ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମଥର ପାଇଁ ଏପ୍ରିଲ ମାସ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯାଉଛି । ଆଜି ଓଡ଼ିଆ ପକ୍ଷ ପାଳନର ନବମ ଦିବସ ଅବସରରେ ସାରା ରାଜ୍ୟରେ “ଆସ ବହିଟିଏ କିଣିବା” ଅଭିଯାନ ଅନୁଷ୍ଠିତ ହୋଇଯାଇଛି ।
ଓଡ଼ିଆ ସାହିତ୍ୟ ଜଗତର ସାରସ୍ୱତ ସ୍ରଷ୍ଟାମାନଙ୍କ ପାଇଁ ସମର୍ପିତ ଥିଲା ଆଜିର ଏହି “ଆସ ବହିଟିଏ କିଣିବା” ଅଭିଯାନ । ସାହିତ୍ୟ ଜଗତର ସାଧାକମାନଙ୍କ ଦ୍ୱାରା ଲିଖିତ ପୁସ୍ତକକୁ କିଣିବା, ପଢ଼ିବା ଓ ଅନ୍ୟମାନଙ୍କୁ ଉପହାର ଦେବା ଲକ୍ଷ୍ୟରେ ସାରା ରାଜ୍ୟରେ ଆଜି “ଆସ ବହିଟିଏ କିଣିବା” ଅଭିଯାନକୁ ପାଳନ କରାଯାଇଥିଲା ।
ଏହି ପରିପ୍ରେକ୍ଷୀରେ ଆଜି ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅସ୍ଥାୟୀ ପୁସ୍ତକ ବିକ୍ରୟ କେନ୍ଦ୍ର ତଥା ପୁସ୍ତକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ଅଧିକାରୀ ଏବଂ କର୍ମଚାରୀମାନେ ପୁସ୍ତକ ବିକ୍ରୟ କେନ୍ଦ୍ର ପରିଦର୍ଶନ କରିବା ସହିତ ବହି ମଧ୍ୟ କିଣିଥିଲେ । ଏଥିସହିତ ମହାବିଦ୍ୟାଳୟ ମାନଙ୍କରେ ଓଡ଼ିଆ ସାହିତ୍ୟ ଏବଂ ପୁସ୍ତକ ପଠନ ସମ୍ବନ୍ଧୀୟ ଆଲୋଚନା ଚକ୍ରର ଆୟୋଜନ କରାଯିବା ସହିତ ବହି କିଣିବା ଓ ପୁସ୍ତକ ପଠନକୁ ନିୟମିତ ଭାବରେ ନିଜର ଦିନଚର୍ଯ୍ୟାରେ ସଂଶ୍ଳିଷ୍ଟ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା ।
ଆଜି ରାଜ୍ୟରେ ବିଭିନ୍ନ ସ୍ଥାନରେ ରହିଥିବା ବହି ଦୋକାନମାନଙ୍କରେ ମଧ୍ୟ “ଆସ ବହିଟିଏ କିଣିବା” ଅଭିଯାନକୁ ପାଳନ କରାଯାଇଥିଲା । ଆଜିର ଦିନରେ ବହି ଦୋକାନଗୁଡ଼ିକରେ ପାଠକ ଏବଂ ବିଦ୍ୟାର୍ଥୀମାନଙ୍କର ବେଶ ଭିଡ଼ ପରିଲକ୍ଷିତ ହୋଇଥିଲା । ସମସ୍ତେ ଆନନ୍ଦର ସହିତ ନିଜ ପାଇଁ ବହି କିଣିବା ସହିତ ନିଜ ବନ୍ଧୁ ପରିଜନମାନଙ୍କୁ ମଧ୍ୟ ବହିଟିଏ ଉପହାର ଭାବେ ପ୍ରଦାନ କରିଥିଲେ । ଏଥିସହିତ ବହି କିଣିବା ଓ ପଢ଼ିବାର ସେଲ୍ଫି ଉଠାଇ ଏହାକୁ ଅତି ଉତ୍ସାହର ସହିତ ଓଡ଼ିଆ ପକ୍ଷ ପାଇଁ ନିର୍ମିତ ୱେବସାଇଟ (www.odiapakhya.com)ରେ ମଧ୍ୟ ଅପଲୋଡ଼ କରିଥିଲେ ।
ଓଡ଼ିଆ ସାହିତ୍ୟ ଓ ପୁସ୍ତକ ପଠନ ସମ୍ବନ୍ଧରେ ଯୁବପିଢ଼ିଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ସହିତ ସାହିତ୍ୟ ସର୍ଜନାକୁ ପ୍ରୋତ୍ସାହନ ଦେବା ଦିଗରେ ସାରା ରାଜ୍ୟରେ ଆଜିର ଏହି “ଆସ ବହିଟିଏ କିଣିବା” ଅଭିଯାନକୁ ସଫଳତାର ସହ ପାଳନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଆଜିର ଏହି “ଆସ ବହିଟିଏ କିଣିବା” ଅଭିଯାନରେ ସମସ୍ତ ଓଡ଼ିଶାବାସୀଙ୍କୁ ସାମିଲ ହେବା ପାଇଁ ଅପିଲ୍ କରିବା ସହିତ ଓଡ଼ିଆ ସାହିତ୍ୟ ଜଗତକୁ ପରିପୁଷ୍ଟ କରିବା ନିମନ୍ତେ ସମସ୍ତଙ୍କୁ ପ୍ରେରିତ କରିଥିଲେ ।
Comments are closed.