Latest Odisha News

BREAKING NEWS

ବର୍ଣ୍ଣ ଓ ଶବ୍ଦ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ

ଆମ ବର୍ଣ୍ଣମାଳାରେ ସ୍ଥାନ ପାଇ ଥିବା ପୂର୍ଣ୍ଣାକ୍ଷର ବିଶିଷ୍ଟ ବ୍ୟଞ୍ଜନ ବର୍ଣ୍ଣଗୁଡିକ ଦୁଇ ଭାଗରେ ବିଭକ୍ତ । ଯଥା: ବର୍ଗ୍ୟବର୍ଣ୍ଣ ଓ ଅବର୍ଗ୍ୟ ବର୍ଣ୍ଣ । ବର୍ଗ୍ୟବର୍ଣ୍ଣଗୁଡିକ ଉଚ୍ଚାରଣ ସ୍ଥାନ ଅନୁସାରେ ପାଞ୍ଚ ପ୍ରକାରର । ଏହାକୁ ଆମେ ସଂକ୍ଷେପରେ କ, ଚ, ଟ, ତ, ପ କହିଥାଉ । ଯାହାକି (୧) କଣ୍ଠ୍ୟ, (୨) ତାଲବ୍ୟ, (୩) ମୂର୍ଦ୍ଧଣ୍ୟ, (୪) ଦନ୍ତ୍ୟ ଓ (୫) ଓଷ୍ଠ୍ୟ । ଏ ସଂଖ୍ୟା ମିଶାଇଲେ ବ୍ୟଞ୍ଜନ ବର୍ଣ୍ଣ ସଂଖ୍ୟା ୨୫ । ଏହା ମଧ୍ୟ ଅଘୋଷ, ସଘୋଷ, ଅଳ୍ପ ପ୍ରାଣ, ମହାପ୍ରାଣରେ ବିଭକ୍ତ । ବ୍ୟଞ୍ଜନ ବର୍ଣ୍ଣର ଦ୍ଵିତୀୟ ଭାଗ- ଅବର୍ଗ୍ୟ ବ୍ୟଞ୍ଜନ । ଏହା ବିଷୟରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ପ୍ରଥମ ଖଣ୍ଡ, ୪୪୦ ପୃଷ୍ଠାରେ କୁହାଯାଇଛି ଯେ, ଯେଉଁ ବର୍ଣ୍ଣ ଗୁଡିକ ବ୍ୟଞ୍ଜନ ବର୍ଣ୍ଣମାନଙ୍କର ପାଞ୍ଚବର୍ଗର ଅନ୍ତର୍ଗତ ନୁହେଁ ସେଗୁଡିକ ଅବର୍ଗ୍ୟ । ବର୍ଗ୍ୟବର୍ଣ୍ଣ ଗୁଡିକ ପାଞ୍ଚଟି ଭାଗ କ ବର୍ଗ, ଚ ବର୍ଗ, ଟ ବର୍ଗ ଟ ବର୍ଗ ଓ ପ ବର୍ଗରେ ନାସିକ୍ୟ ବ୍ୟଞ୍ଜନ ସହିତ ବର୍ଗ୍ୟ ଶ୍ରେଣୀଭୁକ୍ତ ହୋଇଥିବା ବେଳେ ବର୍ଣ୍ଣମାଳା ଅନ୍ତର୍ଗତ ଅନାନ୍ୟ ବ୍ୟଞ୍ଜନବର୍ଣ୍ଣଗୁଡିକ ଅବର୍ଗ୍ୟ ଶ୍ରେଣୀ ଅନ୍ତର୍ଗତ । ସେଗୁଡିକ ହେଲା ଯ , ୟ, ର, ଳ, ଲ, ଶ, ଷ, ସ, ହ, ଡ, ଢ, ଅନୁସାର , 8, ଚନ୍ଦ୍ରବିନ୍ଦୁ । ଅବର୍ଗ୍ୟ ବ୍ୟଞ୍ଜନଗୁଡିକୁ ଅଯୋଗବାହ ବ୍ୟଞ୍ଜନ ଭାବରେ ମଧ୍ୟ ଶ୍ରେଣୀଭୂକ୍ତ କରାଯାଇଥାଏ । ସ୍ଵର କିମ୍ବା ବ୍ୟଞ୍ଜନ ବର୍ଣ୍ଣ ସହିତ ଯୋଗ ହେଲେ ଯାଇ ଉଚ୍ଚାରିତ ହୋଇପାରନ୍ତି । ଯେମିତି ଅନୁସାର-ଅଂଶ, କଂସ, ବଂଶୀ, ହିଂସା, କାଂସ୍ୟ, ଚନ୍ଦ୍ରବିନ୍ଦୁ-ଏଁ, କେଉଁ, କାହିଁକି, କଇଁ, ପାଇଁ । ବିସର୍ଗ-ଦୁଃଖ, ନିଃଶ୍ଵାସ, ଦୁଃସାହସ, ଦୁଃଖୀ ।