Nepal Landslide: ରାଗିଛି ପ୍ରକୃତି ମା’…ନେପାଳକୁ କନ୍ଦାଉଛି ରକ୍ତର ଲୁହ… ପୁଣି ଭୟଙ୍କର ଲ୍ୟାଣ୍ଡସ୍ଲାଇଡ୍, ଅଟକିଲା ନଦୀର ଧାରା; ହାଇ ଆଲର୍ଟ ଜାରି
କାଠମାଣ୍ଡୁ: ରୋଷ କରିଛି ପ୍ରକୃତି ମା’। ପଡୋଶୀ ନେପାଳ ଉପରେ ଦାଉ ସାଧୁଛି। ନେପାଳ ଉପରୁ ଯେମିତି ବିପଦର କଳାବାଦଲ ହଟୁନାହିଁ। ବିନାଶକାରୀ ବନ୍ୟାର ଦୁଃଖ ଭୁଲିବା ପୂର୍ବରୁ ପୁଣି ଆସିଛି ଭୟଙ୍କର ଲ୍ୟାଣ୍ଡସ୍ଲାଇଡ୍। ଦାର୍ଚୁଲା ଜିଲ୍ଲାରେ ବଡ଼ ଧରଣର ଭୂସ୍ଖଳନ ହେବା ପରେ ଚୌଲାନୀ ନଦୀର ଜଳପ୍ରବାହ ଆଂଶିକ ଭାବେ ବାଧାପ୍ରାପ୍ତ ହୋଇଛି। ଫଳରେ ନିମ୍ନାଞ୍ଚଳରେ ହଠାତ୍ ବନ୍ୟା ଆସିବାର ଭୟ ବଢ଼ିଛି। ପ୍ରଶାସନ ପକ୍ଷରୁ ନଦୀକୂଳରେ ରହୁଥିବା ଲୋକଙ୍କୁ ହାଇଆଲର୍ଟରେ ରହିବାକୁ କୁହାଯାଇଛି।
ଶୁକ୍ରବାର ଏପି ହିମାଲ ରୁରାଲ ମ୍ୟୁନିସିପାଲିଟିର ଭଟ୍ଟାର ଅଞ୍ଚଳରେ ଭୟଙ୍କର ଭୂସ୍ଖଳନ ହୋଇଥିଲା। ପାହାଡ଼ରୁ ବିପୁଳ ପରିମାଣର ମାଟି ଓ ପଥର ଖସି ନଦୀ ମଧ୍ୟକୁ ପଡ଼ିବାରୁ ଜଳଧାରା ଆଂଶିକ ଭାବେ ଅଟକିଯାଇଛି। ପ୍ରଶାସନର ଆଶଙ୍କା କରିଛି ଯଦି ଆହୁରି ଭୂସ୍ଖଳନ ହୁଏ ଏବଂ ନଦୀ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଏ, ତେବେ ପାଣିର ଚାପରେ ହଠାତ୍ ବନ୍ଧ ଭାଙ୍ଗି ତଳିଆ ଅଞ୍ଚଳରେ ବଡ଼ ଧରଣର ଫ୍ଲାଶ୍ ଫ୍ଲଡ୍ ଆସିପାରେ।
ପରିସ୍ଥିତିକୁ ଦେଖି ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଲୋକଙ୍କୁ ନଦୀକୂଳରୁ ଦୂରେ ରହିବା ସହ ଯେକୌଣସି ଜରୁରୀ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ସତର୍କ କରାଯାଇଛି। ସୁଦୂରପଶ୍ଚିମ ପ୍ରଦେଶର ମୁଖ୍ୟମନ୍ତ୍ରୀ ଖଗରାଜ ଭଟ୍ଟ ମଧ୍ୟ ସ୍ଥାନୀୟ ପ୍ରଶାସନ ଓ ସୁରକ୍ଷା ଏଜେନ୍ସିଗୁଡ଼ିକୁ ହାଇ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ନେପାଳ ଏବେ ବି ୨୬ ଅଗଷ୍ଟର ବିନାଶକାରୀ ବନ୍ୟାରୁ ସମ୍ପୂର୍ଣ୍ଣ ଭାବେ ମୁକୁଳି ପାରିନାହିଁ। ନେପାଳ ପୋଲିସର ତଥ୍ୟ ଅନୁସାରେ ବନ୍ୟା ଓ ଫ୍ଲାଶ୍ ଫ୍ଲଡ୍ରେ ମୃତ୍ୟୁସଂଖ୍ୟା ୧,୩୪୪ରେ ପହଞ୍ଚିଛି। ଏବେ ବି ହଜାର ହଜାର ଲୋକ ନିଖୋଜ ଥିବା ରିପୋର୍ଟ ଆସିଛି। ଅନେକ ପରିବାର ଘରଦ୍ୱାର ହରାଇ ଅସହାୟ ହୋଇପଡ଼ିଛନ୍ତି।
ତେବେ କହିରଖୁଛୁ, ଚୌଲାନୀ ନଦୀକୁ ଚମେଲିଆ ନଦୀ ମଧ୍ୟ କୁହାଯାଏ। ଏହା ଏପି ହିମାଲ ଅଞ୍ଚଳରୁ ବାହାରି ପରେ ମହାକାଳୀ ନଦୀରେ ମିଶିଥାଏ, ଯାହା ନେପାଳ-ଭାରତ ସୀମାର ଏକ ଅଂଶ।
ଗୋଟିଏ ପରେ ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟ ନେପାଳର ଲୋକଙ୍କୁ ଯେମିତି ରକ୍ତର ଲୁହରେ କନ୍ଦାଇ ଚାଲିଛି। ବନ୍ୟାର ଯନ୍ତ୍ରଣା ଏବେ ବି ଲିଭିନଥିବା ବେଳେ ନୂଆ ଲ୍ୟାଣ୍ଡସ୍ଲାଇଡ୍ର ଆତଙ୍କ ଲୋକଙ୍କ ଚିନ୍ତାକୁ ଆହୁରି ବଢ଼ାଇଦେଇଛି।

