ରାୟଗଡ଼ା: ନିଜର ହକ୍ ଓ ନ୍ୟାୟ ପାଇବା ପାଇଁ ପ୍ରଶାସନର ଦ୍ୱାରସ୍ଥ ହୋଇ ଶେଷରେ ନିରାଶ ହେବା ପରେ ଏକ ଗରିବ ଚାଷୀ ପରିବାର ଚରମ ପଦକ୍ଷେପ ନେଇଛନ୍ତି । ରାୟଗଡ଼ା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କକ୍ଷ ପରିସରରେ ଏକ ଅଭାବନୀୟ ତଥା ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି । ଦୀର୍ଘ ଦିନର ଜମି ବିବାଦର ସମାଧାନ ନହେବାରୁ ଏବଂ ପ୍ରଶାସନ ପକ୍ଷରୁ କୌଣସି ନ୍ୟାୟ ନମିଳିବାରୁ ଗୋଟିଏ ପରିବାରର ୫ ଜଣ ସଦସ୍ୟ ଏକାଠି କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏହି ଘଟଣା ସମଗ୍ର ଜିଲ୍ଲାରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି ।
ମିଳିଥିବା ସୂଚନା ଅନୁଯାୟୀ, ରାୟଗଡ଼ା ଜିଲ୍ଲା ଜାମାଦେଇପେଣ୍ଠ ଗାଁର ୟାଡାଲା ଗଙ୍ଗୁଲୁ ଏବଂ ତାଙ୍କ ପରିବାର ବିଗତ ୪ ଦଶନ୍ଧି ଧରି ପ୍ରାୟ ୩ ଏକର ସରକାରୀ ଜମିରେ କଷ୍ଟେମଷ୍ଟେ ଚାଷବାସ କରି ନିଜର ଗୁଜାରଣ ମେଣ୍ଟାଉଥିଲେ । ଦୀର୍ଘ ବର୍ଷ ଧରି ସେମାନେ ଏହି ଜମିକୁ ନିଜର ରକ୍ତଝାଳ ଦେଇ ଉର୍ବର କରିଥିଲେ । ଏହି ଜମି ହିଁ ସେମାନଙ୍କର ଆୟର ଏକମାତ୍ର ଉତ୍ସ ହୋଇଥିବା ବେଳେ ଏହା ଉପରେ ନିର୍ଭର କରି ସମଗ୍ର ପରିବାରର ଚଳିଥାଏ । ତେବେ ନିକଟରେ ଗାଁର ଅନ୍ୟ ଜଣେ ବ୍ୟକ୍ତି ଉକ୍ତ ଜମି ଉପରେ ହଠାତ୍ ନିଜର ମାଲିକାନା ଦାବି କରିବାରୁ ବିବାଦର ସୂତ୍ରପାତ ହୋଇଥିଲା । ପ୍ରଭାବଶାଳୀ ଲୋକଙ୍କ ଚାପରେ ସେମାନଙ୍କ ଠାରୁ ଏହି ଜମି ଛଡ଼ାଇ ନେବାକୁ ଉଦ୍ୟମ ହେଉଥିବା ଅଭିଯୋଗ ହୋଇଛି । ନିଜର ଏକମାତ୍ର ରୋଜଗାରର ପନ୍ଥାକୁ ବଞ୍ଚାଇବା ପାଇଁ ଗଙ୍ଗୁଲୁ ରାଜସ୍ୱ ବିଭାଗ ଠାରୁ ଆରମ୍ଭ କରି ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କୁ ବାରମ୍ବାର ଗୁହାରି କରିଥିଲେ ସୁଦ୍ଧା କେହି ତାଙ୍କ ଗୁହାରି ଶୁଣିନଥିଲେ କିମ୍ବା ତାଙ୍କ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେଇନଥିଲେ ।
ଶେଷରେ କୌଣସି ଉପାୟ ନପାଇ ଗଙ୍ଗୁଲୁ ଏବଂ ତାଙ୍କ ପରିବାରର ଅନ୍ୟ ୪ ଜଣ ସଦସ୍ୟ ଜିଲ୍ଲାପାଳଙ୍କ ଗ୍ରିଭାନ୍ସ ସେଲ୍ରେ ପହଞ୍ଚିଥିଲେ । ସେମାନେ ଆଶା କରିଥିଲେ ଯେ ଜିଲ୍ଲାପାଳଙ୍କ ନିକଟରେ ସେମାନଙ୍କ ସମସ୍ୟାର ସମାଧାନ ହୋଇପାରିବ। ମାତ୍ର ସେଠାରେ ମଧ୍ୟ ତାଙ୍କୁ ଉପଯୁକ୍ତ ନ୍ୟାୟ ନମିଳିବାରୁ ସମ୍ପୂର୍ଣ୍ଣ ନିରାଶ ହୋଇ ସେମାନେ ସାଙ୍ଗରେ ଆଣିଥିବା କୀଟନାଶକ ପିଇଦେଇଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭଳି ଏକ ସୁରକ୍ଷିତ ତଥା ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଏଭଳି ସାମୂହିକ ଆତ୍ମହତ୍ୟା ଉଦ୍ୟମ ପ୍ରଶାସନିକ ବ୍ୟବସ୍ଥାର ସ୍ଥାଣୁତା ଓ ସାଧାରଣ ଲୋକଙ୍କ ପ୍ରତି ଥିବା ଉଦାସୀନତାକୁ ପଦାରେ ପକାଇଛି ।
ଘଟଣା ଘଟିବା କ୍ଷଣି ସେଠାରେ ଉପସ୍ଥିତ ଥିବା କର୍ମଚାରୀ ଓ ସୁରକ୍ଷାକର୍ମୀମାନେ ତୁରନ୍ତ ସମସ୍ତ ୫ ଜଣଙ୍କୁ ଉଦ୍ଧାର କରି ସଙ୍କଟାପନ୍ନ ଅବସ୍ଥାରେ ନିକଟସ୍ଥ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ବର୍ତ୍ତମାନ ସେମାନଙ୍କର ଚିକିତ୍ସା ଜାରି ରହିଛି ଏବଂ ସ୍ୱାସ୍ଥ୍ୟାବସ୍ଥା ଉପରେ ଡାକ୍ତରୀ ଦଳ ତୀକ୍ଷ୍ଣ ନଜର ରଖିଛନ୍ତି। ଏହି ଘଟଣା ସାଧାରଣ ଜନତାଙ୍କ ମନରେ ପ୍ରଶାସନ ବିରୋଧରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି ।

