Latest Odisha News

BREAKING NEWS

Kotia map:ଗୁଗୁଲ୍‌ ମ୍ୟାପ୍‌ରେ କୋଟିଆର ଭୁଲ୍ ସୀମା;ସଂଶୋଧନ ପାଇଁ ସରକାରୀ ପ୍ରକ୍ରିୟା ଆରମ୍ଭ

କୋଟିଆ:କୋରାପୁଟ ଜିଲ୍ଲାର କୋଟିଆ ଅଞ୍ଚଳର ସୀମାକୁ ଗୁଗୁଲ ମ୍ୟାପ୍‌ରେ ଭୁଲ ଭାବେ ପ୍ରଦର୍ଶନ କରାଯାଇଛି । ଏହା ଜଣାପଡ଼ିବା ପରେ ରାଜ୍ୟ ସରକାର ପ୍ରାଥମିକତା ଭିତ୍ତିରେ ପଦକ୍ଷେପ ଆରମ୍ଭ କରିଛନ୍ତି । ଭୂମିସ୍ତରର ସୀମା ବିବାଦ ସହ ଏହି ଡିଜିଟାଲ ଚିତ୍ରଣ ଜଡ଼ିତ ଥିବାରୁ ଏହାକୁ ନେଇ ପ୍ରଶାସନିକ ମହଲରେ ମଧ୍ୟ ଗୁରୁତ୍ୱ ବଢ଼ିଛି। କୋଟିଆର ଭୁଲ ଚିତ୍ରଣ ନେଇ ପ୍ରଥମେ ଦଣ୍ଡକାରଣ୍ୟ ବିକାଶ ମହାମଞ୍ଚ ଗୁଗୁଲ୍ ଇଣ୍ଡିଆ ଓ ଗୁଗୁଲ ଏଲ୍ଏଲ୍‌ସିଙ୍କ ନିକଟରେ ଆପତ୍ତି ଜଣାଇଥିଲା । ସୀମା ସଂଶୋଧନ ଲାଗି ଦାବି କରିଥିଲା । ପରେ ମହାମଞ୍ଚ ପକ୍ଷରୁ କେନ୍ଦ୍ର ସରକାରଙ୍କ ସର୍ଭେୟର ଜେନେରାଲଙ୍କୁ ହସ୍ତକ୍ଷେପ ପାଇଁ ଦାବିପତ୍ର ଦିଆଯାଇଛି ।

ଉତ୍ତରରେ ନ୍ୟାସନାଲ ଇନ୍‌ଫରମେଟିକ୍ସ ସେଣ୍ଟରର ଡେପୁଟି ଡାଇରେକ୍ଟର ଜେନେରାଲ ଏସ୍. ପି କାର୍ତ୍ତିକେୟନ୍ ସ୍ପଷ୍ଟ କରିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ସର୍ଭେ ଅଫ୍ ଇଣ୍ଡିଆ ହିଁ ଦେଶର ଅଧିକୃତ ପ୍ରଶାସନିକ ଓ ଭୂଖଣ୍ଡୀୟ ସୀମା ସମ୍ବନ୍ଧୀୟ ତଥ୍ୟର ପ୍ରମାଣୀକରଣ ପାଇଁ ଦାୟୀ । ଏନ୍ଆଇସି ନିଜେ ବାଣିଜ୍ୟିକ ମ୍ୟାପିଂ ପ୍ଲାଟଫର୍ମରେ ସଂଶୋଧନ କରିବାର କ୍ଷମତାଧିକାରୀ ନୁହଁ ।

ଦଣ୍ଡକାରଣ୍ୟ ବିକାଶ ମହାମଞ୍ଚର ସଭାପତି ଗୌରଚନ୍ଦ୍ର ତ୍ରିପାଠୀଙ୍କ କହିବା ଅନୁଯାୟୀ, ଡିଜିଟାଲ ମାନଚିତ୍ରରେ ସୀମାର ଭୁଲ ଚିତ୍ରଣ ଭବିଷ୍ୟତରେ ଲୋକଙ୍କ ମଧ୍ୟରେ ଭ୍ରାନ୍ତିପୂର୍ଣ୍ଣ ଭୂଖଣ୍ଡୀୟ ଧାରଣା ସୃଷ୍ଟି କରିପାରେ। ତେଣୁ କୋଟିଆ ପରିଚୟକୁ କେବଳ ଭୂମିରେ ନୁହେଁ, ପ୍ରତ୍ୟେକ ଡିଜିଟାଲ ମାନଚିତ୍ରରେ ମଧ୍ୟ ସୁରକ୍ଷିତ ରଖିବା ଆବଶ୍ୟକ ।

କଂଗ୍ରେସ ବିଧାୟକ ଦଳ ନେତା ତଥା ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡ଼ାମ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି । ତୁରନ୍ତ ସରକାରୀ ହସ୍ତକ୍ଷେପ ଦାବି କରିଛନ୍ତି ।

କାଡା଼ମ ଗୁଗୁଲ ପ୍ରସଙ୍ଗ ଉଠାଇବା ସହ କେନ୍ଦ୍ର ସରକାର ଓ ଏନ୍ଆଇସି ମାଧ୍ୟମରେ ବିଭିନ୍ନ ଡିଜିଟାଲ ମ୍ୟାପିଂ ପ୍ଲାଟଫର୍ମରେ ଓଡ଼ିଶାର ଅଧିକୃତ ପ୍ରଶାସନିକ ସୀମାର ଏକରୂପ ଚିତ୍ରଣ ସୁନିଶ୍ଚିତ କରିବାକୁ ଦାବି କରିଛନ୍ତି । ରାଜ୍ୟ ସରକାର ପ୍ରାଥମିକତା ଭିତ୍ତିରେ ଏହାର ସମାଧାନ ଦାୟିତ୍ୱ ରାଜସ୍ୱ ବିଭାଗର ସ୍ୱତନ୍ତ୍ର ସଚିବ ଶେଖ ଜମିରୁଦ୍ଦିନଙ୍କୁ ଦେଇଛନ୍ତି ।

Leave A Reply

Your email address will not be published.