Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଆଡପ ମଣ୍ଡପରେ ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ଶେଷ: ସଂଧ୍ୟା ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ଆଡପ ମଣ୍ଡପରେ ଶେଷ ହେଲା ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା । ରାତି ପାହିଲେ ଜନ୍ମବେଦୀ ଛାଡି ମହାପ୍ରଭୁ ବାହୁଡିବେ ରତ୍ନବେଦୀକୁ। ଅନ୍ୟପଟେ ଆଜି ସଂଧ୍ୟାଦର୍ଶନରେ ପ୍ରବଳ ଭକ୍ତଙ୍କ ଭିଡ଼ ହୋଇଛି । ଆଜି ଶେଷ ଆଡପ ଅଭଡ଼ା ଓ ଶେଷ ଦର୍ଶନ ହୋଇଥିବାରୁ ଭକ୍ତମାନେ ଏହି ସୁଯୋଗକୁ ହାତଛଡା କରିନାହାନ୍ତି । ସେପଟେ ଵାହୁଡାଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା ପାଇଁ ୧୫୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।

ରଥ ପ୍ରସ୍ତୁତ । ପଥ ମଧ୍ୟ ପ୍ରସ୍ତୁତ । ମହାପ୍ରଭୁଙ୍କ ଆଗମନକୁ ତିନି ରଥ ଅପେକ୍ଷାରେ । ନବଦିନାତ୍ମକ ଯାତ୍ରା ଶେଷ କରି ଭାଇ ଭଉଣୀଙ୍କ ସହ ଶ୍ରୀମନ୍ଦିର ଅଭିମୁଖେ ବାହାରିବେ ଚତୁର୍ଦ୍ଧାମୂରତି ।  ମହାପ୍ରଭୁଙ୍କ ବଡସିଂହାର ନୀତି ବଢିବା ପରେ ଦଇତାପତି ସେବାୟତଙ୍କ ଦ୍ୱାରା ବାହୁଟକଣ୍ଟ, କୁସୁମିଲାଗି ଓ ସେନାପଟା ଲାଗି ନୀତି କରାଯିବ ।

ଏହାପୂର୍ବରୁ କୋଠସୁଆଁସିଆ ସେବାୟତ ମାନଙ୍କ ଦ୍ଵାରା ରତ୍ନସିଂହାସନରେ ଚାରମାଳ ବନ୍ଧା ହେବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ୨.୩୦ ରୁ ୩.୩୦ ମଧ୍ୟରେ ଗଜପତି ମହାରାଜାଙ୍କ ଦ୍ବାରା ତିନିରଥରେ ଛେରାପହଁରା ସରିବା ପରେ ଅପରାହ୍ନ ୪ଟାରୁ ଶ୍ରୀମନ୍ଦିର ସିଂହଦ୍ଵାର ଅଭିମୁଖେ ରଥ ଗଡିବା ଆରମ୍ଭ ହେବ ।

ସେପଟେ ଆସନ୍ତାକାଲି ବାହୁଡାଯାତ୍ରାରେ ଲକ୍ଷାଧିକ ସଂଖ୍ୟାରେ ଭକ୍ତଙ୍କ ଭିଡ ଜମିବ। ରଥଯାତ୍ରା ଭଳି ବାହୁଡାଯାତ୍ରାକୁ ମଧ୍ୟ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ପ୍ରଶାସନ ଲକ୍ଷ ରଖିଥିବା ବେଳେ ରଥାରୂଢ ବିଗ୍ରହଙ୍କ ଦର୍ଶନ ଓ ରଥଟଣା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଅନ୍ୟପଟେ ବାହୁଡାଯାତ୍ରା ପରଦିନ ମହାପ୍ରଭୁଙ୍କ ରଥ ଉପରେ ସୁନାବେଶ,ଅଧରପଣା ଓ ନୀଳାଦ୍ରିବିଜେ ନୀତି ସୁରୁଖୁରୁରେ କିଭଳି ସମ୍ପାଦାନ ହେବ ଓ ସୁନାବେଶ ଦିନ ଭକ୍ତମାନେ କିଭଳି ଅବାଧରେ ରଥ ଉପରେ ଅନୁଷ୍ଠିତ ମହାପ୍ରଭୁଙ୍କ ଦୁର୍ଲଭ ସୁବର୍ଣ୍ଣ ବେଶ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶନ କରିବେ ସେନେଇ ଦଇତାପତି ସେବାୟତଙ୍କ ସହ ପ୍ରଶାସନ ଆଲୋଚନା କରିଛି।

ଆସନ୍ତାକାଲି ମହାପ୍ରଭୁ ବାହୁଡିବା ବାଟରେ ତାଙ୍କ ପ୍ରିୟ ମାଉସୀ ମାଙ୍କ ହାତରୁ ପୋଡପିଠା ଖାଇ ଶ୍ରୀମନ୍ଦିର ଅଭିମୁଖେ ଯିବାକୁ ଥିବାବେଳେ ଶ୍ରୀନହର ସମ୍ମୁଖରେ ଲକ୍ଷ୍ମୀନାରାୟଣ ଭେଟ ହେବାର ପରମ୍ପରା ରହିଛି।

Leave A Reply

Your email address will not be published.