Latest Odisha News

ଚର୍ଚ୍ଚାରେ କୋରାପୁଟିଆ କଳାଜିରା ଧାନ, ଖୁବଶିଘ୍ର ମିଳିବ GI ଟ୍ୟାଗ୍

କୋରାପୁଟ: କୋରାପୁଟର କଫି, ଝାଡୁ, ସାବୁନ ଓ ହଳଦୀ ପରେ ଏବେ ବିରଳ କୋରାପୁଟିଆ କଳାଜୀରା ଧାନକୁ ମିଳିବାକୁ ଯାଉଛି ଜିଆଇ ଟ୍ୟାଗ । ସେହିପରି ଓଡିଶାର ୭ ଉତ୍ପାଦ ଯଥା ଓଡିଶାର ଖଜୁରି ଗୁଡ, କୋରାପୁଟର କଳାଜିରା ଚାଉଳ, ଲାଞ୍ଜିଆ ସଉରାଙ୍କ ପଟ୍ଟଚିତ୍ର, ଢେଙ୍କାନାଳର ମଗଜ ଲଡୁ, ଶିମିଳିପାଳର କାଇଚଟଣୀ, ଡଙ୍ଗରିଆଙ୍କ ହାତବୁଣା ଚାଦରକୁ ମଧ୍ୟ ମିଳିବ ଜିଆଇ ଟ୍ୟାଗ । ଆସନ୍ତା ୩ ମାସ ମଧ୍ୟରେ ଏସବୁ ଉତ୍ପାଦ ଗୁଡିକ ଉପରେ କୌଣସି ଆପତ୍ତି ଅଭିଯୋଗ ନଆସିଲେ ଏହାକୁ ଜିଆଇ ଟ୍ୟାଗ ମିଳିବ ବୋଲି ଜଣାପଡିଛି । ଏହାରି ଭିତରେ ନୟାଗଡର କଣ୍ଟେଇମୁଣ୍ଡି ବାଇଗଣକୁ ଗତକାଲି ଜିଆଇ ଟ୍ୟାଗ ମିଳିସାରିଛି ।

କୋରାପୁଟର କଳାଜିରା ଚାଉଳ ବିଶେଷ କରି ଖିରି ଓ ବିରିୟାନୀ ପ୍ରସ୍ତୁତ କରିବାରେ ବ୍ୟବହୃତ ହୋଇଥାଏ । ଗତ କିଛିଦିନ ତଳେ କୋରାପୁଟ ଜିଲ୍ଲାର ୧୬୦ ପ୍ରକାରର ଧାନର ଗୁଣବତ୍ତାକୁ ନେଇ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଗବେଷଣା କରାଯାଇଥିଲା । ଗବେଷଣାରୁ ମିଳିଥିବା ରିପୋର୍ଟ ଅନୁସାରେ କଳାଜିରା ଧାନରେ ବିଭିନ୍ନ ଔଷଧୀୟ ଗୁଣ ରହିଥିବା ଜଣାପଡିଛି । ଏହାଛଡା ଏହି ଧାନରେ ପ୍ରାକୃତିକ ଦୁର୍ବିପାକକୁ ସହ୍ୟ କରିବାର ଦକ୍ଷତା ଅନ୍ୟାନ୍ୟ ଧାନ ଅପେକ୍ଷା ଢେର୍ ଅଧିକ ବୋଲି ମଧ୍ୟ ଏହି ଗବେଷଣାରୁ ଜଣାପଡିଛି । ଯାହାକୁ ନେଇ ମାର୍କେଟରେ ଏହି ଧାନର ଚାହିଦା ବେଶ ଅଧିକ ରହିଛି ।

ଏହି ଧାନ କୋରାପୁଟରେ ବହୁଳ ଭାବେ ଚାଷ କରାଯାଉଥିବା ବେଳେ ଦିନକୁ ଦିନ ଏହାର ଆଦର ଜିଲ୍ଲା ବାହାରର ବଜାର ସମେତ ଜାତୀୟ ବଜାରରେ ମଧ୍ୟ ଆଦୃତ ହେବାରେ ଲାଗିଛି । ଏକର ପିଛା ଏହା ୫ରୁ ୧୦କୁଇଣ୍ଟାଲ ଧାନ ଅମଳ ହେବା ସହ ୧୪୦ରୁ ୧୫୫ଦିନରେ ଏହା ଚାଷ ହେଉଛି । ଏହି ବିରଳ ଧାନରକୁ ଅନ୍ତର୍ଜାତୀୟ ବଜାରରେ ସ୍ଥାନ ଦେବା ପାଇଁ ଜିଆଇ ମାନ୍ୟତା ପ୍ରଦାନକୁ ନେଇ ଜିଲ୍ଲାପ୍ରଶାସନ ଓ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ପ୍ରୟାସ କରାଯାଇଥିଲା । ଏହାକୁ ଜିଆଟି ଟ୍ୟାଗ ମିଳିବା ନେଇ ତାଲିକାଭୁକ୍ତ ହେବା ପରେ କୋରାପୁଟରେ ଖୁସିର ଲହରୀ ଖେଳିଯାଇଛି ।

Comments are closed.