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ, ପ୍ରଥମ ଖଣ୍ଡ ପ୍ରୁଷ୍ଠା ୩୪୦ରେ କୁହାଯାଇଛି – ଅନୁସ୍ଵାର ହେଉଛି ସ୍ଵର ବର୍ଣ୍ଣ ପରେ ଥିବା ମ ଅନୁ ନାସିକ ବିନ୍ଦୁ ଚିହ୍ନିତ ସ୍ଵର ଅଯୋଗବାହ ବର୍ଣ୍ଣ । ପାରମ୍ପାରିକ ବ୍ୟାକରଣରେ ଚନ୍ଦ୍ରବିନ୍ଦୁକୁ ଅନୁନାସିକ ବର୍ଣ୍ଣ ଭାବେ ବର୍ଣ୍ଣନା କରାଯାଇଛି । ସେହିଭଳି ଅନ୍ୟତମ ଅଯୋଗବାହ ବର୍ଣ୍ଣ ବିସର୍ଗ । ଅଯୋଗବାହ ଏକ ଅକ୍ଷର ଆଶ୍ରିତ ବର୍ଣ୍ଣ ଭାବରେ ଆମ ବର୍ଣ୍ଣମାଳାରେ ସ୍ଥାନ ପାଇଛି । ବର୍ଣ୍ଣର ଲିଖିତ ରୂପ ଅକ୍ଷର । ବର୍ଣ୍ଣଗୁଡିକ ଉଚ୍ଚାରଣ ପରେ ପରେ ଲୋପ ହୋଇଯାଏ । ବର୍ଣ୍ଣକୁ ଧରି ରଖେ ଅକ୍ଷର । ବର୍ଣ୍ଣର ସାମୁହିକ ସ୍ୱରୂପ ଲିପି । ବର୍ଣ୍ଣ ଆମ ଭାଷାର ସୌନ୍ଦର୍ଯ୍ୟ । ଶବ୍ଦ ସାଧାରଣତଃ ଏକ ବ୍ୟାକରଣିକ ଉପାଦାନ । ଆମ ଓଡିଆ ଭାଷାରେ ବ୍ୟବହାର ହେଉଥିବା ଶବ୍ଦର ଗଠନ ପଦ୍ଧତିକୁ ରୂପତାତ୍ଵିକ ଆଧାରରେ ବର୍ଣ୍ଣନା ଓ ବିଶ୍ଳେଷଣ କରାଯାଇଛି ଯଥା: ମୁକ୍ତରୂପ ଓ ବଦ୍ଧରୂପ । ଅର୍ଥପୂର୍ଣ୍ଣ ମୁକ୍ତରୂପ ହେଉଛି ଶବ୍ଦ । ମୁକ୍ତରୂପ ସହ ପ୍ରତ୍ୟୟ ଯୋଗ କରାଯାଇ ନୂଆ ଶବ୍ଦ ଗଠନ କରାଗଲେ ତାହା ବଦ୍ଧରୂପ । ଶବ୍ଦ ଗଠନ ଅନୁସାରେ ଓଡିଆ ଶବ୍ଦ ଗୁଡିକ ତିନି ପ୍ରକାରର । ଯେମିତିକି (କ) ସରଳ ଶବ୍ଦ (ଘର, ବାଡି, ଗଛ), (ଖ) ଜଟିଳ ଶବ୍ଦ (ଘରୁଆ, ବାଡିରେ,ଗଛରୁ), (ଗ) ଯୌଗିକ ଶବ୍ଦ- ବ୍ୟାକରଣ ବହି, ଜୀବନ ସାଥୀ, ବର୍ଷା ଦିନିଆ ଛତୁ । ଓଡିଆରେ ବ୍ୟବହାର ହେଉଥିବା ଶବ୍ଦଶ୍ରେଣୀ ବାକ୍ୟତାତ୍ଵିକ ଆଧାରରେ ତିନି ପ୍ରକାରର । ଯଥା (କ) ବିଶେଷ୍ୟ, ସର୍ବନାମ, ବିଶେଷଣ (ଖ)କ୍ରିୟା, (ଗ) କ୍ରିୟା ବିଶେଷଣ ଓ ଅବ୍ୟୟ ।

