Latest Odisha News

BREAKING NEWS

ଅରୁଆ ଉଷୁନା ରାଜନୀତିରେ ପେଷି ହେଉଛନ୍ତି ଚାଷୀ

ଭୁବନେଶ୍ୱର : ଉଷୁନା ଓ ଅରୁଣା ଚାଉଳ ରାଜନୀତିରେ ଚାଷୀ ହେଉଛନ୍ତି ହନ୍ତସନ୍ତ । ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ, ମୁହାଁମମୁହିଁ ହୋଇଛନ୍ତି ଶାସକ ବିଜେଡି ଓ ବିରୋଧୀ ବିଜେପି । ଉଷୁନା ଚାଉଳ କେନ୍ଦ୍ର କିଣୁନଥିବା ବିଜେଡି ଅଭିଯୋଗ କରିବା ପରେ ଏହାର ଜବାବରେ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି ।

ଦଳର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ଅଭିଯୋଗ, ରାଜ୍ୟ ସରକାର ମିଲରମାନଙ୍କ ସ୍ବାର୍ଥ ପାଇଁ କାମ କରୁଛନ୍ତି । ସରକାର ଉଷୁନା ଚାଉଳ ପାଇଁ ମିଲରମାନଙ୍କ ସପକ୍ଷରେ ଓକିଲାତି କରୁଛନ୍ତି । ମଣ୍ଡିରେ ଧାନ କିଣା ଯାଉନଥିବାରୁ ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଧାନ ଧରି ରାଜରାସ୍ତାରେ ବସିଛନ୍ତି । ମିଲରମାନେ ଉଷୁନା ଚାଉଳ କିଣିଲେ ଅଧିକ ଲାଭବାନ ହେବେ । ତେଣୁ ଅରୁଆ ବଦଳରେ ଉଷୁନା ଚାଉଳ କିଣୁଛନ୍ତି ମିଲର । ତେଣୁ ମିଲର ଉଷୁନା କି ଅରୁଆ ଚାଉଳ କରିବେ ସେନେଇ ରାଜ୍ୟ ସରକାର ନିଷ୍ପତ୍ତି ନିଅନ୍ତୁ ବୋଲି ଲେଖାଶ୍ରୀ କହିଛନ୍ତି ।

ଲେଖାଶ୍ରୀ ଆହୁରି କହିଛନ୍ତି, କେନ୍ଦ୍ର କରିଥିବା ଚିଠିରେ ଉଲ୍ଲେଖ ରହିଛି, ୫୦% ଉଷୁନା ଚାଉଳ ଓ ଅଧିକାରୁ ଅଧିକା ଅରୁଆ ଚାଉଳ କିଣାଯାଉ । ଉଭୟ ଏଫସିଆଇ ଓ ରାଜ୍ୟ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣରେ ଉଷୁନା ଚାଉଳ ଅଛି । ଅଧିକ ଉଷୁନା ଚାଉଳ ସଂଗ୍ରହ କଲେ ଏହା ନଷ୍ଟ ହୋଇଯିବ ବୋଲି ଜଣାଇଛି ଏଫସିଆଇ । ଓଡ଼ିଶା ସମେତ ପୂର୍ବ ଭାରତର କିଛି ରାଜ୍ୟ ଅଧିକ ଉଷୁନା ଚାଉଳ ଖାଉଛନ୍ତି। ହେଲେ ଜାତୀୟ ସ୍ତରରେ ଅରୁଆ ଚାଉଳର ଅଧିକ ଚାହିଦା ରହିଛି। ତେଣୁ ରାଜ୍ୟ ସରକାର ମିଲରମାନଙ୍କୁ ଅଧିକରୁ ଅଧିକ ଅରୁଆ କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ । ଅରୁଆ ଚାଉଳ କିଣିବାକୁ କେନ୍ଦ୍ର ପ୍ରସ୍ତୁତ ଅଛି । କିନ୍ତୁ ବିଜେଡି ବିଧାୟକ ଅରୁଆ ଚାଉଳ ବିଷୟରେ ନକହି ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି ବୋଲି ଲେଖାଶ୍ରୀ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.