Latest Odisha News

BREAKING NEWS

ତେଲେଙ୍ଗାନା ଛାତ୍ରୀଙ୍କ ମୃତ୍ୟୁ ମାମଲା: ହତ୍ୟା କରି ଆତ୍ମହତ୍ୟା ରୂପ ଦେବାକୁ ଅଧ୍ୟାପକ ରଚିଥିଲେ ଷଡ଼ଯନ୍ତ୍ର

ହାଇଦ୍ରାବାଦ: ଜଣେ ୨୦ ବର୍ଷୀୟା ଇଞ୍ଜିନିୟରିଂ ଛାତ୍ରୀ ଥାନ୍ଦ୍ରା ଅକ୍ଷିତାରାଣୀ କୀଟନାଶକ ଔଷଧ ପିଇବା ପରେ ଯେଉଁ ଘଟଣାକୁ ପ୍ରଥମେ ଆତ୍ମହତ୍ୟା ବୋଲି କୁହାଯାଇଥିଲା, ତାହା ବର୍ତ୍ତମାନ ଏକ ସନ୍ଦେହଜନକ ହତ୍ୟା ମାମଲାର ତଦନ୍ତରେ ପରିଣତ ହୋଇଛି। ପୋଲିସ ଅଭିଯୋଗ କରିଛି ଯେ ତାଙ୍କୁ ଜବରଦସ୍ତି ବିଷ ପିଆଇ ହତ୍ୟା କରାଯାଇଥିଲା। ଏହାସହ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଦାୟୀ କରି ଏକ ଚିଠି ଲେଖିବାକୁ ବାଧ୍ୟ କରାଯାଇଥିଲା। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି।

ମୃତ ଛାତ୍ରୀ ଜଣଙ୍କ ଡିପ୍ଲୋମା ପଢ଼ିବା ସମୟରେ ନାସପୁରସ୍ଥିତ ସିଙ୍ଗାରେଣୀ କଲିରିଜ ପଲିଟେକ୍‌ନିକର ଜଣେ ଆଉଟସୋର୍ସିଂ ଅଧ୍ୟାପକ ନବୀନ କୁମାରଙ୍କ ସମ୍ପର୍କରେ ଆସିଥିଲେ। ପରେ ଅକ୍ଷିତାରାଣୀ ହାଇଦ୍ରାବାଦରେ ମାଇନିଂ ଇଞ୍ଜିନିୟରିଂ ପଢ଼ିବା ସମୟରେ ସିଙ୍ଗାରେଣୀ ଖଣିରେ ପ୍ରଶିକ୍ଷଣ ବେଳେ ରବି କୁମାର ନାମକ ଜଣେ ଖଣି ପର୍ଯ୍ୟବେକ୍ଷକଙ୍କ ସହ ସମ୍ପର୍କ ରଖିଥିଲେ। ଏହାକୁ ନବୀନ ସହ୍ୟ କରିପାରି ନଥିଲେ।

ସୂଚନା ଅନୁଯାୟୀ ଗତ ୧୨ ତାରଖରେ ନବୀନ କୁମାର ଛାତ୍ରୀଙ୍କୁ ରାସ୍ତାରୁ ଅପହରଣ କରି ନିଜ କାର୍‌ ଭିତରେ ଜବରଦସ୍ତ କୀଟନାଶକ ଔଷଧ ପିଆଇବା ସହିତ ରବି କୁମାରଙ୍କ ନାଁରେ ଯୌନ ଶୋଷଣର ଏକ ଜାଲ୍‌ ସୁଇସାଇଡ୍‌ ନୋଟ୍‌ ଲେଖାଇଥିଲେ। ଅକ୍ଷିତାରାଣୀଙ୍କୁ ଠିକ୍‌ ସମୟରେ ଚିକିତ୍ସା ନକରାଇ ମୃତ୍ୟୁ ମୁଖକୁ ଠେଲିବା ପରେ ନବୀନ ତାଙ୍କରି ଫୋନ୍‌ରୁ ପରିବାରକୁ ଫୋନ୍‌ କରି ଏହାକୁ ଏକ ଆତ୍ମହତ୍ୟା ବୋଲି ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କରିଥିଲେ। ପରଦିନ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଫୁଟେଜ, କଲ୍‌ ଲଗ୍‌ ଆଦି ଯାଞ୍ଚ କରିବା ପରେ ସତ୍ୟ ସାମ୍ନାକୁ ଆସିଛି। ପୋଲିସ ମୁଖ୍ୟ ଅଭିଯୁକ୍ତ ନବୀନ କୁମାର (୩୮)ଙ୍କ ସହ ରବି କୁମାର(୩୫)ଙ୍କୁ ମଧ୍ୟ ଗିରଫ କରିଛି। ପୋଲିସ ଘଟଣାରେ ବ୍ୟବହୃତ କାର୍‌ ଓ ମୋବାଇଲ ଜବତ କରିବା ସହିତ ସମ୍ପୂର୍ଣ୍ଣ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Comments are closed.