ଆମଷ୍ଟେଲଭିନ୍: ଏଫଆଇଏଚ୍ ପୁରୁଷ ହକି ବିଶ୍ୱକପ୍ ୨୦୨୬ରେ ଭାରତୀୟ ଦଳକୁ ଶକ୍ତ ଝଟକା ଲାଗିଛି । ଶନିବାର ନେଦରଲ୍ୟାଣ୍ଡ୍ସର ଆମଷ୍ଟେଲଭିନ୍ ସ୍ଥିତ ୱାଗେନର୍ ଷ୍ଟାଡିୟମରେ ଖେଳାଯାଇଥିବା ପୁଲ୍-ଇର ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ‘କର ବା ମର’ ମ୍ୟାଚରେ ଆୟୋଜକ ନେଦରଲ୍ୟାଣ୍ଡ୍ସ ନିକଟରୁ ୩-୧ ଗୋଲ୍ ବ୍ୟବଧାନରେ ଭାରତ ଶୋଚନୀୟ ଭାବେ ପରାସ୍ତ ହୋଇଛି । ଏହି ପରାଜୟ ସହିତ ଭାରତର ସେମିଫାଇନାଲ୍ ଯିବା ଆଶା ଏବେ ଏକପ୍ରକାର ମଉଳି ଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ ।
ମ୍ୟାଚ୍ର ପ୍ରଥମାର୍ଦ୍ଧରେ ଉଭୟ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ପ୍ରଥମ ଦୁଇଟି କ୍ୱାର୍ଟରରେ ଭାରତୀୟ ଖେଳାଳି, ବିଶେଷକରି ଡିଫେନ୍ସରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଆୟୋଜକ ଦଳକୁ ଗୋଲ୍ କରିବାରୁ ବଞ୍ଚିତ କରିଥିଲେ । ଫଳରେ ପ୍ରଥମାର୍ଦ୍ଧ ସୁଦ୍ଧା ସ୍କୋର ୦-୦ ରହିଥିଲା । କିନ୍ତୁ ତୃତୀୟ କ୍ୱାର୍ଟରରେ ନେଦରଲ୍ୟାଣ୍ଡ୍ସ ଦଳ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ଭାରତ ଉପରେ ବ୍ୟାପକ ଚାପ ପକାଇଥିଲା । ୪୧ତମ ମିନିଟରେ ଡୁକୋ ଟେଲଗେନକାମ୍ପ ଏକ ଚମତ୍କାର ଫିଲ୍ଡ ଗୋଲ୍ କରି ଦଳକୁ ୧-୦ରେ ଆଗୁଆ କରିଥିଲେ । ଏହାର କିଛି ସମୟ ପରେ ଅର୍ଥାତ୍ ୫୧ତମ ମିନିଟରେ ଟିଜେପ୍ ହୋଡେମେକର୍ସ ଦ୍ୱିତୀୟ ଗୋଲ୍ ଦେଇ ନେଦରଲ୍ୟାଣ୍ଡ୍ସର ସ୍ଥିତି ମଜବୁତ କରିଥିଲେ ।
ଏହା ପରେ ୫୨ତମ ମିନିଟରେ ଭାରତୀୟ ଅଧିନାୟକ ହରମନପ୍ରୀତ ସିଂହ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ସ୍କୋରକୁ ୨-୧ ସ୍ଥିତିକୁ ଆଣିଥିଲେ, ଯାହା ଭାରତୀୟ ଶିବିରରେ କିଛିଟା ଆଶା ସଞ୍ଚାର କରିଥିଲା। ମାତ୍ର ଭାରତର ଖୁସି ବେଶୀ ସମୟ ରହିନଥିଲା। ଖେଳର ୫୫ତମ ମିନିଟରେ ନେଦରଲ୍ୟାଣ୍ଡ୍ସର ଥିଜସ୍ ଭାନ୍ ଡାମ୍ ଆଉ ଏକ ଗୋଲ୍ ଦେଇ ଭାରତର ସମସ୍ତ ଆଶାରେ ପାଣି ପକାଇ ଦେଇଥିଲେ ଏବଂ ମ୍ୟାଚ୍ଟିକୁ ୩-୧ରେ ସିଲ୍ କରିଦେଇଥିଲେ ।
ସୂଚନାଯୋଗ୍ୟ ଯେ, ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରେ ଇଂଲଣ୍ଡଠାରୁ ୪-୨ରେ ହାରିଥିବା ଯୋଗୁଁ ଭାରତ ବିନା କୌଣସି ପଏଣ୍ଟରେ ଦ୍ୱିତୀୟ ପର୍ଯ୍ୟାୟ (ପୁଲ୍-ଇ) କୁ ଉନ୍ନୀତ ହୋଇଥିଲା। ତେଣୁ ସେମିଫାଇନାଲ୍ ଟିକେଟ୍ ପାଇଁ ଭାରତକୁ ଏହି ମ୍ୟାଚ୍ ଜିତିବା ନିହାତି ଆବଶ୍ୟକ ଥିଲା । ଏହି ପରାଜୟ ପରେ ଦଳର ସେମିଫାଇନାଲ୍ ପ୍ରବେଶ ଏବେ ଅନ୍ୟ ଦଳଗୁଡ଼ିକର ମ୍ୟାଚ୍ ଫଳାଫଳ ଉପରେ ନିର୍ଭର କରୁଛି । ଆସନ୍ତା ସୋମବାର ଭାରତ ତାର ପରବର୍ତ୍ତୀ ତଥା ଶେଷ ମ୍ୟାଚରେ ଆର୍ଜେଣ୍ଟିନାକୁ ଭେଟିବ। ଏଥିରେ ବିଜୟୀ ହେଲେ ମଧ୍ୟ ଭାରତକୁ ଅନ୍ୟ ମ୍ୟାଚର ଗଣିତ ଉପରେ ଭରସା କରିବାକୁ ପଡ଼ିବ । ଯଦି ସେମିଫାଇନାଲ୍କୁ ଯାଇନପାରେ, ତେବେ ଦଳକୁ ୫ମରୁ ୮ମ ସ୍ଥାନ ପାଇଁ କ୍ଲାସିଫିକେସନ୍ ମ୍ୟାଚ୍ ଖେଳିବାକୁ ପଡ଼ିବ ।

