Latest Odisha News

BREAKING NEWS

ମୁମ୍ବାଇରେ ପାଳିତ ହେଲା କୁମାର ପୂର୍ଣ୍ଣିମା ଉତ୍ସବ

ମୁମ୍ବାଇ : ଓଡ଼ିଶା ବାହାରେ ରହି ଓଡ଼ିଆତ୍ୱକୁ ବଜାୟ ରଖିବା ପାଇଁ ପ୍ରବାସୀ ଓଡ଼ିଆମାନେ ସବୁବେଳେ ପ୍ରୟାସ ଜାରି ରଖିଥାନ୍ତି । ନିକଟରେ ନବୀ ମୁମ୍ବାଇ ଅଞ୍ଚଳରେ ତିରିଶ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି କାର୍ଯ୍ୟ କରି ଆସୁଥିବା ସାମାଜିକ ସଂସ୍ଥା ବମ୍ବେ ଓଡ଼ିଆ ଓମେନ୍ସ ଆସୋସିଏସନ୍ସ ବା ବୋଆ ପକ୍ଷରୁ କୁମାର ପୂର୍ଣ୍ଣିମା ଉତ୍ସବ ଅତ୍ୟନ୍ତ ଆଗ୍ରହ ଓ ଉଦ୍ଦୀପନା ସହ ପାଳିତ ହୋଇଯାଇଛି ।

ଏହି ଉତ୍ସବର ପ୍ରାରମ୍ଭରେ ପ୍ରତ୍ୟୁଷରେ ମାତା ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ସହ ପ୍ରସାଦ ସେବନ କରାଯାଇଥିଲା ଏବଂ ସନ୍ଧ୍ୟାରେ ହୋଇଥିଲା ସମ୍ପୂର୍ଣ୍ଣ ଓଡ଼ିଆ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

ମୁମ୍ବାଇର ଖାରଗର ଅଞ୍ଚଳରେ ଥିବା ବୋଆର ନିଜସ୍ବ ଅଟ୍ଟାଳିକା, ଉତ୍କର୍ଷା ପ୍ରେକ୍ଷାଳୟରେ ଆୟୋଜିତ ଏହି ଉତ୍ସବ ତୁଳସୀ ଚଉରାର ବନ୍ଦାପନା ସହ ଆରମ୍ଭ ହୋଇଥିଲା । ପରେ ପରେ ମନିଷା ପାଣିଗ୍ରାହୀ ଓ ସୁନିତା ସାହୁ କୁଆଁର ପୁନେଇଁ ଗୀତ ଗାଇଥିଲେ । ଏହା ପରେ କମଳା ଶତପଥୀ ଓ ଶ୍ରୀମତୀ ପ୍ରଣତି ମିଶ୍ରଙ୍କ ନିର୍ଦ୍ଦେଶନାରେ ସ୍ୱର୍ଗତଃ ଗୋପାଳ ଛୋଟରାୟଙ୍କ ଅନବଦ୍ୟ କୃତି ମହିଷମର୍ଦ୍ଦିନୀ ଗୀତିନାଟ୍ୟ ଅନୁଷ୍ଠାନର ସଦସ୍ୟମାନଙ୍କ ଦ୍ୱାରା ଅଭିନୀତ ହୋଇଥିଲା। ପରିଶେଷରେ ବୋଆର ସଭାପତି କାନନୀକା ତ୍ରିପାଠୀ ସମସ୍ତ କଳାକାରଙ୍କୁ ବୋଆ ଆର୍ଟ ଆଣ୍ଡ୍ କ୍ରାଫ୍ଟ୍ ଦ୍ବାରା ନିର୍ମିତ ଉପହାର ପ୍ରଦାନ କରିଥିଲେ ଏବଂ ଆଗାମୀ ଦିନରେ ଏପରି କାର୍ଯ୍ୟକ୍ରମ ମାନ ପ୍ରସ୍ତୁତ ହେବ ବୋଲି ସୂଚନା ଦେଇଥିଲେ ।

Comments are closed.