ଅନୁଗୁଳ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହୋଇଥିବା ହତ୍ୟାକାଣ୍ଡର ଆଜି ରାୟ ପ୍ରକାଶ ପାଇଛି । ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଦେଲେ ରାୟ । ୨୦୧୬ ମସିହାରେ ଅନୁଗୁଳ ପିଟିସି ଛକ ସନ୍ତୋଷୀ ମା ମନ୍ଦିର ନିକଟରେ ଛବି ନାଏକ ନାମକ ଜଣେ ବ୍ୟକ୍ତିକୁ ତାଙ୍କ ପଡୋଶୀ ଅନାମ ନାଏକ ହତ୍ୟା କରିଥିଲା । ଏହି ଘଟଣାରେ ଅଭିଯୁକ୍ତ ପାଲଲହଡାର ଅନାମ ନାଏକକୁ ଆଜୀବନ କାରାଦଣ୍ଡାଦେଶ ସହ ୪୦ ହଜାର ଟଙ୍କା ଜୋରିମନାରେ ଦଣ୍ଡିତ କରାଯାଇଛି । ସୂଚନା ଅନୁଯାୟୀ ଛବି ନାଏକଙ୍କ ପରିବାର ସହ ଅନାମଙ୍କ ଅନେକ ସମୟରେ ଝଗଡା ହୁଏ ।
୨୦୧୬ ମସିହା ଫେବୃୟାରୀ ୨୮ ତାରିଖରେ ଉଭୟ ପରିବାରରେ ଝଗଡା ହୋଇଥିଲା । ତେବେ ଝଗଡା ହେବାର କିଛି ଘଣ୍ଟା ପରେ ଳେ ଛବି ଘରେ ଶୋଇଥିବା ବେଳେ ଅନାମ ଘରର ଚାରି ପାଖରୁ ନିଆଁ ଲଗାଇ ଦେଇ ଫେରାର ହୋଇ ଯାଇଥିଲା । ତେବେ ନିଆଁ ଏତେ ବ୍ୟାପକ ଥିଲା ଯେ ଛବି ନାଏକ ଘରୁ ବାହାରି ନପାରି ନିଆଁରେ ପୋଡ଼ି ହୋଇ ତାଙ୍କର ମୃତ୍ୟୁ ହୋଇଥିଲା । ଏ ନେଇ ଛବିଙ୍କ ବାପା ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଅନାମକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ଘଟଣାରେ ଆଜି ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।
Comments are closed.