶଭୂଷା, ଚାଲିଚଳନ ଆଜି ବିଶ୍ବ ଦରବାରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ପରବ ମାଧ୍ୟମରେ  ଜିଲ୍ଲାର ଲୁକ୍କାୟିତ ପ୍ରତିଭା କୁ ଏକ ମଞ୍ଚ ଦେଇ ତାକୁ ଉଚିତ ମାର୍ଗ ଦର୍ଶନ କରିବା ଉଦ୍ଦେଶ୍ୟରେ ୧୯୯୬ ରେ ଆରମ୍ଭ କରାଯାଇଥିବା ପରବ ଆଜି ଅନେକ ଦିଗରେ ସଫଳତା ଆଣିଦେଇଛି । ପରବ ମଞ୍ଚରୁ ଅନେକ କଳାକାର ସମ୍ମାନିତ ହୋଇ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ କୋରାପୁଟ ଜିଲ୍ଲାକୁ ମଧ୍ୟ ଗୌରବାନ୍ବିତ କରିଛନ୍ତି l

Leave A Reply

Your email address will not be published.