ପାରମ୍ପାରିକ ବ୍ୟାକରଣିକ ବିଚାରରେ ଓଡିଆ ଶବ୍ଦ ଗୁଡିକ ତତସମ, ତଦଭବ, ଦେଶଜ ଓ ବୈଦେଶିକ ବା ଯାବନିକ କ୍ରମରେ ଚାରିଭାଗରେ ବିଭକ୍ତ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ, ଷଷ୍ଠ ଖଣ୍ଡ ୭୫୬୦ ପୃଷ୍ଠାରେ ଉଲ୍ଲେଖ ଅଛି । ଶବ୍ଦ ହେଉଛି ବିଭକ୍ତି ରହିତ ନାମ, ଅର୍ଥବୋଧକ ଧ୍ୱନି, ଶବ୍ଦ ବା ବାକ୍ୟର ଅଙ୍ଗ ବାକ୍ୟ ଶବ୍ଦର ଶରୀର ଏବଂ ଧାତୁ ଆଦି ସଙ୍ଗେ ଉପସର୍ଗ, ଉପପଦ ବା ପ୍ରତ୍ୟାୟାଦି ଯୁକ୍ତ କରାଯାଇ ଶବ୍ଦ ଉତ୍ପନ୍ନ କରାଯାଏ ଓ ମୌଳିକ ଶବ୍ଦ ଭିନ୍ନ ଭିନ୍ନ ବିଭକ୍ତି, ଳିଙ୍ଗ, ବଚନ ଓ କାରକରେ ଭିନ୍ନ ଭିନ୍ନ ରୂପ ରୂପ ଧାରଣ କରେ ଏବଂ ମୂଳ ଶବ୍ଦରେ ବିଭକ୍ତି ଯୁକ୍ତ ହେଲେ ତାହା ପଦ ହୁଏ । ଶବ୍ଦ ପ୍ରଯୋଗରେ ଶବ୍ଦର ଭିନ୍ନ ଭିନ୍ନ ଅର୍ଥକୁ ଅଧରକରି ଶବ୍ଦ ବିଭାଗ ଗୁଡିକ ହେଉଛି- (୧) ସମୋଚାରିତ ଭିନ୍ନାର୍ଥକ ଶବ୍ଦ, (୨) ଅନେକାର୍ଥକ ଶବ୍ଦ, (୩) ବିପରୀତାର୍ଥ ବୋଧକ ଶବ୍ଦ, (୪) ଏକାର୍ଥ ବୋଧକ ଶବ୍ଦ ବା ପ୍ରତିଶବ୍ଦ, (୫) ବିଭିନ୍ନ ଅର୍ଥରେ କ୍ରିୟା ଶବ୍ଦର ପ୍ରୟୋଗ, (୬) ଯୌଗିକ କ୍ରିୟା, (୭) କ୍ରିୟାଯୁକ୍ତ ରୂଢି ଶବ୍ଦ, (୮) ଯୁଗ୍ମ ଶବ୍ଦ, (୯) କ୍ରିୟା ବିଶେଷ୍ୟ ଶବ୍ଦ ଓ (୧୦) ସଂଖ୍ୟାବାଚକ ଶବ୍ଦ ଇତ୍ୟାଦି । ଆମ ଭାଷାରେ ପ୍ରଚଳିତ କେତେକ ବିଶିଷ୍ଟାର୍ଥକ ଶବ୍ଦାବଳୀ, ଯେଉଁ ଗୁଡିକର ଗଠନ ବୈଶିଷ୍ଟ୍ୟ ସହ ପ୍ରୟୋଗ ବୈଚିତ୍ୟ ମଧ୍ୟ ଅଛି ସେଗୁଡିକୁ ଆମେ ରୂଢି କହୁ । ଆଳଙ୍କାରିକ ଭାମହଙ୍କ ମତରେ, ବର୍ଣ୍ଣ ସମୁଦାୟ ଶବ୍ଦ , ଶବ୍ଦ ହିଁ କାବ୍ୟ । ଏଣୁ କବି ଶବ୍ଦ ବ୍ୟବହାର ପୂର୍ବରୁ ଶବ୍ଦର ଶୁଦ୍ଧତା, ଅଶୁଦ୍ଧତା ବିଷୟରେ ଧ୍ୟାନଦେବା ଆବଶ୍ୟକ ।

ବରିଷ୍ଠ ଗବେଷକ
ଶାସ୍ତ୍ରୀୟ ଓଡିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର, ଶିକ୍ଷାମନ୍ତ୍ରାଳୟ, ଭାରତ ସରକାର ,
ଭୁବନେଶ୍ୱର-୭୫୧୦୦୯

Comments are closed.