Latest Odisha News

ମୌସୁମୀ ଆରମ୍ଭରୁ ପ୍ରଳୟ : ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା କାରଣରୁ ଭୂସ୍ଖଳନ

ହିମାଚଳ ପ୍ରଦେଶ : ମୌସୁମୀ ଆରମ୍ଭରୁ ଦେଶରେ ଦେଖାଦେଲାଣି ପ୍ରଳୟର ଚିତ୍ର । ଉତ୍ତର ଭାରତରେ ଜାରି ରହିଛି ବର୍ଷା ବିତ୍ପାତ । ହିମାଚଳ ଏବଂ ଉତ୍ତରାଖଣ୍ଡର ପାହାଡ଼ିଆ ଅଞ୍ଚଳ ଏମିତିକି ମେଟ୍ରୋ ସିଟି ଦିଲ୍ଲୀରେ ମଧ୍ୟ ଦେଖାଦେଇଛି ବର୍ଷା ବିତ୍ପାତ । କେଉଁଠି ଭୂସ୍ଖଳନ ଯୋଗୁଁ ଯାତାୟାତ ଠପ୍ ହେଲାଣି ତ ପୁଣି କେଉଁଠି ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ। ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା କାରଣରୁ ଭୂସ୍ଖଳନ ଓ ବନ୍ୟା ସ୍ଥିତି ଉପୁଜିଛି । ଲ୍ୟାଣ୍ଡସ୍ଲାଇଡ୍ ଯୋଗୁ ଅଧିକାଂଶ ହାଇଓ୍ବେ ବନ୍ଦ ହୋଇଥିବା ବେଳେ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଛି । ହିମାଚଳ ପ୍ରଦେଶର ମଣ୍ଡି ଏବଂ ଜାମ୍ମୁ-କାଶ୍ମୀରର ରାମ୍ବାନ ଜାତୀୟ ରାଜପଥରେ ମାଇଲ ମାଇଲ ଧରି ଟ୍ରାଫିକ ଜାମ ଦେଖିବାକୁ ମିଳିଛି ।

ଫ୍ଲାସଫ୍ଲଡ୍ ଯୋଗୁ ଅନେକ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ଲ୍ୟାଣ୍ଡସ୍ଲାଇଡ ଯୋଗୁ ରାସ୍ତା ଧସିବା ସହ ପାଇପ ଲାଇନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ପାଙ୍ଗୀ-କିଲାଡ ହାଇଓ୍ବେରେ ପାହାଡ଼ ଧସିଯିବା ଯୋଗୁ ଉଭୟ ପଟେ ଗାଡ଼ିମୋଟର ଅଟକି ରହିଛି । ସେପଟେ ଉତ୍ତରାଖଣ୍ଡ ନୈନିତାଲରେ ଅତି ପ୍ରବଳ ବର୍ଷା ପରେ ଉତ୍ତରାଖଣ୍ତରେ ପ୍ରାୟ ୪୫ଟି ରାସ୍ତାରେ ଯାତାୟାତ ଠପ୍ ହୋଇଥିବା ବେଳେ ଶତାଧିକ ପର୍ଯ୍ୟଟକ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି । ଚଣ୍ଡିଗଡ଼-ମନାଲି ହାଇଓ୍ବେ ମଧ୍ୟ ଲ୍ୟାଣ୍ଡସ୍ଲାଇଡ ଯୋଗୁ ଜାମ୍ ହୋଇଛି ।

ଲଗାଣ ବର୍ଷା ପରେ ଗଙ୍ଗା ସମେତ ଅନ୍ୟ ଶାଖା ନଦୀରେ ବି ଜଳସ୍ତର ବୃଦ୍ଧି ପାଇଛି । ହିମାଚଳ ପ୍ରଦେଶରେ ବନ୍ୟା ଯୋଗୁଁ ଏବେସୁଦ୍ଧା ୬ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ୨ଟି ଏନ୍ଏଚ୍ ସମେତ ୧୨୪ଟି ରାସ୍ତା କ୍ଷତିଗ୍ରସ୍ତ ହୋଇଛି । ଆଜି ହିମାଚଳରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେପଟେ ବର୍ଷା, ବନ୍ୟା, ଲ୍ୟାଣ୍ଡସ୍ଲାଇଡ ଯୋଗୁ ପର୍ଯ୍ୟଟକମାନଙ୍କ ପାଇଁ ସ୍ବତନ୍ତ୍ର ଆଡଭାଇଜରୀ ଜାରି କରାଯାଇଛି ।

Leave A Reply

Your email address will not be published.