Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ନବରଙ୍ଗପୁରରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର, ୧୫ ଲକ୍ଷ ଲୋକଙ୍କ ପାଇଁ ଅଛନ୍ତି ମାତ୍ର ୧୦୩ ଜଣ ଡାକ୍ତର

ନବରଙ୍ଗପୁର: ଭଲ ନାହିଁ ନବରଙ୍ଗପୁର ଜିଲ୍ଲାର ସ୍ୱାସ୍ଥ୍ୟ । ରହିବ ବା କେମିତି ? ଏଠି ୧୫ ଲକ୍ଷ ଲୋକଙ୍କ ପାଇଁ ଅଛନ୍ତି ମାତ୍ର ୧୦୩ ଜଣ ଡାକ୍ତର । ଜିଲ୍ଲାରେ ୨୬୫ ଅନୁମୋଦିତ ଡାକ୍ତର ପଦବୀ ରହିଥିବା ବେଳେ ଅଧାରୁ ଅଧିକ ପଦ ଖାଲି । ଧର୍ମକୁ ଆଖିଠାର ଭଳି ନବରଙ୍ଗପୁର ଜିଲ୍ଲାରେ ନାଁକୁ ମାତ୍ର ମିଳୁଛି ସ୍ୱାସ୍ଥ୍ୟସେବା । ଜିଲ୍ଲାରେ ୧୬୪ ଡାକ୍ତର ପଦବୀ ଖାଲି ପଡ଼ିଥିବା ବେଳେ ୮୧ ଜଣ ଫାର୍ମାସିଷ୍ଟଙ୍କ ସ୍ଥାନରେ ଅଛନ୍ତି ମାତ୍ର ୬୦ ଜଣ । ୩୩୦ ଜଣ ଷ୍ଟାଫ ନର୍ସଙ୍କ ସ୍ଥାନରେ ୨୪୩ ଜଣ ଥିବାବେଳେ ୩୪୪ ଜଣ ମହିଳା ସ୍ୱାସ୍ଥ୍ୟକର୍ମୀ ସ୍ଥାନରେ ଅଛନ୍ତି ୩୧୦ ଜଣ । ସେହିଭଳି ୪୯ ଜଣ ଲ୍ୟାବ ଟେକ୍ନିସିଆନ୍ ବଦଳରେ ମାତ୍ର ୧୪ ଜଣଙ୍କୁ ନେଇ ଚାଲିଛି ସ୍ୱାସ୍ଥ୍ୟସେବା । ୧୩ଗୋଟି ଏକ୍ସରେ ଟେକ୍ନିସିଆନ ପଦବୀକୁ ମଞ୍ଜୁରୀ ମିଳିଥିବା ବେଳେ ଅଛନ୍ତି ୬ ଜଣ ।

ନବରଙ୍ଗପୁର ଜିଲ୍ଲାରେ ୧୦ ଗୋଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଟିଏ ଉପଖଣ୍ଡ ଡାକ୍ତରଖାନା ଓ ୪୧ ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି । ଏକାଧିକ ମେଡିକାଲରେ ଜଣେ କିମ୍ବା ୨ ଜଣ ଡାକ୍ତରରେ ଯୋଗାଇ ଦିଆଯାଉଛି ସ୍ୱାସ୍ଥ୍ୟସେବା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଭିତ୍ତିଭୂମି ବଢ଼ୁଥିବା ବେଳେ ଡାକ୍ତରଙ୍କ ସଂଖ୍ୟା କମି କମି ଚାଲିଛି । ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରେ ୨୩ ବିଶେଷଜ୍ଞ ଡାକ୍ତରଙ୍କ ସ୍ଥାନରେ ଅଛନ୍ତି ୧୩ ଜଣ ।

ସେହିଭଳି ମୋଟ ୭୨ଟି ଅନୁମୋଦିତ ଡାକ୍ତର ପଦବୀରୁ ୨୪ ଜଣ ଅଛନ୍ତି । ଅର୍ଥାତ୍ ଜିଲ୍ଲା ମୁଖ୍ୟାଳୟରେ ଅନୁମୋଦିତ ପଦ ଠାରୁ ଏକ ତୃତୀୟାଂଶ ଡାକ୍ତର ଅଛନ୍ତି । ୪୫ଟି ଡାକ୍ତର ପଦବୀ ଦୀର୍ଘ ବର୍ଷ ଧରି ଖାଲି ପଡ଼ିଛି । ଦୀର୍ଘ ୨୦ ବର୍ଷରୁ ଅଧିକ ସମୟ ହେଲା ଏଭଳି ସ୍ଥିତି ଲାଗି ରହିଛି । ଫଳରେ ରୋଗୀଙ୍କ ସ୍ୱାସ୍ଥ୍ୟରେ ଟିକିଏ ଅବନତି ହେଲେ ସିଧା କରାଯାଉଛି କୋରାପୁଟ ରେଫର୍ । ଡାକ୍ତର ଅଭାବରୁ ସ୍ୱାସ୍ଥ୍ୟସେବା ଭଳି ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଜିଲ୍ଲାବାସୀ ।

Leave A Reply

Your email address will not be published.