Latest Odisha News

BREAKING NEWS

ପୋଲିସ ଉପସ୍ଥିତିରେ ବିଜେଡିର ଗୁଣ୍ଡାରାଜ୍  ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ନଗ୍ନ ଉଦାହରଣ-ବିଜେପି

ଭୁବନେଶ୍ୱର: ବିଜୁ ଜନତା ଦଳ ଦ୍ୱାରା ପାଳିତ ଗୁଣ୍ଡାମାନେ ରାଜନୈତିକ କ୍ଷମତା ଉପଭୋଗ କରୁଛନ୍ତି ।  ଶାସନ ଓ ପ୍ରଶାସନ, ଆଇନକୁ ଫୁ କରି  ଜୋର ଜବରଦସ୍ତି ରାଜନୈତିକ ବିରୋଧୀଙ୍କୁ ଦମନ କରିବାକୁ ଅପଚେଷ୍ଟା କରୁଛନ୍ତି । ପୋଲିସ ଉପସ୍ଥିତିରେ ବିଜେଡିର ଗୁଣ୍ଡାରାଜ୍  ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ନଗ୍ନ ଉଦାହରଣ । ଏମିତି କହି ବିଜେଡି ସରକାର ଉପରେ ବର୍ଷିଛି ବିଜେପି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି,  ଚଳିତ ମାସ ୧୦ ଡିସେମ୍ବର ଦିନ କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକର କିଶନନଗର ଥାନା ଅନ୍ତର୍ଗତ ମାଣପୁର ପଂଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଗାଡି ଯାଉଥିବାବେଳେ ଏହି ଗାଡିରେ ମୋଦିଜୀଙ୍କ ଯୋଜନା ଦେଖାଇବା ପରିବର୍ତ୍ତେ ବିଜୁ ଜନତା ଦଳର କିଛି ମହିଳା, ଛୋଟ ପିଲା ଗାଡିରେ ଚଢ଼ି “ନବୀନ ବାବୁ ଆମେ ତୁମ ଫ୍ୟାନ” ଗୀତରେ ଉଦଣ୍ଡ ନାଚ କରି ସେଠାକାର ପବିତ୍ର ବାତାବରଣ କ୍ଷୁର୍ଣ୍ଣ କରିବା ସହ ପ୍ରଧାନମନ୍ତ୍ରୀଙ୍କୁ ଅପମାନିତ କରିଛନ୍ତି । ଏହି ଘଟଣାକୁ ନେଇ ୧୨ ଡିସେମ୍ବର ଦିନ ବିଜେପି କାର୍ଯ୍ୟକର୍ତାଙ୍କ ନେତୃତ୍ୱରେ କିଶନନଗର ଥାନା ଅନ୍ତର୍ଗତ ମାଣପୁର ପଂଚାୟତ ସମ୍ମୁଖରେ ବିକ୍ଷୋଭ କରାଯିବ ବୋଲି ପୋଲିସକୁ ଆଗୁଆ ସୂଚନା ଦିଆଗଲା ।

ହେଲେ ବିକ୍ଷୋଭ ପୂର୍ବରୁ ୫ପ୍ଲାଟୁନ ପୋଲିସ ଫୋସ ଉପସ୍ଥିତ ଥିଲେ ଏବଂ ଜଣେ ପୋଲିସ ଅଧିକାରୀ ବିଜେପି କାର୍ଯ୍ୟକର୍ତାମାନଙ୍କ ସହ ଉପସ୍ଥିତ ଥିଲେ । ହେଲେ ମାଣପୁର ପଂଚାୟତ ପଂହଚିଲାପରେ ସେଠାରେ   ବିଜୁ ଜନତା ଦଳର ପଂଚାୟତ ସଭାପତି ମହମ୍ମଦ ରୁସ୍ତମ ଏବଂ ଅନେକ ମହିଳା ଓ ଯୁବକ ବିଭିନ୍ନ ପ୍ରକାର ମରଣାସ୍ତ୍ର ଯଥା- ଲାଠି, ସିମେଟ, କଢ଼େଇ, ଝାଡୁ ଓ ଚପଲ ଧରି ଉପସ୍ଥିିତ ଥିଲେ । ମହମ୍ମଦ ରୁସ୍ତମ ପଚାରିଲେ “ଆପଣମାନେ କାହିଁକି ଆସିଛନ୍ତି, ଆପଣଙ୍କ ପାଖରେ ଅନୁମତି ଅଛି କି ନାହିଁ, ଏଠି ଆନ୍ଦୋଳନ କରି ପାରିବ ନାହିଁ ବୋଲି କହିଥିଲେ ।  ଏଠି ବିଜେଡି ଶାସନ ଚାଲିଛି ପୋଲିସ କିଛି କରି ପାରିବ ନାହିଁ ଖୋଲାଖୋଲି ଧମକ ଦେଇଥିଲେ । ବିଜେଡି ମାରଣାସ୍ତ୍ରର ମାଧ୍ୟମରେ ବିଜେପିର କାର୍ଯ୍ୟକର୍ତାକୁ ମାଡ ମାରି ଆକ୍ରମଣ କଲେ । ଜାତିଆଣ ମନ୍ତବ୍ୟ ଦେଇ ଗାଡିଗୁଲଜ କରିବା ସହ ଧର୍ମକୁ ନେଇ ଅଶୋଭନୀୟ ନାରା ମଧ୍ୟ ଦେଇଥିଲେ ।

