Latest Odisha News

BREAKING NEWS

୨୦୨୪ ପୂର୍ବରୁ ମୋଦି ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍, କେଉଁ କ୍ଷେତ୍ରକୁ ମିଳିବ ଲାଭ ?

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ପୂର୍ବରୁ ଆସନ୍ତାକାଲି କେନ୍ଦ୍ରର ମୋଦି ସରକାର ସଂସଦରେ ଅନ୍ତିମ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ । ଯାହା ଉପରେ ଦେଶବାସୀଙ୍କ ନଜର ରହିଛି । ନିର୍ବାଚନ ବର୍ଷର ବଜେଟରୁ ଗରିବ ଓ ମଧ୍ୟବିତ୍ତ ଅନେକ ଆଶା ରଖିଛନ୍ତି । ଆଶା କରାଯାଉଛି ବଜେଟରେ ସାମାଜିକ ସୁରକ୍ଷା ସହ ଉତ୍ପାଦନକୁ ପ୍ରୋତ୍ସାହନ ଦିଆଯାଇପାରେ ।

ଅର୍ଥନୀତିଜ୍ଞଙ୍କ ଅନୁସାରେ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ମଧ୍ୟବିତ୍ତ ଓ ଗ୍ରାମୀଣ ଲୋକଙ୍କୁ ଆଶ୍ୱସ୍ତି ଦେବା ଲାଗି ଗ୍ରାମାଞ୍ଚଳରେ କର୍ମ ସୁଯୋଗ ଉପରେ ଗୁରୁତ୍ୱ ଦେଇ ପାରନ୍ତି । ଏହାଛଡ଼ା ବଜେଟରେ କରଦାତାଙ୍କୁ ଆଶ୍ୱସ୍ତି ଦେଇ ପାରନ୍ତି ଅର୍ଥମନ୍ତ୍ରୀ ।

ଘରୋଇ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଲାଗି ସରକାର ଘରୋଇ ବିମାନ, ହେଲିକପ୍ଟର, ବହୁମୂଲ୍ୟର ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ, ଜୁଏଲାରୀ ସାମଗ୍ରୀର ଆମଦାନୀ ଶୁଳ୍କ ବଢ଼ିପାରେ । ଦେଶରେ ବେରୋଜଗାର ହାର ବିଗତ ୧୬ ମାସ ମଧ୍ୟରେ ୮.୩ ପ୍ରତିଶତରେ ପହଞ୍ଚିଛି । ଯାହାକୁ ଦେଖି ସରକାର ଗ୍ରାମୀଣ ନିଯୁକ୍ତି ଉପରେ ଗୁରୁତ୍ୱ ଦେଇ ପାରନ୍ତି ।

ଚୀନର ବିକଳ୍ପ ରୂପେ ବିଶ୍ୱ ବଜାରରେ ଭାରତ ବିଭିନ୍ନ କମ୍ପାନୀଙ୍କୁ ଦେଶରେ କାରଖାନା ସ୍ଥାପନ ପାଇଁ ସୁଯୋଗ ଦେଉଛନ୍ତି । ଯେଉଁଥିରୁ ଲାଭ ଆଶା କରାଯାଉଛି । ବଜେଟରେ ସିପିଂ କଣ୍ଟେନର, ଖେଳଣା ଭଳି କ୍ଷେତ୍ରକୁ ପ୍ରୋତ୍ସାହନ ମିଳିପାରେ । ଏହା ଛଡ଼ା ଦୀର୍ଘଦିନରୁ ଏଲଏସିରେ ଲାଗି ରହିଥିବା ଉତ୍ତେଜନାକୁ ଦେଖି ସରକାର ପ୍ରତିରକ୍ଷା ବଜେଟ୍ ବଢ଼ାଇ ପାରନ୍ତି ।

ଆଜିଠୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ବଜେଟ୍ ଅଧିବେଶନ ଆରମ୍ଭ ସହ ଚାରିଆଡ଼େ ସକରାତ୍ମକ ବାତାବରଣ ରହିଛି । ଭାରତର ବଜେଟ୍ ଉପରେ ସାରା ବିଶ୍ୱର ନଜର ରହିଛି । ଆଶା ଅଛି ନିର୍ମଳାଙ୍କ ବଜେଟ୍ ସବୁ ବର୍ଗଙ୍କ ପାଇଁ ଲାଭ ଦାୟକ ହେବ । ସଂସଦରେ ସବୁ ପ୍ରସଙ୍ଗରେ ଚର୍ଚ୍ଚା, ଆଲୋଚନା ଲାଗି ପ୍ରଧାନମନ୍ତ୍ରୀ ପ୍ରସ୍ତୁତ ଥିବା କହିଛନ୍ତି ।

Leave A Reply

Your email address will not be published.