Latest Odisha News

BREAKING NEWS

ଯେଭଳି ମନ୍ତବ୍ୟ ପାଇଁ ରାହୁଲଙ୍କ ପଦ ନେଇଥିଲ, ସେଭଳି ମନ୍ତବ୍ୟ ପାଇଁ ସଞ୍ଜୟଙ୍କ ପଦ ନିଅ !

ଭୁବନେଶ୍ୱର: ମୋଦି ସାଙ୍ଗିଆ ସମ୍ପର୍କିତ ଟିପ୍ପଣୀ ପାଇଁ ଯଦି ରାହୁଲ ଗାନ୍ଧୀଙ୍କ ସଦସ୍ୟ ପଦ ନିଆଯାଇପାରିଲା ତାହେଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ପାଇଁ ବିଜେପି ସାଂସଦ ବନ୍ଦୀ ସଞ୍ଜୟ କୁମାରଙ୍କ ସଦସ୍ୟ ପଦ କାହିଁକି ନିଆଯିବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି କେଟିଆର।

ତେଲେଙ୍ଗାନାର କରିମନଗର ସାଂସଦ ତଥା ବିଜେପିର ପୂର୍ବତନ ତେଲେଙ୍ଗାନା ରାଜ୍ୟ ସଭାପତି ବନ୍ଦୀ ସଞ୍ଜୟ କୁମାର ଲୋକସଭାରେ କେସିଆର ସରକାର ବିରୋଧରେ କଡା ଟିପ୍ପଣୀ ଦେଇଥିଲେ।

ସଂସଦରେ ସଞ୍ଜୟ କୁମାର କେସିଆରଙ୍କୁ ରାଜାକରସମାନଙ୍କ ସହିତ ତୁଳନା କରିଥିଲେ। ଯେଉଁମାନେ ନିଜାମଙ୍କ ଶାସନ ସମୟରେ ଲୋକଙ୍କୁ ନିର୍ଯ୍ୟାତନା ଦେବା ସହ ମାରି ଦେଉଥିଲେ।

ଏପରିକି ବିଆରଏସକୁ ଭ୍ରଷ୍ଟାଚାର ରାକ୍ଷସ ସମିତି ବୋଲି କହିଥିଲେ ସାଂସଦ। କେସିଆରଙ୍କ ସରକାର ଦେଶର ସବୁଠୁ ଦୁର୍ନୀତିଗ୍ରସ୍ତ ସରକାର ବୋଲି ସଞ୍ଜୟ କୁମାର କହିଥିଲେ।

ଯାହାକୁ ନେଇ ମନ୍ତ୍ରୀ କେ ଟି ରାମାରାଓ ବାଚସ୍ପତି ଓମ ବିର୍ଲାଙ୍କୁ ଏହି ସାଂସଦଙ୍କ ସଦସ୍ୟପଦ ରଦ୍ଦ କରିବା ନେଇ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁକୁ ନେଇ କହିବାରୁ ରାହୁଲ ଗାନ୍ଧୀଙ୍କ ସଦସ୍ୟ ପଦ ରଦ୍ଦ କରାଗଲା। ଏବେ ଏହି ବିଜେପି ସାଂସଦ ତେଲେଙ୍ଗାନାର ଦୁଇ ଦୁଇ ଥର ନିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ଭାଷାରେ କହିଥିବାରୁ ଏବେ କଣ କରାଯିବା ଉଚିତ ବୋଲି ଲୋକସଭା ବାଚସ୍ପତିଙ୍କୁ ଟ୍ୱିଟ ମାଧ୍ୟମରେ ପ୍ରଶ୍ନ କରିଛନ୍ତି କେଟିଆର।

ଟ୍ୱିଟରରେ ଏହି ପ୍ରଶ୍ନ ସହ ବାଚସ୍ପତିଙ୍କୁ ଟ୍ୟାଗ କରାଯାଇଛି। କରିମନଗରର ବିଜେପି ସାଂସଦ ସଞ୍ଜୟ କୁମାରଙ୍କୁ ତେଲେଙ୍ଗାନା ବିଜେପି ସଭାପତି ପଦରୁ ହଟାଯିବା ପରେ ଦଳର ଜାତୀୟ ସାଧାରଣ ସମ୍ପାଦକ କରାଯାଇଛି।

ସେପଟେ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ଏଥର ତ୍ରିମୁଖୀ ଲଢେଇ ହେବ ବୋଲି କୁହାଯାଉଛି। ଶାସକ ବିଆରଏସ ସହ କଂଗ୍ରେସ ଓ ବିଜେପିର ଲଢେଇ ହେବ।

କଂଗ୍ରେସ ମଧ୍ୟ ସମ୍ପୂର୍ଣ୍ଣ ରଣନୀତି ସହ ତେଲେଙ୍ଗାନା ଦଖଲ ପାଇଁ ଉଦ୍ୟମ କରୁଥିବା ବେଳେ ବିଜେପି ମଧ୍ୟ ଏହି ଦକ୍ଷିଣୀ ରାଜ୍ୟରେ ଜିତିବାକୁ ଉଦ୍ୟମ କରୁଛି। ଏପରିକି ବିଆରଏସ ମଧ୍ୟ ବିରୋଧୀ ମେଣ୍ଟ ଇଣ୍ଡିଆ ସହ ନ ମିଶି ଏକା ରହିଛି।

ଏଭଳି ସ୍ଥିତିରେ କଂଗ୍ରେସ ଓ ବିଜେପିକୁ ବିରୋଧ କରୁଥିବା ବିଆରଏସ ରାହୁଲ ଗାନ୍ଧୀଙ୍କ ପ୍ରସଙ୍ଗ ନେଇ କେନ୍ଦ୍ରକୁ ଟାର୍ଗେଟ କରିବା ରାଜନୈତିକ ଚର୍ଚ୍ଚାକୁ ଆହୁରି ବଢ଼ାଇ ଦେଇଛି।

Leave A Reply

Your email address will not be published.