ସେତିକି ନୁହେଁ, ସେମାନେ  ବିଜେଡି ବିଧାୟକ  ଚନ୍ଦ୍ର ଶାରଥୀ ବେହେରାଙ୍କ ନାଁ ଧରି ତାଙ୍କ ନିର୍ଦ୍ଦେଶରେ ଏପରି କାମ କରୁଥିବା ଖୋଲାଖୋଲି କହିଥିଲେ ।   ପୋଲିସ ଉପସ୍ଥିତିରେ ବିଜୁ ଜନତା ଦଳର ବିଜେପି କାର୍ଯ୍ୟକର୍ତାଙ୍କ ଉପରେ ଏଭଳି ବର୍ବରକାଣ୍ଡ ଓ ଆତଙ୍କରାଜକୁ ବିଜେପି ନିନ୍ଦା କରିବା ସହ   ଆମ ଦଳ ପକ୍ଷରୁ ସେହିଦିନ କିଶନନଗର ଥାନାରେ ଏଫଆଇଆର ଦିଆଯାଇଥିଲା ।

ହେଲେ ତା ପରଦିନ ଅର୍ଥାତ  ୧୩ଡିସେମ୍ବରରେ ମାଣପୁର ପଂଚାୟତ ସରପଂଚ ରଞ୍ଜିତା ସେଠୀଙ୍କ ଦ୍ୱାରା କାଉଂଟର ଏଫଆଇଆର ଦିଆଗଲା । ଯେଉଁଥିରେ ନାନାଦି ପ୍ରକାର କପୋଳ କଳ୍ପିତ ଆରୋପ ବିଜେପି କାର୍ଯ୍ୟକର୍ତାଙ୍କ ଉପରେ ଲଗା ଯାଇଥିବା ଶ୍ରୀମତୀ ଡା. ସାମନ୍ତସିଂହାର ଅଭିଯୋଗ କରିଛନ୍ତି । ତେବେ ୧୨ତାରିଖ ମାରପିଟ ଚାଲିଥିଲାବେଳେ ସେଠାରେ ସରପଂଚ ରଞ୍ଜିତା ସେଠୀ ଉପସ୍ଥିତ ନଥିଲେ । ତେଣୁ କେଉଁ ଆଧାରରେ ରଞ୍ଜିତା ଏଫଆଇଆର ଦେଇଛନ୍ତି ନା ବିଧାୟକଙ୍କ ପ୍ରରୋଚନା ଏଫଆଇଆର ଦେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଡ ଲେଖାଶ୍ରୀ ।

ଯଦି ଅପରାଧୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନିଆଯାଏ ତାହାଲେ ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟି କଟକ ଏସ୍‌ପି ଅଫିସକୁ ଘେରାଉ କରି ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିର ପର୍ଦ୍ଦାଫାସ୍ କରିବ ବୋଲି କହିଛି । ୨୩ବର୍ଷର ସରକାର ଗ୍ରାମାଂଚଳ ଏବଂ ସହରାଂଚଳରେ “ବିଷ”ର ଯେଉଁ ମଂଚି ପୋତିଛନ୍ତି ତାହାର ପ୍ରତିଫଳନ ସ୍ୱରୂପ ଏହି ଗାଁରେ ବିଭିନ୍ନ ସଂପ୍ରଦାୟ ମଧ୍ୟରେ ଲଢ଼େଇ ଦେଖାଦେଇଛି । ଏହା ବୋଧେ ହେଉଛି ବିଜୁ ଜନତା ଦଳର କଣ ରୂପାନ୍ତରୀକରଣ ବୋଲି ଡ.ଲେଖାଶ୍ରୀ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତିଭା ଶତପଥୀ, କଟକ ନିର୍ବାଚନ ମଣ୍ଡଳୀର ଆରଟିଆଇ ସଂଯୋଜକ ଗୋକୁଳ ପ୍ରଧାନ, କଟକ ସଦର ଯୁବନେତା ପ୍ରକାଶ ଚନ୍ଦ୍ର ସେଠୀ, ରାଜ୍ୟ ମହିଳାମୋର୍ଚ୍ଚା ଗଣମାଧ୍ୟମ ସଂଯୋଜିକା ତୃପ୍ତିମୟୀ ମକଦ୍ଦମ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.