Latest Odisha News

ପଞ୍ଚଭୂତରେ ଲୀନ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନ

ପୁରୀ: ପଞ୍ଚଭୂତରେ ଲୀନ ହୋଇଗଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସୋମବାର ପୁରୀ ସ୍ବର୍ଗଦ୍ବାର ଶ୍ମଶାନରେ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବଡ଼ ପୁଅ ସୌମେନ୍ଦ୍ର ପ୍ରଧାନ ମୁଖାଗ୍ନି ଦେଇଛନ୍ତି। ପୁରୀ ସ୍ବର୍ଗଦ୍ବାର ଶ୍ମଶାନର ଶେଷକୃତ୍ୟ ସମ୍ପନ୍ନ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ପରିବାରର ଅନ୍ୟ ସଦସ୍ୟ, ସମ୍ପର୍କୀୟ, ବହୁ ଶୁଭେଚ୍ଛୁ ଉପସ୍ଥିତ ଥିଲେ।

ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ପାଇଁ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ସ୍ବର୍ଗତ ଦେବେନ୍ଦ୍ର ପ୍ରଧାନଙ୍କ ପାର୍ଥିବ ଶରୀର ନିଆଯାଇଥିଲା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ଶେଷଯାତ୍ରାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ । ଭୁବନେଶ୍ବରରୁ ଏକ ସୁସଜ୍ଜିତ ଗାଡ଼ିରେ ସ୍ବର୍ଗତ ଦେବେନ୍ଦ୍ର ପ୍ରଧାନଙ୍କ ମୃତଦେହ ସ୍ୱର୍ଗଦ୍ୱାର ଶ୍ମଶାନକୁ ଅଣାଯିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାବା ରାମଦେବ, ଉପମୁଖ୍ୟ ମନ୍ତ୍ରୀ ପ୍ରଭାତି ପରିଡ଼ା, ଭାରତୀୟ ଜନତା ପାର୍ଟିର ବହୁ ତୁଙ୍ଗନେତା, ମନ୍ତ୍ରୀ, ନେତା, କାର୍ଯ୍ୟକର୍ତ୍ତା, ବରିଷ୍ଠ ନେତା, ସ୍ୱର୍ଗତ ଦେବେନ୍ଦ୍ର ପ୍ରଧାନଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ଜଣେ ଲୋକପ୍ରିୟ ଜନପ୍ରତିନିଧି, ସୁସଂଗଠକ ଏବଂ ଦକ୍ଷ ରାଜନେତା ଭାବେ ତାଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ।

ବିଭିନ୍ନ ରାଜନୈଦିକ, ସାମାଜିକ ଓ ସାଂସ୍କୃତିକପକ୍ଷରୁ ସ୍ବର୍ଗତ ଦେବେନ୍ଦ୍ର ପ୍ରଧାନଙ୍କ ଶବାଧାରରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

 

Leave A Reply

Your email address will not be published.