ଭୁବନେଶ୍ବର: ସ୍ୱନାମଧନ୍ୟ ଦାର୍ଶନିକ-ସାହିତ୍ୟିକ କୃଷ୍ଣପ୍ରସାଦ ମିଶ୍ର ସ୍ମୃତି ସଂସଦ ଓ ସ୍ନାତକୋତ୍ତର ଦର୍ଶନ ବିଭାଗର ମିଳିତ ଆନୁକୂଲ୍ୟରେ ଏବଂ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ୩୩ତମ କୃଷ୍ଣପ୍ରସାଦ ବାର୍ଷିକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ରେଭେନ୍ସା ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗର ଅଧ୍ୟାପକ ଡକ୍ଟର ଜ୍ଞାନୀ ଦେବାଶିଷ ମିଶ୍ର ସ୍ମାରକୀ ବକ୍ତୃତା ପ୍ରଦାନ କରି କୃଷ୍ଣପ୍ରସାଦଙ୍କର ଓଡ଼ିଆ ସାହିତ୍ୟକୁ ଅବଦାନର ଉଚ୍ଚ ପ୍ରଶଂସା କରିଥିଲେ ।
ତାଙ୍କ ଦ୍ବାରା ସମ୍ପାଦିତ “ମାନସ” ଓଡ଼ିଆ ସାହିତ୍ୟ ପତ୍ରିକା ଜଗତରେ ଆନ୍ଦୋଳନ ସୃଷ୍ଟି କରିଥିଲା । ଏହା ଅନେକ ନୂଆ ନୂଆ ଲେଖକ ସୃଷ୍ଟି କରିବା ସହିତ ପ୍ରବନ୍ଧ ଓ ଆଲୋଚନାକୁ ଅଧିକ ଗୁରୁତ୍ୱ ଦେଇ ଓଡ଼ିଆ ସାହିତ୍ୟରେ ବୌଦ୍ଧିକତା ଓ ମନନଶୀଳ ଧାରାକୁ ପୁଷ୍ଟ କରିଥିଲା । ସଭାପତି ଅଭିଭାଷଣରେ ପ୍ରଫେସର ଆଚାର୍ଯ୍ୟ ଶିକ୍ଷକମାନେ ହିଁ କିପରି ଜାତିଗଠନର ମୁଖ୍ୟ କର୍ଣ୍ଣଧାର ତାହା କୃଷ୍ଣପ୍ରସାଦ ଓ ନିଜ ସାହିତ୍ୟର ଉଦାହରଣ ଦେଇ ବୁଝାଇଥିଲେ ଏବଂ ଏସବୁ ସାହିତ୍ୟ କୃତି ବର୍ତ୍ତମାନର ଛାତ୍ରଛାତ୍ରୀଗଣ ପାଠ ଓ ଆଲୋଚନା କଲେ ଓଡ଼ିଆ ଅସ୍ମିତା ଉଜ୍ଜୀବିତ ହେବ ବୋଲି କହିଥିଲେ ।
ସ୍ମୃତି ସଂସଦର ଆବାହକ ଡକ୍ଟର ବିରାଜ ମୋହନ ଦାସ କୃଷ୍ଣପ୍ରସାଦଙ୍କ କୃତି ଓ କୃତିତ୍ୱ ବିଷୟରେ ସୂଚନା ଦେବା ସହିତ ବିଭାଗୀୟ ମୁଖ୍ୟ ଡକ୍ଟର ନନ୍ଦିନୀ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ । ଶେଷରେ ସ୍ବର୍ଗତ ପ୍ରଫେସର ମିଶ୍ରଙ୍କ ପୁଅ ଡାକ୍ତର ସିଦ୍ଧାର୍ଥ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଦର୍ଶନ ବିଭାଗର ଛାତ୍ରଛାତ୍ରୀ, ଡକ୍ଟର ସୁଧାକର ଜାଲି ପ୍ରମୁଖ ଅଧ୍ୟାପକ, ଅଧ୍ୟାପିକା, ଅବସରପ୍ରାପ୍ତ ଓଡ଼ିଆ ଭାଷା ସାହିତ୍ୟ ପ୍ରଫେସର ସଂଘମିତ୍ରା ମିଶ୍ର, ଦର୍ଶନଶାସ୍ତ୍ର ପ୍ରଫେସର ଗଣେଶ ପ୍ରସାଦ ଦାସ ଓ ବହୁ କୃଷ୍ଣପ୍ରସାଦ ପ୍ରେମୀ ସଭାରେ ଯୋଗ ଦେଇଥିଲେ ।