Latest Odisha News

BREAKING NEWS

ରାଜ୍ୟବ୍ୟାପୀ ୩୧ ଅକ୍ଟୋବରରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିବେ ଆଇନଜୀବୀ

କଟକ: ଅଗଷ୍ଟ ୨୮ ତାରିଖରେ ଆଇନଜୀବୀଙ୍କ ପ୍ରତି ହୋଇଥିବା ଆକ୍ରମଣକୁ ନେଇ ରାଜ୍ୟ ସରକାରଙ୍କ ଅଣଦେଖାର ପ୍ରତିବାଦ ସ୍ୱରୂପ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଶୁକ୍ରବାର ଦିନ ହାଇକୋର୍ଟ ବାର୍ ଆସୋସିଏସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ଆସନ୍ତା ୩୦ ତାରିଖ ସୁଦ୍ଧା ଯଦି ସରକାର ଏହି ଘଟଣାରେ କୌଣସି ଦୃଢ ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ରାଜ୍ୟର ସମସ୍ତ କୋର୍ଟରେ ଆଇନଜୀବୀମାନେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରିବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି ।

ଆସୋସିଏସନ ପକ୍ଷରୁ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଥିବା ସାଧାରଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଏହି ବୈଠକ ଶେଷରେ ଗଣମାଧ୍ୟମକୁ ସୂଚନାଦେଇ ହାଇକୋର୍ଟ ବାର୍ ଆସୋସିଏସନର ସମ୍ପାଦକ ସତ୍ୟବ୍ରତ ମହାନ୍ତି କହିଛନ୍ତି, ଏହି ଘଟଣା ପ୍ରାୟ ଦୁଇ ମାସ ପୂର୍ବରୁ ଘଟିଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତଙ୍କ ପ୍ରତି ରାଜ୍ୟ ସରକାର କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି ।

“ଆସନ୍ତା ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ଆସୋସିଏସନ ଆନ୍ଦୋଳନ ଜାରି ରଖିବେ, ଏବଂ ସେହିଦିନ ହିଁ ଆନ୍ଦୋଳନର ଭବିଷ୍ୟତ କାର୍ଯ୍ୟପନ୍ଥାର ନିଷ୍ପତ୍ତି ଗ୍ରହଣ କରାଯିବ । ଏହାଛଡ଼ା, ଆସନ୍ତା ୩୧ ତାରିଖ ଦିନ ରାଜ୍ୟବ୍ୟାପୀ ସମସ୍ତ କୋର୍ଟରେ ଆଇନଜୀବୀମାନେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିବେ ବୋଲି ଆସୋସିଏସନରେ ନିଷ୍ପତ୍ତି ହୋଇଛି,”ବୋଲି ଶ୍ରୀଯୁକ୍ତ ମହାନ୍ତି କହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଏହିକି, ଗତ ସେପ୍ଟେମ୍ବର ୨୭ ତାରିଖରେ ଆନ୍ଦୋଳନରତ ଆଇନଜୀବୀମାନଙ୍କୁ ଆନ୍ଦୋଳନ ବନ୍ଦ କରିବାକୁ ସୁପ୍ରିମକୋର୍ଟ କହିଥିଲେ, ଏବଂ ହାଇକୋର୍ଟ ବାର୍ ଆସୋସିଏସନ ଏବଂ ଏହି ଆନ୍ଦୋଳନରେ ସାମିଲ ଥିବା ଅନ୍ୟ ଆସୋସିଏସନ ଗୁଡ଼ିକୁ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ପ୍ରସଙ୍ଗକୁ ଭିତ୍ତିକରି ଏକ ପିଆଇଏଲର ଶୁଣାଣୀରେ କୋର୍ଟ ଡ଼ିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ଏହି ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ଆଇଜିଙ୍କୁ ନ୍ୟସ୍ତ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ।

Leave A Reply

Your email address will not be published.